ଓଡିଶା ବନ୍ଦ ଜାରି ରହିବ : ଅକ୍ଷୟ କୁମାର
ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା କାଲି ତାହା ଓଡିଶା ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବ । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ଡାକରା ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଅନୁରୋଧ କରିବାପରେ ଅକ୍ଷୟ କୁମାର ଆଜି ଏଠାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ସରକାର ସଂଗଠନ ସହିତ କୌଣସି ଆଲୋଚନା ନକରି ଦୁଇ ଦିନ ଧରି ପ୍ରେସ୍ ରିଲିଜ ଜାରି କରିବାରେ ଲାଗିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆସନ୍ତ କାଲି ସକାଳ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଯିବ । ତେଣୁ କୃଷକ ସଂଗଠନ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବାରୁ ପ୍ରଶ୍ନପତ୍ର ପହଞ୍ଚିବାରେ କୌଣସି ସମସ୍ୟା ଉପୁଜିବ ନାହିଁ । ସରକାର ଚାହିଁଳେ ସକାଳ ସୁଦ୍ଧା ସମସ୍ତ ଜିଲ୍ଲାରେ ପ୍ରଶ୍ନପତ୍ର ପହଞ୍ଚାଇ ପାରିବେ ।
ସେହିଭଳି ବନ୍ଦ ସମୟରେ କୌଣସି ଯାନବାହାନରେ ପ୍ରଶ୍ନପତ୍ର, ଶିକ୍ଷକ କିମ୍ବା ପରୀକ୍ଷାର୍ଥୀ ଥିଲେ ସେମାନଙ୍କୁ ସୁରୁଖୁରୁରେ ଘଟଣାସ୍ଥଳରେ ପହଞ୍ଚାଇ ଦେବାପାଇଁ କର୍ମକର୍ତ୍ତମାନଙ୍କୁ କୁହାଯାଇଛି । ଏଥି ସହିତ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗର ଗାଡି ସହିତ ଔଷଧ ଦୋକାନ ଓ ଅନ୍ୟାନ୍ୟ ଜରୁରୀ ସେବାକୁ ବନ୍ଦର ବାଦ୍ ଦିଆଯିବ । ରାଜ୍ୟର ପ୍ରାୟ ୧୨ଲକ୍ଷ ଚାଷୀଙ୍କର ପାଖାପାଖି ୬ଲକ୍ଷ ପିଲା ଚଳିତବର୍ଷ ମାଟିକ୍ର ପରୀକ୍ଷା ଦେଉଥିବାରୁ ବନ୍ଦ ସମୟରେ ଚାଷୀମାନେ ପରୀକ୍ଷାରେ ଯେଭଳି କୌଣସି ବିଭ୍ରାଟ ନହେବ ସେଥିପ୍ରତି ଦୃଷ୍ଟି ଦେବେ ।
ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଉଭୟ କଂଗ୍ରେସ ଓ ବିଜେପି ସମର୍ଥନ ଦେବା ପ୍ରସଙ୍ଗରେ ଅକ୍ଷୟ କୁମାର କହିଛନ୍ତି ଯେ ଚାଷୀଙ୍କ ମୌଳିକ ଦାବି ନେଇ ଚଳାଯାଉଥିବା ଆନ୍ଦୋଳନକୁ ଯେଉଁମାନେ ସମର୍ଥନ ଦେବେ ସେମାନଙ୍କୁ ସଂଗଠନ ପକ୍ଷରୁ ସ୍ୱାଗତ କରାଯିବ ।
ରାଜ୍ୟ ସରକାର ଚତୁରତାର ସହିତ ନବ ନିର୍ମାଣ କୃଷକ ସଂଗଠନର ମୂଳ ଦାବିକୁ ଏଡାଇ ଯାଉଥିବାରୁ ତାହାର ପ୍ରତିବାଦରେ ଏଭଳି ବନ୍ଦ ଡାକରା ଦିଆଯାଇଥିବାବେଳେ ଏହାକୁ ସଫଳ କରିବାପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ ଆସନ୍ତା ୨୨ ତାରିଖରେ ମାଟ୍ରିକ ପରୀକ୍ଷା ପାଇଁ ୨୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବା ଲାଗି ରାଜ୍ୟ ସରକାର ଘୋଷଣା କରିଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡିଶା ବନ୍ଦ ପ୍ରତ୍ୟାହାର ଲାଗି ରାଜ୍ୟ ସରକାର ଗତ ଦୁଇଦିନ ଧରି ନବ ନିର୍ମାଣ କୃଷକ ସଂଗଠନକୁ ଅନୁରୋଧ କରିଚାଲିଛନ୍ତି ।