ସରକାରଙ୍କ ମୁଖା ଖୋଲିଦେଲେ ଅରୁଣ ବୋଥ୍ରା

ରାଜ୍ୟର ଆଇନ‍୍‌ଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କ ମୁଖା ଖୋଲିଛନ୍ତି କ୍ରାଇମବ୍ରାଞ୍ଚର ଆଇଜି ଅରୁଣ ବୋଥ୍ରା । ଓଡିଶାରେ କିଭଳି ଅପରାଧିମାନେ ସହଜରେ ଖସିଯାଉଛନ୍ତି ଓ ଏଠାରେ ମାତ୍ର ୧୦ ପ୍ରତିଶତ ଦଣ୍ଡିତ ହେଉଛନ୍ତି ତାହାର ବିସ୍ତୃତ ବିବରଣୀ ଲେଖିଛନ୍ତି ଗୋଟିଏ ଦୈନିକ ଜାତୀୟ ଇଂରାଜୀ ଖବର କାଗଜରେ। ଗୃହ ବିଭାଗ ଖୋଦ‍୍‌ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାବେଳେ ଅରୁଣ କାହା ଇଙ୍ଗିତରେ ଏଭଳି ଲେଖା ଲେଖି ତାଙ୍କୁ କାଠଗଡାରେ ଛିଡା କଲେ ତାହା ଚର୍ଚ୍ଚାର ବିଷୟ ହୋଇଛି।

ଇତିଶ୍ରୀ, କୁନ୍ଦୁଲି ଠାରୁ ଆରମ୍ଭକରି ବେବିନା ମାମଲରେ ରାଜ୍ୟ ସରକାର ଛନ୍ଦିହୋଇ ପଡିଥିବାବେଳେ ଏହାର ତଦନ୍ତ ଭାର ରହିଥିଲା କ୍ରାଇମବ୍ରାଞ୍ଚ ହାତରେ। ନିର୍ବାଚନକୁ ଆଖିଆଗରେ ରଖି ବିରୋଧିଦଳ ପକ୍ଷରୁ ଏହି ମାମଲାକୁ ପୁଣିଥରେ ଉଠାଇବାପାଇଁ ଉଦ୍ୟମ ଚାଲିଥିବାବେଳେ ନିଆଁରେ ଏବେ ଘିଅ ଢାଳିଛନ୍ତି ଓ ଖୋଦ‍୍‌ ଆଇଜି ମହାଶୟ। ସ୍ପଷ୍ଟ ଭାବେ ଲେଖିଛନ୍ତି ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ କର୍ଣ୍ଣାଟକରେ ଦଣ୍ଡବିଧାନ ହାର ନୈରାଶ୍ୟଜନକ। ସର୍ବଭାରତୀୟ ସ୍ତରରେ ୧୮.୯ ପ୍ରତିଶତ ଦୋଷୀ ଦଣ୍ଡିତ ହେଉଥିବାବେଳେ ଓଡିଶାରେ ଏହା ୧୦ ପ୍ରତିଶତର କମ‍୍‌ ରହିଛି। ଏଥିପାଇଁ ଅଦାଲତ ବାହାରେ ପୀଡିତା ଓ ନିର୍ଯ୍ୟାତନାକାରୀଙ୍କ ମଧ୍ୟରେ ହେଉଥିବା ବୁଝାମଣାକୁ କେତେକାଂଶରେ ଦାୟୀ କରିଛନ୍ତି। ଏଥି ସହିତ ଫୋରେନ‍୍‌ସିକ୍ ଓ ମେଡିକାଲ ରିପୋର୍ଟ ଦୋଷୀକୁ ଦଣ୍ଡ ଦେବାପାଇଁ ଯଥେଷ୍ଟ ହୋଇଥିବାବେଳେ ପୀଡିତାମାନେ ଅପରାଧୀଙ୍କ ସହିତ ମୂଲଚାଲ କରୁଥିବାରୁ ଦୋଷୀମାନେ ଖସି ଯାଉଛନ୍ତି।

ଜଣେ ସରକାରୀ କର୍ମଚାରୀ ସରକାରଙ୍କ କାର୍ଯ୍ୟକଳାପ ନେଇ ଆଲେଖ୍ୟ ପ୍ରକାଶ ଉପରେ କଡା କଟକଣା ଥିବାବେଳେ ଅରୁଣଙ୍କ ଏଭଳି ଲେଖା ଏବେ ସରକାରଙ୍କ କରୁଣ ଅବସ୍ଥାରେ ପକାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ୱଚ୍ଛ ଭାବମୂର୍ତ୍ତିକୁ ନେଇ ସାରା ରାଜ୍ୟ ଗସ୍ତ କରୁଥିବାବେଳେ ଏତିକିବେଳେ ଅରୁଣଙ୍କ ଜାତୀୟ ଗଣମାଧ୍ୟମରେ ଏଭଳି ଆଲେଖ୍ୟ ତାଙ୍କୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ବିଶେଷକରି ବେବିନା ଘଟଣାରେ ନବୀନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିବାପରେ ମଧ୍ୟ ଏ ବିବାଦ ଥମିନାହିଁ। ଏବେ ବି ରାଜ୍ୟର ଆଇନ‍୍‌ଶୃଙ୍ଖଳା କଥା ଉଠିଲେ ବିରୋଧିଦଳ ବେବିନା ପ୍ରସଙ୍ଗକୁ ଆୟୁଧ କରି ସରକାରଙ୍କୁ ଘେରୁଛନ୍ତି। ଏହି ମାମଲାରେ ବି ଦୋଷୀ ଖସିଯାଇଥିବାବେଳେ ଚାପରେ ପଡି କ୍ରାଇମବ୍ରାଞ୍ଚ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି।

ଏଭଳି ସ୍ଥିତିରେ ଅରୁଣ ବୋଥ୍ରାଙ୍କ ଭଳି ଜଣେ ବରିଷ୍ଠ ଆଇପିଏସ‍୍‌ ଅଫିସର ସରକାରଙ୍କୁ ଖାଲରେ ପକାଇବା ଭଳି ଲେଖା ଲେଖି ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଲେଖା ଯୋଗୁଁ ଅବଶ୍ୟ ସାଧାରଣରେ ସିଏ ପ୍ରଶଂସିତ ହୋଇପାରନ୍ତି ହେଲେ ଯେଉଁ ସରକାରରେ ସିଏ ଜଣେ ବେତନଭୋଗୀ କର୍ମଚାରୀ ସେହି ସରକାର ଓ ଏହାର ମୁଖ୍ୟମନ୍ତ୍ରୀ ଏବେ ଅଡୁଆରେ ପଡି ଯାଇଛନ୍ତି। ଲେଖାଟି ପ୍ରକାଶ ପାଇବାପରେ ଏବେ ତାହାକୁ ବିରୋଧିଦଳ ପକ୍ଷରୁ ତର୍ଜମା କରାଯିବା ସହିତ ଏହା ମାଧ୍ୟମରେ ସରକାର ଓ ନବୀନଙ୍କ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚାଲିଛି। ଅରୁଣ ଲେଖିଥିବା ଲେଖାଟି ଓଡିଶାରେ ହିଁ ବାସ୍ତବ ରୂପ ନେଉଛି ଖୋଦ‍୍‌ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏହା ଚାଲୁଥିବା ବିରୋଧିଦଳର କିଛି ନେତା କହି ବୁଲିଲେଣି। କାରଣ ଅରୁଣ ଜଣେ ସାଧାରଣ ପୁଲିସ‍୍‌ ଅଫିସର ନୁହନ୍ତି, ସେ ହେଉଛନ୍ତି ରାଜ୍ୟ କ୍ରାଇମବ୍ରାଞ୍ଚର ଆଇଜି। ତେଣୁ ସିଏ ଯାହା ଲେଖିଛନ୍ତି ତାହା ତଥ୍ୟ ଓ ସତ୍ୟ ଉପରେ ଆଧାରିତ। ଏ ସଂକ୍ରାନ୍ତରେ ଖୁବ‍୍‌ଶୀଘ୍ର ନବୀନ ସରକାରଙ୍କୁ ଠାରୁ ଜବାବ ମଗାଯିବ ବୋଲି କଂଗ୍ରେସର ଜଣେ ବରିଷ୍ଠନେତା ସୂଚନା ଦେଇଛନ୍ତି। ବିଜେପି ବି ଏହି ଲେଖାଟିକୁ ଏବେ ତର୍ଜମା କରୁଥିବା ସୂଚନା ମିଳିଲାଣି। ନିର୍ବାଚନ ପୂର୍ବରୁ ବିରୋଧିଦଳ ଯାହା କରିପାରିନଥିଲେ ତାହା ଆଇଜି ମହାଶୟ କରିଦେଲେ ବୋଲି କିଛି ବିଜେଡି ନେତା ବି କହୁଛନ୍ତି।

Leave a Reply

Your email address will not be published. Required fields are marked *