‘ହାଓଜ୍ ଦ ଯୋଶ୍’ ପଛର କାହାଣୀ
ଚଳିତବର୍ଷର ପ୍ରଥମ ବ୍ଲକବଷ୍ଟର୍ ଫିଲ୍ମ ‘ଉରି’ ଜାନୁୟାରୀ ୧୧ ତାରିଖରେ ମୁକ୍ତିଲାଭ କରିଥିଲା । ୨୦୦କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ କରିଥିବା ଏହି ଫିଲ୍ମର ଏକ ସଂଳାପ ‘ହାଓଜ୍ ଦ ଯୋଶ୍’ ଏବେ ସମ୍ପୂର୍ଣ୍ଣ ଭାରତରେ ଲୋକପ୍ରିୟ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂଳାପରେ ପ୍ରଭାବିତ ହୋଇଥିବାବେଳେ ଚଳିତ ବଜେଟ୍ ଅଧିବେଶନରେ ଏହି ସଂଳାପକୁ ୫ଥର ଦୋହରା ଯାଇଥିଲା ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ଆବାଳବୃଦ୍ଧ ବନୀତା, ସମସ୍ତଙ୍କ ମୁହଁରେ ଏବେ କେବଳ ଗୋଟିଏ କଥା – ‘ହାଓଜ୍ ଦ ଯୋଶ୍’ ।
ଫିଲ୍ମର ନାୟକ ବିକି କୌଶଲଙ୍କ ଏହି ଦମ୍ଦାର୍ ସଂଳାପର ପଛରେ ଥିବା ଏକ କାହାଣୀ ଉପରୁ ପର୍ଦ୍ଦା ଉଠିଛି । ‘ଉରି’ରେ ଏହି ସଂଳାପ କିଭଳି ଓ କାହିଁକି ରଖାଗଲା ଏବଂ ଏହି ଆଇଡିଆ କିଭଳି ଆସିଲା, ସେ ସମ୍ପର୍କରେ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧର୍ ବିସ୍ତୃତ ଭାବେ କହିଛନ୍ତି । ଆଦିତ୍ୟ କହିଛନ୍ତି ଯେ – ଏହି ସଂଳାପ ସହିତ ତାଙ୍କର ପିଲାଦିନର ଏକ ସ୍ମୃତି ଜଡ଼ିତ ହୋଇ ରହିଛି । ପିଲାଦିନେ ତାଙ୍କର କେତେଜଣ ସାଙ୍ଗ ଡିଫେନ୍ସ ବ୍ୟାକ୍ଗ୍ରାଉଣ୍ଡ୍ର ଥିଲେ । ଆଦିତ୍ୟ ଅନେକଥର ତାଙ୍କ ସାଙ୍ଗମାନଙ୍କ ସହିତ ଆର୍ମିକ୍ଲବ୍ ଯାଉଥିଲେ ।
ସେଠାରେ ଭାରତୀୟ ସେନାର ଜଣେ ବ୍ରିଗେଡିୟର୍ ସବୁ ପିଲାମାନଙ୍କୁ ଲାଇନ୍ରେ ଠିଆ କରାଇ ‘ ହାଓଜ୍ ଦ ଯୋଶ୍’ କହିବା ପାଇଁ କହୁଥିଲେ । ଆଉ ଯିଏ ଏହାକୁ ଅଧିକ ଜୋର୍ ପାଟିରେ କହିବ, ତାଙ୍କୁ ଚକୋଲେଟ୍ ଦିଆଯାଉଥିଲା । ଏଥିରେ ଆଦିତ୍ୟ ବଡ଼ ପାଟିରେ ସଂଳାପ କହି ସବୁବେଳେ ଚକୋଲେଟ୍ ନେଉଥିଲେ । ଯେତେବେଳେ ଉରି ଫିଲ୍ମର ସଂଳାପ ଲେଖା ଯାଉଥିଲା, ସେତେବେଳେ ଏହି ସଂଳାପକୁ ସେ ଫିଲ୍ମର ଦୃଶ୍ୟରେ ରଖିବେ ବୋଲି ସ୍ଥିର କରିଥିଲେ । ଆଦିତ୍ୟଙ୍କ ଏହି ଆଇଡିଆ ଓ ପିଲାଦିନର ସ୍ମୃତି ‘ଉରି’ ମାଧ୍ୟମରେ ଜନମାନସରେ ସବୁଦିନ ପାଇଁ ଏକ ଅଲିଭା ସ୍ୱାକ୍ଷର ଭାବେ ରହିଥିବ ।