ହେମାଙ୍କ କଂଗ୍ରେସ ଫେରିବା ରାସ୍ତାରେ କଣ୍ଟା ତାରା

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେଲେ ହେମାବତୀ ଗମାଙ୍ଗ। ଗିରିଧର ବିଧାନସଭାକୁ ନିର୍ବାଚିତ ହେବା ପରେ ହେମା ତାଙ୍କ ସ୍ଥାନରେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ଗିରିଧର ପୁଣି ଲୋକସଭାକୁ ଯିବା ପରେ ଲକ୍ଷ୍ମୀପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହେମା। ମୋଟାମୋଟି ଭାବେ ହେମାଙ୍କ ପରିଚୟ ଥିଲା ସେ ଜଣେ କଂଗ୍ରେସ ନେତ୍ରୀ।

୨୦୧୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ଶଙ୍ଖ ଧରିଥିଲେ। ତାଙ୍କୁ ବିଜୁ ଜନତା ଦଳ ଲକ୍ଷ୍ମୀପୁରରୁ ପ୍ରାର୍ଥୀ କରିଥିଲା। କିନ୍ତୁ ଏହି ଆସନରୁ ସେ କଂଗ୍ରେସର ଚନ୍ଦ୍ରଶେଖର କୁଲେସିକାଙ୍କଠାରୁ ହାରିଯାଇଥିଲେ। ଏହାପରେ ଆଉ ବିଜୁ ଜନତା ଦଳ ହେମାଙ୍କୁ ପଚାରି ନଥିଲା। ୨୦୧୮ ମସିହାରେ ହଠାତ୍ହେମା ବିଜୁ ଜନତା ଦଳର ସୁପର ସିଏମ୍ଭାବେ ପରିଚିତ ଭିକେ ପାଣ୍ଡିଆନ୍ଙ୍କୁ ଆକ୍ଷେପ କରିଥିଲେ। ସେ ଦଳକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ବିଜଦ ଛାଡ଼ି ଦେଇଥିଲେ।

ହେମା ବିଜେଡ଼ି ଛାଡ଼ିଲା ପରେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଥା ଉଠିଥିଲା । ସେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ବିଜେପିକୁ ପ୍ରଶଂସା କରିଥିଲେ, ତେବେ ଆନୁଷ୍ଠାନିକ ଭାବେ ହେମା ଯୋଗ ଦେଇନଥିଲେ। ଏହାର କାରଣ ହୋଇପାରେ ଯେ ତାଙ୍କ ସ୍ୱାମୀ ଗିରିଧର ଓ ପୁଅ ଶିଶିର ବିଜେପିରେ ଅଛନ୍ତି। ସେମାନଙ୍କ ସହ ହେମାଙ୍କ ସମ୍ପର୍କ ଅତ୍ୟନ୍ତ ତିକ୍ତ। ଏହି କାରଣରୁ ବିଜେପି ମଧ୍ୟ ହେମାଙ୍କୁ ନେବା ଲାଗି ବିଶେଷ ଆଗ୍ରହ ପ୍ରକାଶ କରିନଥିଲା।

ହଠାତ୍ହେମା କଂଗ୍ରେସକୁ ଫେରିବା ପାଇଁ ଆଗ୍ରହ ପ୍ରକାଶ କଲେ। ନିଜ ପୁରୁଣା ଦଳକୁ ଫେରିଯିବି ବୋଲି ଖୋଲାଖୋଲି ସଂକେତ ଦେଲେ। କିନ୍ତୁ ଏଥିରେ କେଁ ପୂରାଇ ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ତାରାଙ୍କ ସହ ହେମାଙ୍କର ସମ୍ପର୍କ ତିକ୍ତ। ତାରା ହେମାଙ୍କ ସମ୍ଭାବ୍ୟ କଂଗ୍ରେସ ଯୋଗଦାନକୁ ପ୍ରତିହତ କରିବା ପାଇଁ ଯେଉଁ ବୟାନ ଦେଇଛନ୍ତି ତାହା ହେମାଙ୍କୁ ଅଡୁଆରେ ପକାଇପାରେ। ତାଙ୍କ ଆଶା ମଉଳିଯିବ ବୋଲି ମନେକରାଯାଉଛି। ତାରା କହିଥିଲେ ଯେ ହେମା ଦଳ ଛାଡ଼ିଯିବା ପରେ ବି ଆମେ ଜିଣିଛୁ। ଯଦି ସେ ଆସିବାକୁ ଚାହୁଁଛନ୍ତି ଆସନ୍ତୁ। କିନ୍ତୁ ତାଙ୍କୁ କୌଣସି ପଦପଦବୀ ମିଳିବ ନାହିଁ। ଏମିତି ଅନେକ ଲୋକ ଆସନ୍ତି ଓ ଯାଆନ୍ତି। ଏଥିରୁ ତାରା ସଂକେତ ଦେଇଛନ୍ତି ଯେ ହେମା ଆସିଲେ ବି ତାଙ୍କୁ ଟିକଟ ମିଳିବ ନାହିଁ।

ଲକ୍ଷ୍ମୀପୁର ପାଇଁ ବିଧାୟକ କୁଲେସିକା ବଡ଼ ଦାବିଦାର ଅଛନ୍ତି। ଅବଶ୍ୟ ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ଯେ ହେମା ଯଦି ନିଜ ପୁରୁଣା ଦଳକୁ ଫେରିଆସିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କିଏ ମନା କରିବେ ନାହିଁ। କିନ୍ତୁ ବିନା ପଦପଦବୀରେ ହେମା କଂଗ୍ରେସକୁ ପୁଣି ଫେରିବେ ତ?

Leave a Reply

Your email address will not be published. Required fields are marked *