କାହିଁକି ଅରୁଣଙ୍କୁ ସିବିଆଇ ଡାକରା, କାହିଁକି ଧର୍ମେନ୍ଦ୍ର ଖପ୍ପା ….

ବିଜେଡି ବିଧାୟକ ଅରୁଣ ସାହୁଙ୍କୁ କାହିଁକି ସିବିଆଇ ଟାର୍ଗେଟ କରୁଛି ? ପ୍ରକୃତରେ କଣ ସିବିଆଇ ତାଙ୍କ ବିରୁଦ୍ଧରେ କିଛି ପ୍ରମାଣଯୋଗ୍ୟ ତଥ୍ୟ ପାଇଛି, ନା ଧର୍ମେନ୍ଦ୍ର ପ୍ରଧାନ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜରିଆରେ ନିଜ ପୁରୁଣା ରାଗ ଓ ଅପମାନର ପ୍ରତିଶୋଧ ନେଉଛନ୍ତି ? ଉଭୟଙ୍କ ରାଜନୈତିକ ପୃଷ୍ଠଭୂମିର ଅନୁଶୀଳନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଭିନ୍ନ କ୍ଷେତ୍ରରେ ବାରମ୍ବାର ଧୂଳି ଚାଟିବା ପରେ ଧର୍ମେନ୍ଦ୍ର ପ୍ରଧାନ ଏବେ ବ୍ୟକ୍ତିଗତ ଚରିତ୍ର ସଂହାର ଭଳି ଅତି ନିମ୍ନ ସ୍ତରର ରାଜନୀତିକୁ ଓହ୍ଲାଇ ଆସିଛନ୍ତି । ଅନ୍ୟ ଅର୍ଥରେ କହିଲେ ଏହା ଧର୍ମେନ୍ଦ୍ରଙ୍କ ପୁରୁଣା ରାଗର ପ୍ରତିଫଳନ । ଉତ୍କଳ ବିଶ୍ଵବିଦ୍ୟାଳୟ ବା ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ ଅରୁଣଙ୍କ ଠାରୁ ହାରିବାର ଅପମାନ ଓ ରାଗକୁ ସେ ଏପର୍ଯ୍ୟନ୍ତ ଭୁଲିପାରୁନାହାନ୍ତି ।

ଏହାସହ ୨୦୦୯ ୟୁଥ ଆଇକନ ପ୍ରତିଯୋଗିତାରେ ମଧ୍ୟ ପୁଣି ଥରେ ମାତ ଖାଇଲେ ଧର୍ମେନ୍ଦ୍ର । ଏହି ଲଢେଇରେ ସାରା ଓଡ଼ିଶାରୁ ଅରୁଣଙ୍କୁ ୨ଲକ୍ଷ ୭୫ ହଜାର ଭୋଟ ମିଳିଥିବା ବେଳେ ଧର୍ମେନ୍ଦ୍ରଙ୍କୁ ମିଳିଥିଲା ଲକ୍ଷେ ୨୫ ହଜାର ଭୋଟ । ୟୁଥ ଆଇକନ ଲଢେଇରେ ଧର୍ମେନ୍ଦ୍ର ଅରୁଣଙ୍କ ଠାରୁ ଦେଢ଼ ଲକ୍ଷ ଭୋଟରେ ହାରିଥିଲେ । ଛାତ୍ର ସଂସଦ ନିର୍ବାଚନ ଓ ୟୁଥ ଆଇକନ ଲଢେଇରେ ବାରମ୍ବାର ଅରୁଣଙ୍କ ଠାରୁ ହାରିବାର ଅପମାନକୁ ସେ ସିବିଆଇ ଲୁହରେ ଧୋଇବାକୁ ଚେଷ୍ଟା କରୁଛନ୍ତି ।

ଏହି ଦୁଇ ଲଢ଼େଇରୁ ଧର୍ମେନ୍ଦ୍ର ଗୋଟେ କଥା ବୁଝିଗଲେଣି ଯେ, ଭାଷଣ ହେଉ କି ରାଜନୀତି କି ବିତର୍କ କିମ୍ବା ସାହିତ୍ୟ ସେ ଅରୁଣଙ୍କ ସରି ହେଉନାହାନ୍ତି । କେବଳ ନିଜ ବାପା ରାଜନୀତିରେ ଥିବାରୁ ଧର୍ମେନ୍ଦ୍ର ଉତ୍ତରାଧିକାରୀ ସୂତ୍ରରେ ତାର ଫାଇଦା ନେଇଛନ୍ତି । ତେଣୁ ଅରୁଣଙ୍କ ଠାରୁ ସବୁକ୍ଷେତ୍ରରେ ହରୁଥିବା ଧର୍ମେନ୍ଦ୍ର କୌଣସି ମତେ ତାଙ୍କ ମୁଣ୍ଡରେ ସିବିଆଇ କାଳିମା ବୋଳି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କେନ୍ଦ୍ରରେ ତାଙ୍କ ଦଳ ସରକାରରେ, ଆଉ ସେ ନିଜେ ପେଟ୍ରୋଲିମ ମନ୍ତ୍ରୀ, ତେଣୁ ସିବିଆଇକୁ ମୋଡି ମକଚି ନିଜ ରାଗ ଶୁଝେଇବାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ।

ରାଜନୈତିକ ଅସହିଷ୍ଣୁତାର ଶିକାର

ହାତରୁ ଖସୁଛି ମୟୁରଭଞ୍ଜ, ତେଣୁ ସବୁ ରାଗ ଅରୁଣଙ୍କ ଉପରେ । ୨୦୧୭ ପଞ୍ଚାୟତ ନିର୍ବାଚନରେ ମୟୁରଭଞ୍ଜରେ ବିଜେଡିର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ସ୍ଥିତି ସମ୍ଭାଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରୁଣଙ୍କୁ ଦାଇତ୍ୱ ଦେଇଥିଲେ । ଅରୁଣ ନିଜ ଅଭିଜ୍ଞତା ଓ ରାଜନୈତିକ ପାରଦର୍ଶିତାର ପ୍ରଦର୍ଶନ କରି ପୁଣି ଥରେ ମୟୁରଭଞ୍ଜରେ ବିଜେଡି ସଙ୍ଗଠନକୁ ଶକ୍ତିଶାଳୀ କରିଛନ୍ତି । ଏକପ୍ରକାର କହିବାକୁ ଗଲେ ବିଜେପି ମୟୁରଭଞ୍ଜରେ ନିଜ ସତ୍ତା ହରେଇବାକୁ ବସିଲାଣି । ପଞ୍ଚାୟତ ପରବର୍ତ୍ତୀ ଉପନିର୍ବାଚନରେ ବିଜେଡି ଆଉଥରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି । ମୟୁରଭଞ୍ଜରେ ବିଜେପି ଆଉ ନିଜର ବିଜୟ ସମ୍ଭାବନା ଦେଖୁନାହିଁ । ତେଣୁ ଅରୁଣଙ୍କୁ ରାଜନୈତିକ ଟାର୍ଗେଟ କରି ତାଙ୍କ ମନୋବଳକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରାଯାଉଛି । ହାରିଯାଉଥିବା ବାଜିକୁ ନିଜ ସପକ୍ଷରେ ବୁଲାଇ ପାରୁଥିବା ଜଣେ ସଂଗଠକଙ୍କୁ କେମିତି ରାଜନୈତିକ ଅସହିଷ୍ଣୁତାର ଶିକାର ହେବାକୁ ପଡୁଛି ଅରୁଣଙ୍କୁ ସିବିଆଇ ନୋଟିସ ତାର ପ୍ରମାଣ ।

Leave a Reply

Your email address will not be published. Required fields are marked *