‘ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ ରିଭ୍ୟୁ
ଫ୍ରାଇଡେ ରିଲିଜ୍ ଧାରାରେ ସିନେମାଘରକୁ ଆସିଛି ‘ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ । ରିଏଲ୍ ଲାଇଫ୍ର ବାପା-ଝିଅ ଅନିଲ୍ କପୁର୍ ଓ ସୋନମ୍ କପୁର୍ ରିଲ୍ ଲାଇଫ୍ରେ ମଧ୍ୟ ବାପା-ଝିଅ ଭାବେ ଦର୍ଶକଙ୍କ ସାମନାକୁ ଆସିଛନ୍ତି । ରାଜକୁମାର ରାଓ ଓ ଜୁହି ଚାୱଲାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ବିଧୁ ବିନୋଦ୍ ଚୋପ୍ରା ଫିଲ୍ମ ନିର୍ମାଣ କରିଥିବାବେଳେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶୈଲି ଚୋପ୍ରା ।
କାହାଣୀ ଅନୁଯାୟୀ ରାଜକୁମାର ରାଓ ଜଣେ ଲେଖକ/ନିର୍ଦ୍ଦେଶକ(ସାହିଲ୍ ମିର୍ଜା)ଙ୍କ ଭୂମିକାରେ ଥିବାବେଳେ ସୋନମ୍ ସ୍ୱିଟି ଚରିତ୍ରରେ ପରଦା ଉପରକୁ ଆସିଛନ୍ତି । ସ୍ୱିଟି ପିଲାଦିନରୁ ବାହା ହେବାର ସ୍ୱପ୍ନ ଦେଖି ଆସିଛନ୍ତି । କିନ୍ତୁ ହଠାତ୍ ଦିନେ ଏମିତି କିଛି ଘଟିଥିଲା, ଯେଉଁଥିରେ ସ୍ୱିଟିଙ୍କ ସମ୍ପୂର୍ଣ୍ଣ ଜୀବନର ମୋଡ଼ ବଦଳି ଯାଇଥିଲା । ଦିନେ ସ୍ୱିଟିଙ୍କ ଭାଇ ତାଙ୍କ ବାପାଙ୍କୁ ସ୍ୱଟିଙ୍କୁ ବିବାହ କରିଦେବା ଉଚିତ୍ ହେବ ବୋଲି କହିଛନ୍ତି । ଏହା ପରଠାରୁ ସ୍ୱିଟିଙ୍କ ପାଇଁ ବରଖୋଜା ଆରମ୍ଭ ହୋଇଛି । ଏଭଳି ସମୟରେ ସ୍ୱିଟିଙ୍କ ସାକ୍ଷାତ ରାଜକୁମାର ରାଓ ଓରଫ୍ ସାହିଲ୍ ମିର୍ଜାଙ୍କ ସହିତ ହୋଇଥିଲା । ଏହାପରେ ସ୍ୱିଟିଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି ।
ସ୍ୱିଟି ଓ ସାହିଲ୍ଙ୍କ ମିଳାମିଶାରୁ ସ୍ୱିଟିଙ୍କ ପରିବାର ସଦସ୍ୟ ଭାବି ନେଇଛନ୍ତି ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି । କିନ୍ତୁ ବିବାହ ଠିକ୍ ହେବା ପରେ ସ୍ୱିଟି ସାହିଲ୍ଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ଼ ସିକ୍ରେଟ୍ କହିବ ବୋଲି ଭାବିଛନ୍ତି । ତେବେ ସ୍ୱିଟିଙ୍କ ଜୀବନରେ ଥିବା ସେହି ବଡ଼ ରହସ୍ୟ କ’ଣ ଏବଂ ତାହା କହିବା ପରେ କାହାଣୀରେ ଆଉ କ’ଣ ସବୁ ପରିବର୍ତ୍ତନ ହେଉଛି, ତାହା ଜାଣିବାକୁ ହେଲେ ଆପଣଙ୍କୁ ସିନେହଲ୍ ଯିବାକୁ ହେବ । ପ୍ରଥମ ଦିନ ଫିଲ୍ମର କାହାଣୀ ଦର୍ଶକଙ୍କୁ ବେଶ୍ ପସନ୍ଦ ହୋଇଛି । ଅନେକ ଦିନ ପରେ ଜୁହି ଚାୱଲାଙ୍କୁ ପରଦା ଉପରେ ଦେଖିବାକୁ ମିଳିଥିବାରୁ ତାଙ୍କର ପ୍ରଶଂସକ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଜଣାପଡ଼ୁଛନ୍ତି । ଅନିଲ୍ କପୁର୍, ସୋନମ୍, ରାଜକୁମାର ଓ ଜୁହିଙ୍କ ଅଭିନୟ ବେଶ୍ ପ୍ରଭାବଶାଳୀ । ସିନେ ସମୀକ୍ଷକଙ୍କ ପକ୍ଷରୁ ଏହି ଫିଲ୍ମକୁ ୫ରୁ ୩ ଅଙ୍କ ମିଳିଛି ।