ସବୁ ବ୍ଲକ୍‌ରେ ରେଡିଓ କେନ୍ଦ୍ର ପାଇଁ ଉଦ୍ୟମ

ଭୁବନେଶ୍ୱର, (ଓଟି): ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଗୋଷ୍ଠୀ ବେତାର କେନ୍ଦ୍ର (କମ୍ୟୁନିଟି ରେଡିଓ ଷ୍ଟେସନ୍‌) ସ୍ଥାପନ ଲକ୍ଷ୍ୟରେ ‘ମିଶନ ସିଆର୩୧୪’ ଆରମ୍ଭ ହୋଇଛି। ବିଶ୍ଵ ବେତାର ଦିବସ ଅବସରରେ ଆୟୋଜିତ କମ୍ୟୁନିଟି ରେଡିିଓ ସଂଘର ଜାତୀୟସ୍ତର ସମ୍ମେଳନ ଅବସରରେ ଏହି ମିଶନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଏହା ସହ ରାଜ୍ୟର ୧୦ଟି ଜିଲ୍ଲାରେ କିଶୋର ଓ ଯୁବ ସଶକ୍ତିକରଣ ପାଇଁ ଏକ ରାଜ୍ୟ ସ୍ତରୀୟ ଅଭିଯାନର ଶୁଭାରମ୍ଭ ହୋଇଛି ।

ଭୁବନେଶ୍ୱରସ୍ଥ ଇମେଜ ସମ୍ମେଳନ କକ୍ଷରେ ଆୟୋଜିତ ଏହି ଦ୍ୱିଦିବସୀୟ ଜାତୀୟ ଗୋଷ୍ଠୀ ବେତାର ସମ୍ମେଳନରେ ଦେଶର ବିଭିନ୍ନ ରାଜ୍ୟରୁ ୧୦୦ରୁ ଅଧିକ ଗୋଷ୍ଠୀ ବେତାର କର୍ମୀ ଏହି ସମ୍ମେଳନରେ ଯୋଗ ଦେଇଛନ୍ତି । ସମ୍ମେଳନର ଉଦଘାଟନୀ ଉତ୍ସବରେ ଏହି ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସୈାରଭ ଗର୍ଗ ଓଡିଶାରେ ଦିନକୁ ଦିନ ଗୋଷ୍ଠୀ ବେତାର କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଏଗୁଡିକର ସକରାତ୍ମକ ବ୍ୟବହାର ନିମନ୍ତେ ଯତ୍ନବାନ ଅଛନ୍ତି ବୋଲି କହିଥିଲେ । ସେ ମିଶନ ସିଆର୩୧୪ ଅଭିଯାନର ପ୍ରଶଂସା କରିବା ସହ ଏହା ସମୟୋପଯୋଗୀ ବୋଲି ମତ ରଖିଥିଲେ।

ଏହି ଅବସରରେ ଅନ୍ୟତମ ଅତିଥି ୟୁନିସେଫର ରାଜ୍ୟ ଅଧିକାରୀ ସୈାରଭ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ସମୟରେ ଗୋଷ୍ଠୀ ବେତାର କେନ୍ଦ୍ର ଗୁଡିକର ଆବଶ୍ୟକ ଓ ଗ୍ରହଣୀୟତା ପ୍ରସଙ୍ଗରେ ସଂପର୍କରେ ନିଜର ମତ ରଖି ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ୧୦ଟି ଜିଲ୍ଲାରେ କିଶୋର ଓ ଯୁବ ସଶକ୍ତିକରଣ ପାଇଁ ୧୫ଟି ଗୋଷ୍ଠୀ ବେତାର କେନ୍ଦ୍ର ସହ ଏକ ଅଭିଯାନ ଚଳାଇରଖିବ ବୋଲି ମତବ୍ୟକ୍ତ କରିଥିଲେ । ଗୋଷ୍ଠୀ ବେତାର ମହାସଂଘର ରାଜ୍ୟ ସଭାପତି ଶିଶିର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନି ଉତ୍ସବରେ ମହାସଂଘର ଜାତୀୟ ସଭାପତି ତଥା ବରିଷ୍ଠ ଗଣ ମାଧ୍ୟମ ବିଶେଷଜ୍ଞ ଏନ୍.ଏ. ଶାହଃ ଅନସାରୀ ଦେଶରେ ଗୋଷ୍ଠୀ ବେତାର କେନ୍ଦ୍ର ଗୁଡିକର ସ୍ଥିତି ଓ ସମାଜ ପରିବର୍ତ୍ତନରେ ସେମାନଙ୍କ ଭୁମିକା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଆଗାମୀ ଦିନରେ ଓଡିଶା ଗୋଷ୍ଠୀ ଗଣମାଧ୍ୟମର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି ବୋଲି କହିଥିଲେ । ସଂଘର ରାଜ୍ୟ ସଂପାଦକ ମହମ୍ମଦ ନିୟାଜ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସହରୀ ବିସ୍ଥାପନର ସମସ୍ୟା ଓ ପ୍ରତ୍ୟାଶାରେ ଗୋଷ୍ଠୀ ବେତାର କେନ୍ଦ୍ରର ଭୁମିକା ଏବଂ ସମାଜ ପରିବର୍ତ୍ତନରେ ଗୋଷ୍ଠୀ ବେତାର କେନ୍ଦ୍ରର ଭୁମିକା ସଂପର୍କରେ ଭିନ୍ନ ଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *