ସହିଦଙ୍କ ପରିବାର ପାଇଁ ଓଡ଼ିଶା ଆଇପିଏସଙ୍କ ଦିନକର ଦରମା
ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ ହମ୍ଲାରେ ସହିଦ୍ହୋଇଥିବା ପରିବାରକୁ ସହାୟତା ପାଇଁ ହାତ ବଢ଼ାଇଛି ଓଡ଼ିଶା ଆଇପିଏସ ସଂଘ। ସହିଦଙ୍କ ପରିବାରକୁ ଦିନକର ଦରମା ଦେବାକୁ ନିଷ୍ପତ୍ତି ନେଇଛି ସଂଘ। ଏହି ଅର୍ଥ ସିଆରପିଏଫ ଡିଜିଙ୍କ କଲ୍ୟାଣ ପାଣ୍ଠିକୁ ପ୍ରଦାନ ପାଇଁ ଓଡ଼ିଶା ଆଇପିଏସ ସଂଘ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା। ୨୫୦୦ରୁ ଅଧିକ ଯବାନ ୭୦ଟି ବସ୍ରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା।
ଏହି ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଶାରୁ ସାମିଲ ଅଛନ୍ତି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ନାଉଁଗା ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲାର ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା।