ପଞ୍ଚଦଶ ବିଧାନସଭା ଶେଷ
ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଆଜି ସମାପ୍ତ ହୋଇଛି । ଧାର୍ଯ୍ୟ ସମୟର ଦୁଇଟି କାର୍ଯ୍ୟଦିବସ ପୂର୍ବରୁ ଅଧିବେଶନ ଶେଷ ହୋଇଥିବାବେଳେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ।
ଚଳିତମାସ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନଟି ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଥିବାବେଳେ ଲେଖାନୁଦାନ ପାରିତ ପରେ ଆଜି ଅଧିବେଶନ ସରିଛି । ଏହି ଅଧିବେଶନ କାଳରେ ୨୦୧୯-୨୦ ଆର୍ଥବର୍ଷର ପ୍ରଥମ ୪ମାସ ପାଇଁ ୫୬,୯୨୧ କୋଟି ଟଙ୍କାର ଲେଖାନୁଦାନ ଗୃହର ଅନୁମୋଦନ ଲାଭ କରିଛି ।
ସେହିଭଳି ଏହି ୫ଦିନିଆ ଅଧିବେଶନରେ ୨୬୦ ଟି ତାରକା ପ୍ରଶ୍ନ ଆସିଥିବାବେଳେ ୪୦୭ଟି ଅଣତାରକା ପ୍ରଶ୍ନ ବିଧାୟକମାନେ ପଚାରିଥିଲେ । ଗୃହରେ ୪୩୭ଟି ଅଣତାରକା ପ୍ରଶ୍ନର ଉତ୍ତର ଦିଆଯାଇଥିବାବେଳେ ମନ୍ତ୍ରୀମାନେ ୩ଟି ତାରକା ପ୍ରଶ୍ନର ଉତ୍ତର ରଖିଥିଲେ ।
ଅଧିବେଶନ କାଳରେ ୧୫ଟି କାଗଜ ଉପସ୍ଥାପନ ହୋଇଥିବାବେଳେ ୧୪ଟି ବାର୍ଷିକ ରିପୋର୍ଟ, ୮ଟି କମିଟି ରିପୋର୍ଟ ଆସିଥିଲା । ସେହିଭଳି ଗୋଟିଏ ସରକାରୀ ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା ।
ଏହି ଅଧିବେଶନ କାଳରେ ୧୦ଜଣଙ୍କ ପାଇଁ ଶୋକପ୍ରସ୍ତାବ ଆଗତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୯ଜଣ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଥିଲେ । ଅଧିବେଶନ ଚାଲିଥିବା ସମୟରେ ତିନିଜଣ ସଦସ୍ୟ ମୃତ୍ୟୁବରଣ କରିଥିଲେ ।
୫ଦିନିଆ ଅଧିବେଶନ କାଳରେ ଚିଟ୍ଫଣ୍ଡ, ଚାଷୀ, ବେକାରୀ ଆଦି ପ୍ରସଙ୍ଗରେ ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ କୌଣସି ଦିନ ପ୍ରଶ୍ନକାଳ ଚାଲିପାରିନଥିଲା । ଶେଷ ଦିବସରେ ଶୂନ୍ୟକାଳ କିଛି ସମୟ ପାଇଁ ଚାଲିଥିଲା। ଶୂନ୍ୟକାଳରେ ସାମ୍ବାଦିକ ବିଭିନ୍ନ ଦାବି ଉପରେ ସଦସ୍ୟମାନେ ଆଲୋଚନା କରିଥିଲେ ।
ଅଧିବେଶନର ଶେଷ ଦିନରେ ଉପସ୍ଥିତ ବିଧାୟକମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରଦୀପ ଅମାତ, ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ ସହିତ ବିଧାନସଭା ପ୍ରାଙ୍ଗଣରେ ଫଟୋ ଉଠାଇଥିଲେ ।