ବାବୁଙ୍କ ଅଫିସରେ ଯୌନ କେଳଙ୍କାରୀ: ଚ୍ୟାମ୍ବରରେ ଲାଗିବ ସିସିଟିଭି

ଚେନ୍ନାଇ: ଏଣିକି ବାବୁମାନଙ୍କ ଚ୍ୟାମ୍ବରରେ ସିସିଟିଭି କ୍ୟାମେରା ଲାଗିବ। କିଏ ଆସିଲା ଓ କିଏ ଗଲା ଆଉ ବାବୁ ତାକୁ କେମିତି ବ୍ୟବହାର କଲେ ତାହାର ରେକର୍ଡ଼ ହେବ। ଏନେଇ ମାଡ୍ରାସ୍‌ ହାଇକୋର୍ଟ ତାମିଲ୍‌ନାଡ଼ୁ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। କହିଛନ୍ତି ଯଦି କ୍ଲବ୍‌, ଶପିଂ ମଲ୍‌ ତଥା ସାଧାରଣ ସ୍ଥାନଗୁଡ଼ିକରେ ଲୋକଙ୍କ ଦୁର୍ବବ୍ୟବହାର ରୋକିବା ଲାଗି ସିସିଟିଭି ଲଗାଯାଉଛି ତେବେ କାର୍ଯ୍ୟାଳୟ ଭିତରେ ସେମାନଙ୍କ କାରନାମା ଜାଣିବା ପାଇଁ କାହିଁକି ନୁହେଁ?

ନିଜ ଭିତରୁ ଆଗ ସଂସ୍କାର ଆରମ୍ଭ କରିବା ପାଇଁ ଗାନ୍ଧିଜୀ ଯେଉଁ ଆହ୍ବାନ ଦେଇଥିଲେ ତାହାକୁ ପାଳନ କରିବାକୁ ଜଜ୍‌ ଜଣକ କହିଛନ୍ତି। ଏହାବାଦ୍‌ ମାଡ୍ରାସ୍‌ ହାଇକୋର୍ଟଙ୍କୁ ଆଗ ନିଜ ଚ୍ୟାମ୍ବରରେ ସିସିଟିଭି ଲଗାଇବାକୁ କହିଛନ୍ତି ଜଷ୍ଟିସ୍‌ ଏସ୍‌ଏମ୍‌ ସୁବ୍ରମଣିୟମ୍‌।

ଘଟଣାଟି ଏହିପରି: ଜଣେ ମହିଳା ପୁଲିସ ଅଧୀକ୍ଷକ ତାଙ୍କ ଉପରିସ୍ଥ ପୁରୁଷ ଆଇଜିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ପୁରୁଷ ଅଧିକାୀ ଜଣକ ଭିଜିଲାନ୍ସ ତଥା ଦୁର୍ନୀତି ନିବାରଣ ବିଭାଗର ଆଇଜି ଭାବେ କାର୍ଯ୍ୟ କରୁଛନ୍ତି। ଅଭିଯୋଗ ହେଉଛି ମହିଳା ଏସ୍‌ପି ମହାଶୟା ଯେତେବେଳେ କୌଣସି କାମ ପାଇଁ ପୁରୁଷ ଆଇଜିଙ୍କ ଚ୍ୟାମ୍ବରକୁ ଯାଇଛନ୍ତି ସେତେବେଳେ ତାଙ୍କ ଚ୍ୟାମ୍ବରରେ ମହିଳା ଜରକ ଯୌନ ନିର୍ଯାତନା ସମ୍ମୁଖୀନ ହୋଇଛନ୍ତି। ପୁଣି ଏହା ବିରୋଧରେ ସେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ମଧ୍ୟ ଅଭିଯୋଗ ଦାଖଲ କରିଛନ୍ତି ଯେଉଁଠାରେ ମହିଳା ଜଣକ ଅଧ୍ୟକ୍ଷ ରହିଛନ୍ତି।

ଏପରି ଏକ ମାମଲାର ବିଚାର ଚାଲୁଥିବାବେଳେ କୋର୍ଟରୁମ୍‌ରେ ଅନେକ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଓକିଲ ଭରପୁର ଥିଲେ। କିଛଇ ସମୟ ବିରତି ନେଇ ଜଷ୍ଟିସ୍‌ ସୁବ୍ରମଣିୟମ୍‌ ନିଜର ରାୟ ପ୍ରକାଶ କରି ତୁରନ୍ତ ପ୍ରତିଟି ଅଧିକାରୀଙ୍କ ପ୍ରକୋଷ୍ଠରେ ସିସିଟିଭି ଲଗାଇବାକୁ କହିଛନ୍ତି। ଏହି ପ୍ରକାର ବ୍ୟବସ୍ଥା ଯୌନ ନିର୍ଯାତନା ଭଳି ଅଭିଯୋଗକୁ ରୋକିବାରେ ସହାୟକ ହେବ ବୋଲି ଜଷ୍ଟିସ୍‌ ଆଶା ପ୍ରକାଶ କରିଛନ୍ତି।

ଖାଲି ସେତିକି ନୁହେଁ, ପୁଲିସବାବୁଙ୍କ ଭିତରେ ଚାଲିଥିବା ଏହି ଅଭିଯୋଗରେ ସାଧାରଣ ବ୍ୟରୋକ୍ରାଟ୍‌ଙ୍କୁ ବି ସାମିଲ୍‌ କରାଯାଇଛି। ସଚିବାଳୟର ସବୁ ସଚିବ ଓ ବାବୁଙ୍କ ଚାମ୍ବରରେ ସିସିଟିଭି ଲଗାଇ ଯୌନ ଶୋଷଣ ଅଭିଯୋଗକୁ ହ୍ରାସ କରିବା ଲକ୍ଷ୍ୟ ରଖାଯାଇଛି।

ସୌ: ଦି’ ହିନ୍ଦୁ

Leave a Reply

Your email address will not be published. Required fields are marked *