ଖେଳର ନାମ ରାଜନୀତି; ମଇଦାନ ଓଡ଼ିଶା

ଏବେ ରାଜ୍ୟରେ ରାଜନୀତି ଖେଳ ପ୍ରତିଯୋଗୀତା ଜୋରଦାର ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗୀତାରେ କଂଗ୍ରେସ, ବିଜେପି, ବିଜେଡ଼ି ସବୁଠାରୁ ଆଗରେ ଅଛନ୍ତି। ନିଜ ନିଜ ଟିମର ମନୋବଳ ବୃଦ୍ଧି କରିବା ପାଇଁ ବରିଷ୍ଠ ଖେଳାଳୀମାନେ ବାରମ୍ୱାର ଓଡ଼ିଶା ଆସୁଥିବା ପରିଲକ୍ଷିତ ହେଉଛି। ଏମାନଙ୍କ ମଧ୍ୟରେ କଂଗ୍ରେସର ନେତା ରାହୁଲ ଗାନ୍ଧି, ବିଜେପିର ନରେନ୍ଦ୍ର ମୋଦୀ, ଅମିତ୍ ଶାହା, ନୀତିନ ଗଡ଼କରୀ ପ୍ରମୁଖ ଅଛନ୍ତି। ଏହି ନେତାମାନେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରିବା ପାଇଁ ପ୍ରୟାସ କରୁଛନ୍ତି।

ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଓଡିଶାକୁ ଜାତୀୟ ଦଳର ରାଜନେତାମାନେ ଘନ ଘନ ଗସ୍ତ କରୁଛନ୍ତି । ଦୀର୍ଘ ୧୯ ବର୍ଷ ଧରି କ୍ଷମତାରେ ଥିବା ନବୀନ ସରକାରଙ୍କୁ ଘେରିବା ପାଇଁ ସମସ୍ତେ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ୨୦ ଦିନ ମଧ୍ୟରେ ଲଗାତାର ତିନିଥର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ତାପରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଦୁଇ ଥର ଓଡିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆସନ୍ତା ୧୫ରେ ସେ ପୁଣି ସମ୍ବଲପୁର ଗସ୍ତରେ ଆସୁଛନ୍ତି ।

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୨୫ରେ ଓଡିଶା ଗସ୍ତରେ ଆସ ତମାଣ୍ଡୋରେ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ । ଆସନ୍ତାକାଲି ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ । ଭବାନୀପାଟନା ଓ ରାଉରକେଲାରେ ସେ ଦୁଇଟି ଜନସଭାରେ ଉଦବୋଧନ ଦେବେ । ୯ ବର୍ଷ ପରେ ରାହୁଲ ଗାନ୍ଧି କେବିକେ ଅଞ୍ଚଳକୁ ଆସୁଥିବାରୁ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ସମାବେଶରେ ପଶ୍ଚିମ ଓଡିଶାର ୯ଟି ଜିଲ୍ଲାର କଂଗ୍ରେସକର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀତିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ‘ମନ କି ବାତ, ମୋଦି କି ସାଥ’କାର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରୀ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବେ।

ଗୋଟିଏ ଦିନରେ ତିନି ତିନୋଟି ରାଜନୈତିକ କାର୍ଯ୍ୟକ୍ରମର ସମ୍ଭାବ୍ୟ ରାଜନୈତିକ ପ୍ରଭାବ ନେଇ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ତାରା ପ୍ରସାଦ ବାହୀନପତି କହିଛନ୍ତି ଯେ ଆସନ୍ତାକାଲି କଂଗ୍ରେସ ସଭାପତି ଆସୁଛନ୍ତି। ଆମ କାର୍ଯ୍ୟକ୍ରମକୁ ଦେଖି ବିଜେଡି ପୂର୍ବ ଥର ଭଳି ଏଥର ମଧ୍ୟ କାର୍ଯ୍ୟକ୍ରମ କରୁଛି। ଏହାର କିନ୍ତୁ କୈଣସି ପ୍ରଭାବ ପଡିବ ନାହିଁ, ଲୋକେ ବିଜେପି-ବିଜେଡି ଭିତିରି ସମ୍ପର୍କ କଥା ଜାଣିଛନ୍ତି। ଏହାର ଜବାବ ରଖିଛନ୍ତି ଉଭୟ ବିଜେପି ଓ ବିଜେଡି। ବିଜେପି ନେତା ପ୍ରଦିପ ପୁରୋହିତ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହିଁ ସରକାର ଗଢିବ। କଂଗ୍ରେସର ଗୋଟିଏ ପରେ ଗୋଟିଏ ନେତା ବିଜେଡି ମିଶି ଯାଉଛନ୍ତି। କଂଗ୍ରେସ ଆଗାମୀ ଦିନରେ ରାଜନୀତିରୁ ବିଲୁପ୍ତ ହୋଇଯିବ। ତେଣୁ ସିଧାସଳଖ ଲଢେଇ ବିଜେପି ଓ ବିଜେଡି ମଧ୍ୟରେ ହେବ। ଆଉ ବିଜେଡିର ୧୯ ବର୍ଷର ବିଫଳ ସରକାରକୁ ଲୋକେ ଏଥର ଜବାବ ଦେବେ। ବିଜେପିର ମିଶନ ୧୨୦କୁ ବିଜେଡି ଓ କଂଗ୍ରେସ କେହି ଅଟକାଇ ପାରିବେ ନାହିଁ।

କଂଗ୍ରେସ ଓ ବିଜେପିର ଏଭଳି ଦାବିର ଜାବବ ରଖିଛନ୍ତି ବିଜେଡି ବିଧାୟକ ତଥା ମୁଖପାତ୍ର ପୁଷ୍ପେନ୍ଦ୍ର ସିଂଦେଓ। ସେ କହିଛନ୍ତି ଯେ ନିର୍ବାଚନ ବର୍ଷ ଥିବାରୁ ବିଭିନ୍ନ ଦଳ ନିଜର କାର୍ଯ୍ୟକ୍ରମ କରିବେ। ରାହୁଲ ଗାନ୍ଧୀଙ୍କ କଳାହାଣ୍ଡି ଗସ୍ତ ଜିଲ୍ଲା ରାଜନୀତିକୁ କୌଣସି ଭାବେ ପ୍ରଭାବିତ କରିପାରିବ ନାହିଁ। ଲୋକେ ଜାଣିଛନ୍ତି ତାଙ୍କ ପାଇଁ କିଏ ବିକାଶ କରୁଛନ୍ତି। ଆଗାମୀ ଦିନରେ ବିଜୁ ଜନତା ଦଳ ଶାଶନ କ୍ଷମତାକୁ ଆସିବ, ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published.