ଚିଲିକା ଘେରିମୁକ୍ତ ଆନ୍ଦୋଳନର ମଙ୍ଗୁଆଳଙ୍କ ପରଲୋକ
ଭୁବନେଶ୍ଵର, (ଓଟି): ଏକଦା ଆଇନ ହାତକୁ ନେଇ ଚିଲିକାକୁ ଘେରିମୁକ୍ତ କରିବା ଲାଗି ପଣ କରିଥିବା ଚିଲିକା ମତ୍ସ୍ୟଜୀବୀ ମହାସଙ୍ଘର ନେତା ରଘୁନାଥ ବାଲା ଓରଫ୍ ଲଡ଼ୁ ବାଲାଙ୍କ ପରଲୋକ ହୋଇଛି। ଫେବୃୟାରୀ ୬ ତାରିଖରେ ତାଙ୍କ ମୃତ୍ୟୁ ଘଟିଛି। ସାମାଜିକ ଆନ୍ଦୋଳନର ସୂତ୍ରଧର ରଘୁନାଥଙ୍କ ପରୋଲାକରେ ମାନବାଧିକାର ଓ ସାମାଜିକ ନ୍ୟାୟ ପାଇଁ ଅବିରତ ସଂଗ୍ରାମ ଜାରି ରଖିଥିବା ଲୋକେ ମର୍ମାହତ ହୋଇଛନ୍ତି।
ଚିଲିକା ଜଳରାଶିର ବିଭିନ୍ନ ସ୍ଥାନରେ ଘେରି ବାନ୍ଧି ମାଫିଆ ରାଜ୍ ଚଳାଉଥିବା ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ବିରୋଧରେ ରଘୁନାଥ ଓ ଅନ୍ୟମାନେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥାନୀୟ ଲୋକେ ତାଙ୍କ ଡାକରାକୁ ସମର୍ଥନ ଜଣାଇବାରୁ ଆନ୍ଦୋଳନ ସଂଗଠିତ ହୋଇଥିଲା। ଘେରି ଦ୍ଵାରା ଚିଲିକାର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ସାମୁଦ୍ରିକ ଜୈବ ବିବଧତା ନଷ୍ଟ ହେଉଥିବା ସେ ଅନୁଭବ କରି ଏଥିପାଇଁ ଯୁକ୍ତି ବାଢ଼ିଥିଲେ। ଫଳରେ ଏହି ମାଫିଆ ରାଜ୍ ଓ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଥିଲା।
୧୯୯୯ ମସିହାରେ ରଘୁନାଥ ପ୍ରଥମେ ଆନ୍ଦୋଳନ ଘୋଷଣା କର ବା ସହ ମେ ମାସ ୨୭ ତାରିଖ ସୁଦ୍ଧା ଚିଲିକାର ପରିବେଶକୁ ଘେରିମୁକ୍କତ କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ। ହେଲେ ଏହାକୁ ସରକାର ଗ୍ରହଣ ନକରିବାରୁ ଖୋଦ୍ ସ୍ଥାନୀୟ ଲୋକଙ୍କ ସହ ମିଶି ଆନ୍ଦୋଳନ ଡାକରା ଦେଇଥିଲେ। ମେ ମାସ ୨୮ ତାରିଖରେ ଘେରି ଭଙ୍ଗା ହୋଇଥିଲା। ଯାହାଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆଉ ଏହି ଉତ୍ତେଜନାକୁ ଶାନ୍ତ କରିବା ପାଇଁ ପୁଲିସ ଯେଉଁ ଗୁଳି ଚାଳନା କରିଥିଲା ସେଥିରେ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାର କିଛି ଦିନପରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ପିକେ ତ୍ରିପାଠି ତଦନ୍ତ କମିଶନ ଆଗରେ ନିଜର ଦୋଷ ସ୍ଵୀକାର କାରି ଏହା ଦେଶ ପାଇଁ ଆବଶ୍ୟକ ଥିଲା ବୋଲି ସେ କହିଥିଲେ। ଏଣୁ ସେ ଦୋଷ କରି ନାହାନ୍ତି ବରଂ ମୌଳିକ କର୍ତ୍ତବ୍ୟ ପାଳନ କରିଛନ୍ତି ବୋଲି କହିଥିଲେ।
ରଘୁନାଥଙ୍କ ଏହି କର୍ତ୍ତବ୍ୟ ଏବେ ଚିଲିକାକୁ ଘେରିମୁକ୍ତ କରିପାରିଛି।