ପୁଣି ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ !
ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଆଜି ଇଂରାଜୀ ପରୀକ୍ଷା ହେଉଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବଲାଙ୍ଗିରରେ ଇଂରାଜୀ ପ୍ରଶ୍ନପତ୍ର ‘ସେଟ୍ଏ’ ର ପ୍ରଶ୍ନ ମୋବାଇଲରୁ ମୋବାଇଲ ଏବେ ଘୁରି ବୁଲୁଛି। ପରୀକ୍ଷାର ପାଖାପାଖି ୧୫ମିନିଟ୍ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। କପି ରୋକିବା ଲାଗି ସରକାର ତ୍ରୀସ୍ତରୀୟ ବ୍ୟବସ୍ଥା କରିଥିଲେ ସୁଦ୍ଧା କିପରି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଗଲା ସେ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ପ୍ରଥମେ ଓଡ଼ିଆ ପ୍ରଶ୍ନପତ୍ର ଆଉ ଏବେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହେବା ଖବର ଆସୁଛି।
ବଲାଙ୍ଗିର ଜିଲ୍ଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ପରୀକ୍ଷା ଚାଲିଥିବା ବେଳେ ‘ସେଟ୍ଏ’ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ୨୨ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ଥିଲା ମାତୃଭାଷା ପରୀକ୍ଷା। ତେବେ ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା। ପରୀକ୍ଷା ପରିଚାଳନାରେ ଏପରି ତ୍ରୁଟିକୁ ନେଇ ତୁମ୍ବିତୁଫାନ ଆରମ୍ଭ ହୋଇଯାଇଥିଲା। ସ୍ୱଚ୍ଛ ଓ କପିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଡିଣ୍ଡିମ ପିଟୁଥିବା ବୋର୍ଡ କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ଏହା ପଦାରେ ପକାଇ ଦେଇଥିଲା।