ପରୀକ୍ଷା କେନ୍ଦ୍ର ଜଗି ପାରୁନି; ଅପାରଗ ପୁଲିସ ବୁଥ କଣ ଜଗିବ
ମାଟ୍ରିକ ପ୍ରଶ୍ନପତ୍ର ପୁଣି ଲିକ ହୋଇ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଜି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହେବା ଓଡିଶା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି। ପରୀକ୍ଷା ଆରମ୍ଭ ହେବାର ୧୫-୨୦ ମିନିଟ ମଧ୍ୟରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ପ୍ରଶ୍ନପତ୍ର। ବଲାଙ୍ଗିର, କଳାହାଣ୍ଡି ସବୁଠି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ପ୍ରଶ୍ନପତ୍ର କେବଳ ସୋସିଆଲ ମିଡିଆରେ ଭାଇରାଲ ହୋଇନି ବରଂ ଉତ୍ତର ସହ କିଛି ପରୀକ୍ଷା କେନ୍ଦ୍ର ବାହାରେ ବଣ୍ଟା ହୋଇଥିବାର ଖବର ମଧ୍ୟ ମିଳିଛି।
ଓଡିଶା ପ୍ରଶ୍ନପତ୍ର କନ୍ଧମାଳ, ନୟାଗଡ, ଢେଙ୍କାନାଳ ଓ ନୂଆପଡାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ପ୍ରଥମେ ଏହି ଘଟଣାକୁ ମନ୍ତ୍ରୀ ଓ ବୋର୍ଡ କର୍ତୃପକ୍ଷ ଅସ୍ବୀକାର କରିବା ସହ ଗୁଜବ ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଗୁରୁତର ସହ ନେଇ ୮ ଜଣଙ୍କୁ ନିଲମ୍ବିନ କରିଛି ବୋର୍ଡ। ୪ ଜଣ ସୁପରିଟେଣ୍ଡଣ୍ଟ ଓ ୪ ଜଣ ପରୀକ୍ଷା ନିୟନ୍ତ୍ରକଙ୍କୁ ନିଲମ୍ବିତ କରିଥିଲେ ବୋର୍ଡ ଅଧ୍ୟକ୍ଷ ଜାହାନା ଆରା ବେଗମ। ତେବେ ଆଜି ଲିକ ହୋଇଥିବା ଇଂରାଜୀ ପ୍ରଶ୍ନପତ୍ର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉନି ବୋଲି ଆଜି ବୋର୍ଡ ଅଧ୍ୟକ୍ଷ ସ୍ପଷ୍ଟିକରଣ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିବାକୁ କେହି ଏଭଳି ଜାଲ ପ୍ରଶ୍ନପତ୍ର ଭାଇରାଲ କରାଉଥିବା ସେ କହିଛନ୍ତି।
ପରୀକ୍ଷା ବିଭ୍ରାଟ ପ୍ରଶ୍ନପତ୍ର ଭାଇରାଲରେ ସରିନାହିଁ। ପରୀକ୍ଷା କେନ୍ଦ୍ରରେ କପି ଦେବାର ଦୃଶ୍ୟ ମଧ୍ୟ ଶିକ୍ଷା ବିଭାଗ ଓ ପୁଲିସ ବିଭାଗର ପାରିବା ପଣିଆକୁ ପଦାରେ ପକାଇ ଦେଇଛି। ଭୁବନ ବ୍ଲକ ପଳାଶପିଠା ପଞ୍ଚାୟତିରାଜ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ପ୍ରାୟ ସବୁ ସେଟ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ସାମ୍ନାକୁ ଆସିଛି ସ୍କୁଲରେ କପି ଦେବାର ଚିତ୍ର। ସ୍କୁଲ ହତା ଭିତରେ ପଶି ଝରକା ପଟେ କପି ଦେଉଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି। ତେବେ ପରୀକ୍ଷା ନିୟନ୍ତ୍ରଣ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଏଠାରେ କିନ୍ତୁ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ତାହା ଏହି ଚିତ୍ର ହିଁ ବୟାନ କରୁଛି। ସେହିପରି ବଲାଙ୍ଗୀରର ଘୁନସର ବିଦ୍ୟାଳୟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି।
ତେବେ ପ୍ରଶ୍ନ ଉଠୁଛି ପୁଲିସ କରୁଛି କଣ । ପରୀକ୍ଷା ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ସେଠାରେ ପୁଲିସ ଡିଜି ଓ ଗୃହ ସଚିବ ମଧ୍ୟ ଥିଲେ। ସେ ସମୟରେ ପୁଲିସ ଡିଜି ପ୍ରଶ୍ନପତ୍ର ଲିକ କରୁଥିବା କିମ୍ବା ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହିନ ମାମଲା ରୁଜୁ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଶ୍ନପତ୍ର ଲିକ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସତ, ହେଲେ ପ୍ରଶ୍ନପତ୍ର ଲିକକୁ ରୋକି ପାରୁନି ।
ଏବେ ପ୍ରଶ୍ନ ଉଠୁଛି, ସାମାନ୍ୟ ପ୍ରଶ୍ନପତ୍ର ଲିକକୁ ଓଡିଶା ପୁଲିସ ପୁଲିସ ରୋକିପାରୁନି, ନିର୍ବାଚନ ସମୟରେ ବୁଥକୁ କେମିତି ଜଗିବ । ବର୍ତ୍ତମାନର ପୁଲିସ ପ୍ରଶାସନ ଉପରେ ଭରସା କରି ସରକାର ୨୦୧୯ ନିର୍ବାଚନକୁ ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ପ୍ରଶ୍ନପତ୍ର ଲିକ କିମ୍ବା ଏଥିରେ ସଂପୃକ୍ତ ଗ୍ୟାଙ୍ଗ ଉପରେ ଅଙ୍କୁଶ ଲଗାଇପାରୁନଥିବା ପୁଲିସ, ବୁଥ ରିଗିଙ୍ଗ କିମ୍ବା ବେଆଇନ ଅର୍ଥ ଓ ମଦ କାରବାରକୁ କେମିତି ରୋକିବ । ବର୍ତ୍ତମାନ ଯେଉଁ ଢଙ୍ଗରେ ପୁଲିସ କାର୍ଯ୍ୟକରୁଛି ଏବଂ ଅପରାଧୀମାନେ ଭୟଶୂନ୍ୟ ହୋଇଯାଇଛନ୍ତି, ନିର୍ବାଚନ ସମୟରେ ପୁଲିସ ସେମାନଙ୍କ କାର୍ଯ୍ୟକଳାପର ସୁରାକ ମଧ୍ୟ ପାଇବା ନେଇ ସନ୍ଦେହ ରହୁଛି ।