ପ୍ରଶ୍ନପତ୍ର ଭାଇରାଲକୁ ବୋର୍ଡ ମାନିଲା

ଆଜିଠାରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ଓଡିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୂରି ବୁଲିଥିଲା । ନବରଙ୍ଗପୁର ଓ କାମାକ୍ଷାନଗର ଅଞ୍ଚଳରୁ ପ୍ରଶ୍ନପତ୍ର ଏଭଳି ଲିକ୍‍ ହେବାନେଇ କୁହାଯାଉଥିବାବେଳେ ପ୍ରଥମେ ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ବିଶ୍ୱାସ କରିନଥିଲେ । କହିଥିଲେ ଯେ ସମସ୍ତ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‍ ନେବା ଉପରେ କଟାକଣା ଥିବାରୁ ଏଭଳି ହୋଇନଥିବ ।

ହେଲେ ପରୀକ୍ଷା ସରିବା ପରେ ଯେତେବେଳେ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନପତ୍ର ସହିତ ମୋବାଇଲ୍‍ରେ ଘୂରି ବୁଲୁଥିବା ପ୍ରଶ୍ନପତ୍ର ମେଳ ଖାଇଲା ସେତେବେଳେ ଏହା ଲିକ୍‍ ହୋଇଥିବା ସ୍ପଷ୍ଟ ହେଲା । ପ୍ରଶ୍ନପତ୍ର ଭାଇରାଲ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ ସ୍ପଷ୍ଟ କରିଥିଲେ । ସେ କହିଥିଲେ କିଛି ବିକୃତ ମାନସିକ ବ୍ୟକ୍ତି ଏଭଳି ଘୃଣ୍ୟକାର୍ଯ୍ୟ କରିଛନ୍ତି ।

ପ୍ରଶ୍ନପତ୍ର ଭାଇରାଲ ହେବା ଖବର ଆସିବାପରେ ଏଆଇଡିଏସ୍‍ଓ ପକ୍ଷରୁ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟ ଘେରାଉ ହୋଇଥିବାବେଳେ ରାଜଧାନୀରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଏବିଭିପିର କର୍ମକର୍ତ୍ତାମାନେ ଘେରାଉ କରିଛନ୍ତି । ମନ୍ତ୍ରୀ ଘର ଘେରାଉ ସମୟରେ ପୁଲିସ୍‍ ସହିତ ଧସ୍ତାଧସ୍ତି ହୋଇଥିଲା ।

ଉଲ୍ଲେଖନୀୟ ଯେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଯେଭଳି କୌଣସି ତ୍ରୁଟିବିଚ୍ୟୁତି ନହୁଏ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିଲେ । ପରୀକ୍ଷାର ପୂର୍ବଦିନ ପ୍ରଶ୍ନପତ୍ର ଗୁଡିକ ଧାର୍ଯ୍ୟ କେନ୍ଦ୍ରରେ ପହଞ୍ଚିବା ସହିତ ୨୪ଘଣ୍ଟିଆ ସିସିଟିଭି ନଜରରେ ରହିଛି । ସେହିଭଳି ପରୀକ୍ଷାକେନ୍ଦ୍ରକୁ ଶିକ୍ଷକ କିମ୍ବା କର୍ମଚାରୀଙ୍କ ମୋବାଇଲ୍‍ ନେବା ଉପରେ କଟକଣା ରହିଛି । ତଥାପି ପରୀକ୍ଷାର ପ୍ରଥମ ଦିନରୁ ଯେଭଳି ଭାବେ ଓଡିଆ ପ୍ରଶ୍ନପତ୍ର ଯେଭଳି ଲିକ୍‍ ହୋଇ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାହା ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି ।  

୪ ଜଣ ସୁପରିନ୍‌ଟେଣ୍ଡେଣ୍ଟ ସସ୍‌ପେଣ୍ଡ

ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ୪ଟି ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ ସସ୍‌ପେଣ୍ଡ ହୋଇଛନ୍ତି। ଏଥି ସହିତ ୪ଟି ପରୀକ୍ଷା କେନ୍ଦ୍ରର ଇନ୍‌ଭିଜିଲେଟର ମଧ୍ୟ ସସ୍‌ପେଣ୍ଡ ହୋଇଛନ୍ତି। ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍‌ଙ୍କ ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ କରମଙ୍ଗଳ ଓ ଗୋପୀନାଥପୁର ହାଇସ୍କୁଲ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ହାଇସ୍କୁଲ ଓ ଢେଙ୍କାନାଳ ଜିଲ୍ଲାର ସୁଦର୍ଶନ ବିଦ୍ୟାଭବନ ହାଇସ୍କୁଲର ସୁପରିନ୍‌ଟେଣ୍ଡେଣ୍ଟ ସସ୍‌ପେଣ୍ଡ ହୋଇଛନ୍ତି।

Leave a Reply

Your email address will not be published. Required fields are marked *