ବାସହୀନଙ୍କୁ ମାଗଣା ରାତ୍ରୀଯାପନ: ସିଏମ୍ସି କମିଶନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍
ଭୁବନେଶ୍ଵର, (ଓଟି): କଟକ ମ୍ୟୁନିସିପାଲ କର୍ପୋରେସନ୍ କମିଶନରଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ସମନ୍ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ବାସହୀନଙ୍କ ଲାଗି ଆବଶ୍ୟକ ଆଶ୍ରୟ ସୁବିଧା ଯୋଗାଇବାରେ ସିଏମ୍ସି ବିଫଳ ହେଉଛି ବୋଲି ଆସିଥିବା ଅଭିଯୋଗର ଶୁଣାଣି କରି କମିଶନ ଏହି ସମନ୍ କରିଛନ୍ତି। ଏହିକ୍ରମରେ ନିଜର ପକ୍ଷ ରଖିବା ଲାଗି ସିଏମ୍ସି କମିଶନର ଫେବୃୟାରୀ ୧୪ ତାରିଖରେ ହାଜର ହୋଇପାରନ୍ତି।
କଟକରେ ଥିବା ରାତ୍ରିକାଳୀନ ଆବାସ ଗୃହଗୁଡ଼ିକରେ ରାତ୍ରୀଯାପନ ପାଇଁ ଆସୁଥିବା ବ୍ୟକ୍ତିଙ୍କୁ ୨୦ ଟଙ୍କା ଦେୟ ଏବଂ ପରିଚୟପତ୍ର ଦେଖାଇବା ଜରୁରୀ ହୋଇଥିବାରୁ ଏହା ମୌଳିକ ଅଧିକାରର ବିରୋଧୀ ବୋଲି ଅପିଲ୍ କରିଛନ୍ତି ମାନବାଧିକାର କର୍ମୀ ତଥା ଆଡ୍ଭୋକେଟ୍ ବିଶ୍ଵପ୍ରିୟ କାନୁନ୍ଗୋ। ଏବାବଦରେ ଜାନୁୟାରୀ ୧୦ ତାରିଖରେ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ସିଏମ୍ସିକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆଦେଶ ଦେବାକୁ ପ୍ରାର୍ଥନା କରିଥିଲେ।
ଏହାବାଦ୍ ଭୁବନେଶ୍ଵରରେ ଥିବା ରାତ୍ରୀକାଳୀନ ଆଶ୍ରୟସ୍ଥଳଗୁଡ଼ିକରୁ କୌଣସି ଦେୟ ଆଦାୟ କରାଯାଉ ନଥିବା ସେ ଉଲ୍ଲେଖ କରିଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ତଥା ‘ ସେଲ୍ଟର୍ ଫର୍ ଅର୍ବାନ୍ ହୋମ୍ଲେସ୍’ ଯୋଜନାରେ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ ହୋଇ ନଥିବା ବେଳେ କ୍ଷମତା ନଥିବା ଲୋକଙ୍କଠାରୁ ଅର୍ଥ ଆଦାୟ ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ। ଏଣୁ ସିଏମ୍ସି ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ।
ଏହାର ବିଚାର କରି ୧୫ ଦିନ ଭିତରେ ଆବଶ୍ୟକ ଜବାବ ଦାଖଲ ପାଇଁ କଟକ ଜିଲ୍ଲାପାଳ ଏବଂ ସିଏମ୍ସି କମିଶନରଙ୍କୁ କମିଶନ ନୋଟିସ୍ କରିଥିଲେ ମଧ୍ୟ ଏଭିତରେ କେହି ତାଙ୍କ ଜବାବ ରଖିଲେ ନାହିଁ। ଏହାପରେ ଶ୍ରୀ କାନୁନ୍ଗୋ ପୁଣିଥରେ ଏକ ଆବେଦନ ଦାଖଲ କରି ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡ଼ି ଥିଲେ। ଅତିକମ୍ରେ ଯାହାର ପରିଚୟପତ୍ର ନାହିଁ ଏବଂ ଯାହାଙ୍କ ପାଖରେ ଦେୟ ଦେବା କ୍ଷମତା ନାହିଁ ତାଙ୍କୁ ଆଶ୍ରୟ ମନା ନକରିବାକୁ ସେ ପ୍ରାର୍ଥନା କରିଥିଲେ।
ଏହି ଆବେଦନ ପ୍ରତତି ଦୃଷ୍ଟି ଆକର୍ଷଣ କରି ମାନବାଧିକ କମିଶନ କହିଛନ୍ତି, ସେ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ଶୁଣିବାକୁ ଚାହୁଁଛନ୍ତି ଏଣୁ ଆବଶ୍ୟକ ମତ ଉପସ୍ଥାପନ କରିନ୍ତୁ। ଏଣୁ ଫେବୃୟାରୀ ୧୪ରେ ତାଙ୍କୁ ବ୍ୟକ୍ତିଗତ ହାଜିରା ହେବାକୁ ନିର୍ଦେଶ ଦିଆଯାଇଛି।