ବିଜେଡି ପାଇଁ ମୁସ୍କିଲ୍‌ ହେବ କରଞ୍ଜିଆ

ଭୁବନେଶ୍ଵର, (ଓଟି): ବିଜୁ ଜନତା ଦଳ ପାଇଁ ଏଥର ସଙ୍କଟ ସୃଷ୍ଟିକରିବାକୁ ଯାଉଥିବା ନିର୍ବାଚନମଣ୍ଡଳୀଗୁଡ଼ିକ ଭିତରେ ଆଗୁଆ ରହିଛି କରଞ୍ଜିଆ। ମୟୁରଭଞ୍ଜ ଜିଲ୍ଲାର ଏହା ଏକ ଅଣ କଂଗ୍ରେସ ନିର୍ଚବାନ ମଣ୍ଡଳୀ ତଥା ଜନତା ଦଳର ଗଡ଼ ବୋଲି ଗ୍ରହଣ କରାଯାଏ। ଏବଂ ଗଲା ତିନିଥର ଏଠାରୁ ବିଜୁ ଜନତା ଦଳର ପ୍ରାର୍ଥୀ ନିର୍ବାଚିତ ହୋଇ ଆସୁଛନ୍ତି। କିନ୍ତୁ ଏଥର ଏ ପରିସ୍ଥିତି ଭିନ୍ନ ରୂପ ନେଇପାରେ। କଂଗ୍ରେସ ନୁହେଁ, ଏଥର ଟକ୍କର ବିଜେଡି ଓ ବିଜେପି ମଧ୍ୟରେ ହେବା ନିଶ୍ଚିତ।

ପରିସ୍ଥିତି

କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଠାକୁରମୁଣ୍ଡା, କରଞ୍ଜିଆ ବ୍ଲକ୍‌ ସମେତ କପ୍ତିପଦା ବ୍ଲକ୍‌ର ୯ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ। ଏହି ୯ଟିଯାକ ଗ୍ରାମ ପଞ୍ଚାୟତ ୨୦୦୮ ସୀମା ନିର୍ଦ୍ଧାରଣ ପୂର୍ବରୁ ଉଦଳା ନିର୍ବାଚନ ମଣ୍ଡଳୀରେ ଆସୁଥିଲେ। ଏବେ କିନ୍ତୁ ପରିସ୍ଥିତି ବଦଳିଛି। ଆଉ ଏହି ଗ୍ରାମ ପଞ୍ଚାୟତ ନିଣ୍ଣାୟକ ଭୂମିକା ନେବା ଆଶା କରାଯାଉଛି ।

ବିଧାୟକଙ୍କ ସ୍ଥିତି

ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ଗଳି କନ୍ଦିରେ ଚର୍ଚା ହେଉଛି। ସବୁଠାରୁ ଅଧିକ ଚର୍ଚା ବିଜେଡି ଶିବିରରେ। ଦୁଇଥର ବିଜେଡି ବିଧାୟକ ଥିବା ବିଜୟ ନାୟକ ଏକଥର ଆଉ ଟିକେଟ୍‌ ପାଇ ନପାରନ୍ତି। କାରଣ ଅନେକ କିନ୍ତୁ ସେଥିରେ ପ୍ରମୁଖ ଭୂମିକା ନେଇଛି ଏକ ଷ୍ଟିଙ୍ଗ ଅପରେସନ୍‌। ଯେଉଁଥିରେ ସେ ଶିଳ୍ପ ପାଇଁ ଅର୍ଥ ଚାନ୍ଦା ମାଗିଥିବା ଚର୍ଚା ହୋଇଥିଲା। ଏ ଷ୍ଟିଙ୍ଗ୍‌ ଅପରେସନ୍‌ କେତେ ଠିକ୍‌ ବା ଭୁଲ୍‌ ତାହା କହିବା ଆମ ପକ୍ଷେ ସମ୍ଭବ ନୁହେଁ, କିନ୍ତୁ ଏହି ସକାଶେ ବିଜୟଙ୍କ ଟିକେଟ୍‌ କଟିପାରେ। ଲୋକଙ୍କ ଅସନ୍ତୋଷ ତାଙ୍କୁ ନେଇ ରହିଛି।

ପ୍ରାର୍ଥୀ କିଏ ହେବେ?

ଏ ପ୍ରଶ୍ନର ଉତ୍ତର ବିଜେଡିର ରଣନୀତି ନିର୍ଦ୍ଧାରକମାନେ ଜାଣିଥିବେ। କିନ୍ତୁ ଯାହାଙ୍କ ମନରେ ଲଡ୍ଠୁ ଫୁଟୁଛି ସେମାନଙ୍କ କଥା ଏଠାରେ ଅବତାରଣା କରାଯାଇପାରେ। ବିଜେଡି ମହଲ ଏବଂ ଏହି ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉତ୍ସାରହ ଓ ଓଜନକୁ ‘ଓଡ଼ିଶା ଟାଇମ୍‌ ଡଟ୍‌କମ୍‌’ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା। ସମୁଦାୟ ୫୦ ଜଣ ଲୋଙ୍କୁ ବିନା କୌଣସି ବାଛ ବିଚାରରେ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲା ଯେଉଁମାନେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର। ସେଥିରୁ ୩୦ ଜଣ ଆମ ପ୍ରଶ୍ନର ଉତ୍ତର ଦେବା ପାଇଁ ରାଜି ହୋଇଥିଲେ।

ବାସନ୍ତୀ ହେମ୍ବ୍ରମ୍‌ ଓ ରଘୁନାଥଙ୍କ ପକେଟ୍‌ ଭୋଟ୍‌

ପ୍ରଥମ ପ୍ରଶ୍ନର ଉତ୍ତରରେ ସମ୍ଭାବ୍ୟ ପ୍ରାର୍ଥୀ କଥା କହିବା ବେଳେ ଆଗକୁ ଆଣିଥିଲେ ବାସନ୍ତୀ ହେମ୍ବ୍ରମ୍‌ଙ୍କ ନାଁ। ବାସନ୍ତୀ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ହେମ୍ବ୍ରମ୍‌ଙ୍କ ବୋହୂ। କିନ୍ତ ସୁକ୍ରୁଳିରେ ସେ ରାଜନୀତିକ ସ୍ଵତ୍ତ୍ଵ ପ୍ରସ୍ତୁତ କରିଛନ୍ତି। ସେଠାରେ ଜିଲ୍ଲା ପରିଷଦର ସେ ସଭ୍ୟ। କିନ୍ତୁ ରଘୁନାଥଙ୍କ ଦାୟାଦ ଭାବେ ଲୋକ ତାଙ୍କୁ ଗ୍ରହଣ କରନ୍ତି। ଏଣୁ ବିଜେଡି ପକ୍ଷରୁ ସେ ଏଥର କରଞ୍ଜିଆ ସମ୍ଭାଳି ପାରନ୍ତି। ରଘୁନାଥଙ୍କ ପରିବାରର ଏଠାରେ ପକେଟ୍‌ ଭୋଟ୍‌ ରହିଛି। ପୁଣି ବିଜେଡି ପାଇଁ ଦଳୀୟ ଭୋଟ୍‌ ବା ନବୀନଙ୍କ ଭୋଟ୍‌ ଅପେକ୍ଷା ଏଠାରେ ପକେଟ୍‌ ଭୋଟ୍‌ର ଯଥେଷ୍ଟ ଆବଶ୍ୟକ ରହିଛି। ନହେଲେ ପରାଜୟ ଆଶଙ୍କା ଯଥେଷ୍ଟ। ଗତ ନିର୍ବାଚନରେ ଯଦି ବିଜେପି ସଂଗଠିତ ଭାବେ ନିର୍ବାଚନ ଲଢ଼ି ଥାଆନ୍ତା ତେବେ ଆଜି ଏ ଆସନ ବିଜେଡି ପାଖରେ ନଥାଆନ୍ତା! ଜନତା ଦଳ ପାଇଁ କରଞ୍ଜିଆରେ କ୍ଷେତ୍ର ପ୍ରସ୍ତୁତ କରିଥିବା ରଘୁନାଥଙ୍କ ନାଁ ରହିଲେ
ବିଜେଡି ପୁଣିଥରେ ଏଥର ବିଜୟ ବାନା ଧରିପାରେ।

ନୂଆ ମୁହଁ

ବାସନ୍ତୀଙ୍କ ବିପକ୍ଷରେ କିନ୍ତୁ ନୂଆ ମୁହଁ ବିଜେଡି ଚିନ୍ତା କରୁଛି। ପ୍ରିପୋଲ୍‌ ମୁଡ୍‌ ଅନୁସାରେ କରଞ୍ଜିଆରେ ନୂଆ ମୁହଁ କହିଲେ ଜଣେ ପୁଲିସ ଅଧିକାରୀଙ୍କ ନାଁ ବିଜେଡିକୁ ଆସୁଛି। ସେ ହେଲେ ବ୍ରଜମୋହନ ନାୟକ। ତାଙ୍କର ତୃତୀୟ ମହଲା ସହ ସମ୍ପର୍କ ଥିବା କୁହାଯାଏ। ଏଣୁ ଯଦି ଦଳକୁ ଏହି ତୃତୀୟ ମହଲା ପ୍ରଭାବିତ କରିପାରିଲା ତେବେ ସେ ପ୍ରାର୍ଥୀ ହୋଇପାରନ୍ତି।

ବିଜେଡି ରାଜନୀତି

ବିଜେଡି ରାଜନୀତିରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ହୋଇଛନ୍ତି ଠାକୁରମୁଣ୍ଡା ବ୍ଲକ୍‌ ଚେୟାରମ୍ୟାନ୍‌ ପ୍ରଶାନ୍ତ କୁମାର ବେହେରା। ଏହା ସହ ପୂର୍ବତନ କଂଗ୍ରେସ ପ୍ରାର୍ଥୀ ବୈଦ୍ୟନାଥ ସିଂହ ମଧ୍ୟ ବିଜେଡି ଟିକେଟ୍‌କୁ ଆଖେଇଛନ୍ତି ବୋଲି ଚର୍ଚା ହେଉଛି।

ବିଜେପିର ପଟ କିଏ ଧରିବେ

ପ୍ରଶ୍ନ ହେଉଛି ବିଜେଡିର ପଟ କିଏ ଧରିବେ? ଉତ୍ତରରେ ୭୦ ପ୍ରତିଶତ ପକ୍ଷଧର ନାଁ ନେଇଛନ୍ତି ପଦ୍ମଚରଣ ହାଇବ୍ରୁଙ୍କର। ସେ ପୂର୍ବତନ ବିଧାୟକ। କିନ୍ତୁ ଗଲାଥର ତାଙ୍କୁ ବିଜେପି ଟିକେଟ୍‌ ଦେଇ ନଥିଲା। ସେ ସ୍ଵାଧୀନ ଲଢ଼ିଲେ ଆଉ ୨୪ ହଜାର ଭୋଟ୍‌ରୁ ଅଧିକ ଭୋଟ୍‌ ପାଇଲେ। ବିଜେପି ପ୍ରାର୍ଥୀ ପାଇଲେ ୨୫ ହଜାର ଭୋଟ୍‌। ଯଦି ସେ ପଆର୍ଥୀ ହୋଇଥାଆନ୍ତେ ତେବେ ଦଳ ଏକ ବିଧାୟକ ଆସନ ପାଇଥାଆନ୍ତା। କାରଣ ବିଜୟ ବିଜୟଙ୍କ ହାତରେ ମାତ୍ର ୩୮ ହଜାର ଭୋଟ୍‌ ଲାଗିଥିଲା। କିନ୍ତୁ ତାଙ୍କ ବିପକ୍ଷରେ ରାଜ୍ୟ ବିଜେପିରେ ଅନେକ ଅଭିଯୋଗ ଓ କନ୍ଦଳ ରହିଛି। ଏଣଉ ତାଙ୍କୁ ଟିକେଟ୍‌ ମିଳିପାରେ ବା ନମିଳି ବି ପାରେ। ଏହି ମୁହୁର୍ତ୍ତରେ ବିକଳ୍ପ ହେଉଛନ୍ତି ଜିଲ୍ଲଶ ପରିଷଦ ସଭ୍ୟ କମଳା ପୂର୍ତ୍ତି, ପୂର୍ବତନ ପ୍ରାର୍ଥୀ ଜ୍ୟୋତ୍ସ୍ନା ଭାନସିଂହ ଏବଂ ଜେଏମ୍ଏମ୍‌ ନେତା ବିପ୍ଲବ ସଙ୍ଖିଆଳ।

କଂଗ୍ରେସ ସ୍ଥିତି

ଏଠି କଂଗ୍ରେସ ସ୍ଥିତି କେମିତି ବୋଲଇ ପଚାରିବାରୁ ଉତ୍ତର ଅନେକ ନକରାତ୍ମକ ଆସିଥିଲା। କେହି କେହିୀ ଏ ବିଷୟ ନପଚାରିବାକୁ ବି କହିଥିଲେ। ତଥାପି ୫ ଥର ଜିଲ୍ଲା ସମିତି ସଭ୍ୟ, ଚେୟାର୍‌ମ୍ୟାନ୍‌ ଏବଂ ଉପାଧ୍ୟକ୍ଷା ଦାୟିତ୍ଵ ତୁଲାଇଥିବା ଜବାମଣି ଟୁଡୁଙ୍କ ନାଁ ରହିଛି ପ୍ରାର୍ଥୀ ତାଲିକାେରେ। ଜବାମଣି ଜଣେ ପରିଚିତ ନେତ୍ରୀ। କିନ୍ତୁ ସାରା ମଣ୍ଡଳୀରେ ତାଙ୍କ ନାଁ ସେମିତି ଶୁଣାଯାଏ ନାହିଁ। ଏଣୁ ଅନ୍ୟ ପ୍ରାର୍ଥୀ ବି ଦେଖିପାରେ।

Leave a Reply

Your email address will not be published. Required fields are marked *