ନବୀନଙ୍କୁ ଯୋଗୀଙ୍କ ଟାର୍ଗେଟ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। କାଳିଆ ଯୋଜନାକୁ ସମାଲୋଚନା କରିଛନ୍ତି ଯୋଗୀ ଆଦିତ୍ୟନାଥ। ଓଡ଼ିଶା ସରକାରଙ୍କ ଯୋଜନା ଆରମ୍ଭରୁ ଭ୍ରଷ୍ଟାଚାର ହେଲାଣି। ନବୀନଙ୍କ ଯୋଜନାର ସ୍ଥାୟିତ୍ୱ ନାହିଁ ବୋଲି ଯୋଗୀ କହିଛନ୍ତି।

କେନ୍ଦ୍ର ସରକାର ଚାଉଳ ପାଇଁ ଅଧିକ ଟଙ୍କା ଦେଉଛନ୍ତି ହେଲେ ରାଜ୍ୟ ସରକାର ଏହାର ବାହାବା ନେଉଛନ୍ତି ବୋଲି କହିଛନ୍ତି ଯୋଗୀ। ୨୦୧୯ରେ ଉଭୟ ଦିଲ୍ଲୀ ଏବଂ ଓଡ଼ିଶାରେ ବିଜେପିକୁ ଆଣିବାକୁ ଆହ୍ୱାନ ଦେଇଛନ୍ତି ଯୋଗୀ। ଗାଁ, ଗରିବ, ଚାଷୀଙ୍କ ପାଇଁ ମୋଦି କାମ କରିଚାଲିଛନ୍ତି। ସରକାର କିଭଳି ଚାଲେ ଗତ ସାଢ଼େ ୪ ବର୍ଷରେ ଦେଖାଯାଇଛି।

ଯୋଗୀ ପୁଲୱାମା ଆକ୍ରମଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇ ପୂରା ଦେଶର ଲଢ଼େଇ। ଏଥିସହ ଆତଙ୍କବାଦକୁ କେବଳ ମୋଦି ସରକାର ଜବାବ ଦେଇପାରିବ ସେ କହିଛନ୍ତି। ଏହି ଲଢ଼େଇରେ ମୋଦିଙ୍କ ସହ ସମସ୍ତେ ଏକଜୁଟ ହେବାକୁ ସେ କହିଛନ୍ତି।

ଯୋଗୀ କହିଛନ୍ତି ଯେ ଆଜି ଦେଶର ବିକାଶରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଗରିବଙ୍କୁ ଘର, ଶୌଚାଳୟ, ବିଦ୍ୟୁତ, ରୋଜଗାର ସୁବିଧା ରହିବା କଥା କହୁଛନ୍ତି। ଏପରି ଯୋଜନାକୁ ଲାଗୁ କରିବା ପାଇଁ ବିଜେପି ସରକାର ପ୍ରତିବଦ୍ଧ। ଯେଉଁଠି ବିଜେପି ସରକାର ଅଛି ସେଇଠି କେନ୍ଦ୍ର ଏବଂ ରାଜ୍ୟ ସରକାର ବିକାଶକୁ ଆଗକୁ ନେଉଛନ୍ତି। ଅଣ ବିଜେପି ସରକାର ଥିବା ରାଜ୍ୟ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁନାହାନ୍ତି। ସ୍ୱଚ୍ଛ ଭାରତ ଯୋଜନାରେ ୟୁପିରେ ୨ ବର୍ଷରେ ୨କୋଟି ୬୦ ଲକ୍ଷ ପରିବାର ଉପକୃତ ହୋଇଛନ୍ତି। କିନ୍ତୁ ଓଡିଶାରେ ସେଭଳି ହୋଇନାହିଁ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ୧୯ ବର୍ଷରେ ୧୭ ଲକ୍ଷ ଘର ମିଳିଛି କିନ୍ତୁ ଉତ୍ତରପ୍ରଦେଶରେ ୨ ବର୍ଷରେ ୨୦ ଲକ୍ଷ ଘର ଉପଲବ୍ଧ ହୋଇଛି। ଏକ କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଦେଶରେ ୪କୋଟି ପରିବାରକୁ ନିଶୁଳ୍କ ବିଦ୍ୟୁତ କନେକ୍ସନ ପ୍ରଦାନ କରାଯାଇଛି। ୯.୫ କୋଟି ପରିବାର ଶୌଚାଳୟ ହାଇଛି। ଏହା ଗରିବଙ୍କ ଜୀବନରେ ପରିବର୍ତ୍ତନ। କିନ୍ତୁ ଓଡିଶାରେ ନବୀନ ସରକାର ଏକ ଆଶ୍ଚର୍ଯ୍ୟ।

ନବୀନଙ୍କୁ ଟାର୍ଗେଟ୍ କରି ଯୋଗୀ କହିଛନ୍ତି କି, ସରକାରଙ୍କୁ ପଶ୍ନ କରିବା ଦରକାର କି ଚାଉଳ ପାଇଁ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଥିବା ବେଳେ ଓଡିଶା ସରକାର ମାତ୍ର ୧ ଟଙ୍କା ଦେଉଛନ୍ତି। ତଥାପି ସେ କହୁଛନ୍ତି କି ଆମେ ୧ଟଙ୍କାରେ ଚାଉଳ ଦେଉଛୁ। କେନ୍ଦ୍ରର ଯୋଜନା ସହ ନିଜକୁ ଯୋଡି ଜବରଦସ୍ତ ଶ୍ରେୟ ନେଉଛନ୍ତି। କଂଗ୍ରେସ ସମୟରେ ଅନେକ କାରଖାନା ବନ୍ଦ ହୋଇଥିଲା। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡିଶା ସରକାର ଲାଗୁ କରୁନାହାନ୍ତି। ୟୁପିରେ ୬କୋଟି ଲୋକ ଏଥିରେ ଲାଭାନ୍ୱିତ ହେଉଛନ୍ତି। ଯଦି ସେ ଗରିବାଙ୍କୁ ଭଲ ପାଉଥାନ୍ତେ ତେବେ ଓଡିଶାରେ ତାହା ଲାଗୁ କରିଥାନ୍ତେ। କିନ୍ତୁ ନବୀନଙ୍କୁ ବିକାଶରେ ରୁଚି ନାହିଁ। ସେ କେବଳ ନିଜର ବ୍ୟକ୍ତିଗତା ଏଜେଣ୍ଡାରେ ଚାଲୁଛନ୍ତି। ଜନତାଙ୍କ ସହ ଧୋକା କରୁଛନ୍ତି।

ଫେବ୍ରୁଆରୀରେ ୨୪ରେ ଲାଗୁ ହେବାକୁ ଥିବା କିଷାନ ସମ୍ମାନ ନିଧୀକୁ ମଧ୍ୟ ଓଡିଶା ସରକାର ଧ୍ୟାନ ଦେଉନାହାନ୍ତି। ତାଲିକା ପଠାଉ ନାହାନ୍ତି। ସେ ଡରୁଛନ୍ତି କି ସୂଚି ଦେଲେ ଚାଷୀଙ୍କୁ ଟଙ୍କା ମିଳିବା । ପଇସା ଆସିଲେ ନବୀନ ଆଉ ସେମାନଙ୍କୁ ଧୋକା ଦେଇ ପାରିବେନାହିଁ । ଏହି ସରକାର ଜନତାଙ୍କ ଭାବନା ସହ ଖେଳୁଛି। ବିଭିନ୍ନ ବିକାଶ ମୂଳକ ଯୋଜନାରୁ ବଞ୍ଚିତ କରୁଛି । ସବୁ ଯୋଜନାରୁ କୃଷକ, ଯୁବକଙ୍କୁକୁ ବଞ୍ଚିତ କରୁଛି।

ଆଦିତ୍ୟନାଥ ଜଣେ ମିଛୁଆ: ପ୍ରତାପ ଦେବ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ମିଛୁଆ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ଓଡିଶା ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆଦିତ୍ୟନାଥ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ଦେବ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଓଡିଶା ସରକାରଙ୍କ କାଳିଆ ଯୋଜନାକୁ ସମାଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ କିଷାନନିଧି ଯୋଜନାରେ ଯେଉଁ ସ୍ତୁତିଗାନ କରୁଛନ୍ତି ତାହା ସମ୍ପୁର୍ଣ୍ଣ ଭ୍ରମାତ୍ମକ । ନିଜେ ଆଦିତ୍ୟନାଥ ଉତ୍ତରପ୍ରଦେଶରେ କୃଷକଙ୍କ ଉପରୁ ଋଣଛାଡ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସଠିକ ଭାବରେ କାର୍ଯ୍ୟକାରୀ କରିନପାରି ଉତ୍ତରପ୍ରଦେଶର ଚାଷୀ ମାନଙ୍କୁ ଠକିଛନ୍ତି । କାଳିଆ ଯୋଜନାରେ ଡିବିଟି ମାଧ୍ୟମରେ ଚାଷୀ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି ବୋଲି ଶ୍ରୀ ଦେବ କହିଛନ୍ତି । ଓଡିଶାରେ ବିଜେପିକୁ ସରକାରକୁ ଆଣିବା ପାଇଁ ଶ୍ରୀ ଆଦିତ୍ୟନାଥ ଯେଉଁ ବୃଥା ଆସ୍ଫାଳନ କରୁଛନ୍ତି ତାହା କେବେ ସଫଳ ହେବ ନାହିଁ । ବିଜେଡି ଓଡିଶାରେ ୧୦୦ରୁ ଉର୍ଦ୍ଧ୍ୱ ଆସନରେ ଜିତିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published.