ମୋଦିଙ୍କ ‘ଅଶ୍ୱମେଧ ଘୋଡ଼ା’ ଏବେ ମମତାଙ୍କ କବଜାରେ : ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ
ମମତା ବାନାର୍ଜୀଙ୍କ ସ୍ୱଭାବ ସମ୍ପର୍କରେ ସମସ୍ତେ ଜାଣନ୍ତି। ସେ କୌଣସି କାମର ପରିଣାମକୁ ଚିନ୍ତା କରନ୍ତି ନାହିଁ। ଯଦି ସେ ପରିଣାମକୁ ଖାତିର କରିଥାନ୍ତେ ତେବେ ପଶ୍ଚିମବଙ୍ଗ ଲାଲ ରାଜନୀତିରୁ ସବୁଜରେ ପରିଣତ ହୋଇନଥାନ୍ତା। ଦିଦି ପୁଣି ଥରେ ନିଜର ପୁରୁଣା ସ୍ୱଭାବ ପ୍ରକାଶ କରି ବିଜେପିର ଅଶ୍ୱମେଧ ଘୋଡ଼ା ‘ସିବିଆଇ’କୁ କବଜା କରିନେଇଛନ୍ତି। ବିଜେପି ସିବିଆଇ ମାଧ୍ୟମରେ ବିରୋଧି ଦଳଗୁଡ଼ିକୁ କାବୁ କରିବା ପାଇଁ ଅପଚେଷ୍ଠା କରୁଛି ବୋଲି ସବୁବେଳେ ଅଭିଯୋଗ ହେଉଛି। ମମତାଙ୍କ ଦ୍ୱାରା ଘୋଡ଼ା ରୂପକ ସିବିଆଇ ବନ୍ଧା ହେବା ପରେ ଏବେ ଯୁଦ୍ଧ ଏକମାତ୍ର ବିକଳ୍ପ ହୋଇଯାଇଛି। ଏହା କୌଣସି ଅଚାନକ ଘଟରା ନୁହେଁ। ଏପରି ହେବ ବୋଲି ବହୁ ଆଗରୁ ଜଣାପଡ଼ୁଥିଲା।
କ’ଣ ହେବ ଆନ୍ଦୋଳନର ଭବିଷ୍ୟତ?

ସିବିଆଇ କୋଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ଜେରା ପାଇଁ ଯିବାରୁ ମମତାଙ୍କ ପୁଲିସ୍ ସେମାନଙ୍କୁ ଗିରଫ କରିଛନ୍ତି। ସିବିଆଇ ବିରୋଧରେ ମମତା ଗତ ୩ତାରିଖ ରାତିରୁ ଧାରଣାରେ ବସିବା ପରେ ଦେଶର ରାଜନୀତି ସରଗରମ ହୋଇଛି। ଶାରଦା ଚିଟଫଣ୍ଡ ମାମଲାରେ କୋଲକାତା ପୁଲିସ୍ କମିଶନର ରାଜୀବ କୁମାର ସିବିଆଇ ଜେରାର ସମ୍ମୁଖୀନ ହେବେ ବୋଲି ଆଜି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିସାରିଲେଣି।
ସିବିଆଇ ପାଇଁ ମମତା ବାନାର୍ଜୀ ପୂର୍ବରୁ ପଶ୍ଚିମବଙ୍ଗର ଗେଟ ବନ୍ଦ କରିଦେଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ସିବିଆଇକୁ ଆଳ କରି ଧାରଣା ମାଧ୍ୟମରେ ଅନେକ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ମମତାଙ୍କ ଏପରି ପଦକ୍ଷେପର କ’ଣ ପରିଣାମ ହେବ। କାରଣ ସୁପ୍ରିମକୋର୍ଟ ଶାରଦା ଚିଟଫଣ୍ଡ ମାମଲାରେ ମମତାଙ୍କୁ ସହାୟକ ହୋଇନାହାନ୍ତି। ମମତା ନିଜ ପୁଲିସ୍ ଦ୍ୱାରା ସିବିଆଇ ଅଧିକାରୀଙ୍କୁ ଯେପରି କବଜାକୁ ନେଲେ ଏହାଦ୍ୱାରା ତାଙ୍କ କ୍ଷତି ହୋଇପାରେ ବୋଲି ଅନେକ ଆଶଙ୍କ ପ୍ରକାଶ କରୁଥିଲାବେଳେ ଆଉ କେତେକ ଏହାକୁ ପ୍ରଂଶନୟସନୀୟ କାମ ବୋଲି କହୁଛନ୍ତି।
ମହାମେଣ୍ଟର ନେତା ହୋଇପାରନ୍ତି ମମତା

ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ଟିଏମସି ପାଖରେ ୩୪ଟି ରହିଛି। ବିଜେପି, କଂଗ୍ରେସ, ଏଆଇଏଡ଼ିଏମକେ ପରେ ମମତାଙ୍କ ଟିଏମସି ୪ର୍ଥ ବଡ଼ ଦଳଭାବେ ଲୋକସଭାରେ ରହିଛି। ସିବିଆଇ ବିରୋଧରେ ମମତା ଯେଉଁ ଯୁଦ୍ଧ ଆରମ୍ଭ କରିଛନ୍ତି ସେଥିରେ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଉଦ୍ୟମ କରିଛନ୍ତି। ବିଜେପି ବିରୋଧରେ ଯୁଦ୍ଧ ଘୋଷଣା କରି ମମତା ବିରୋଧି ମହାମେଣ୍ଟର ନେତା ହେବାକୁ ଚେଷ୍ଠା କରିଛନ୍ତି। ଅର୍ଥାତ୍ ମମତା ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମକକ୍ଷ ବୋଲି ପ୍ରତିପାଦିତ କରିବାକୁ ଚେଷ୍ଠା କରିଛନ୍ତି।
ରାଜନୀତି ବିଷାରଦଙ୍କ ମତରେ ମମତା ଏହି ପଦକ୍ଷେପ ବହୁ ଚିନ୍ତା କରି ଉଠାଇଛନ୍ତି। ଏହି ଲଢ଼େଇରେ ପଶ୍ଚିମବଙ୍ଗ ସରକାର ବରଖାସ୍ତ ହେଲେ ବି ମମତାଙ୍କ ପାଇଁ ବରଦାନରେ ପରିଣତ ହେବ। ଏହାକୁ ମମତା ଲୋକମାନଙ୍କ ପାଖକୁ ନେଇ ନିର୍ବାଚନରେ ପୁଣି ଥରେ ବିଜୟୀ ହେବେ। ଏହାକୁ ନେଇ ମମତା ଆଗାମୀ ଲୋକସଭା ନିର୍ବାଚନରେ ପ୍ରସଙ୍ଗ କରିବେ। ବିଜେପି ଷଡ଼ଯନ୍ତ୍ର କରି ନିର୍ବାଚିତ ସରକାରକୁ ଭାଙ୍ଗିଛି ବୋଲି ମମତା ମତଦାତାଙ୍କୁ କହି ପୁଣି ସମର୍ଥନ ହାସଲ କରିବାର ପ୍ରୟାସ କରିବେ।
ମହାଙ୍ଗା ବି ହୋଇପାରେ

ମମତା ପାଇଁ ସିବିଆଇ ବିରୋଧି ଆନ୍ଦୋଳନ ମହାଙ୍ଗା ବି ସାବସ୍ତ୍ୟ ହୋଇପାରେ। ଯଦି ଚିଟଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ମତଦାତାମାନେ ମମତା ବିରୋଧି ହୁଅନ୍ତି ତେବେ ସେ କ୍ଷମତା ହରାଇପାରନ୍ତି।