‘ଠାକ୍ରେ’- ‘ମଣିକର୍ଣ୍ଣିକା’ ଟକ୍କର
ଶିବସେନାର ପ୍ରତିଷ୍ଠାତା ବାଲ୍ ଠାକ୍ରେଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ ଗତ ୨୫ ତାରିଖରେ ସିନେମାଘରକୁ ଆସିଥିଲା । ନବାଜୁଦ୍ଦିନଙ୍କ ଅଭିନୀତ ଏହି ଫିଲ୍ମ ଓପନିଙ୍ଗ୍ ଡେ’ରେ ୬କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ କରିଥିଲା । ଦିନକୁ ଦିନ ଏହାର ବକ୍ସ ଅଫିସ୍ ବ୍ୟବସାୟ ବୃଦ୍ଧି ହେବାରେ ଲାଗିଛି ଏବଂ ଆଜିପର୍ଯ୍ୟନ୍ତ ଏହା ୧୦କୋଟି ଟଙ୍କାର ବ୍ୟବସାୟ କରିଥିବା ସୂଚନା ମିଳିଛି ।
ଫିଲ୍ମ ପ୍ରତି ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ପରେ ସିନେ ସମୀକ୍ଷକମାନେ ଅନୁମାନ କରିଥିଲେ ଯେ ଏହା ଓପନିଙ୍ଗ୍ ଡେ’ରେ ୩ରୁ ୪କୋଟିର ବ୍ୟବସାୟ କରିବ । କିନ୍ତୁ ଫାଷ୍ଟ୍ ଡେ’ର ବ୍ୟବସାୟ ସେମାନଙ୍କୁ ଭୁଲ୍ ପ୍ରମାଣିତ କରିଛି । ୨୦କୋଟି ବଜେଟ୍ରେ ନିର୍ମିତ୍ ‘ଠାକ୍ରେ’କୁ ଭାରତର ୧୩୦୦ ସ୍କ୍ରିନ୍ରେ ପ୍ରଦର୍ଶିତ କରାଯାଇଥିଲା । ଏହା ସହିତ ଆଉ ଏକ ଖବର ମିଳିଛି ଯେ ‘ଠାକ୍ରେ’ ସହିତ କଡ଼ା ଟକ୍କର୍ ଦେଇ ଚାଲିଛି କଙ୍ଗନାଙ୍କ ଅଭିନୀତ ‘ମଣିକର୍ଣ୍ଣିକା’ । ଭାରତର ଗର୍ବ ଗୌରବ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ବଳିଦାନ ଓ ବିରତ୍ୱର ଗାଥା ବହନ କରି ପରଦା ଉପରକୁ ଆସିଛି ‘ମଣିକର୍ଣ୍ଣିକା’ । ଗତ ୨୫ ତାରିଖରେ ‘ଠାକ୍ରେ’ ସହିତ ‘ମଣିକର୍ଣ୍ଣିକା’ ମଧ୍ୟ ମୁକ୍ତିଲାଭ କରିଥିଲା ।
ପ୍ରଥମ ଦିନ ଏହା ୮କୋଟି ୭୫ ଲକ୍ଷର ବ୍ୟବସାୟ କରିଥିଲା ବୋଲି ଟ୍ରେଡ୍ ବିଶେଷଜ୍ଞମାନେ ସୂଚନା ଦେଇଥିଲେ । ଏବେ ରିଲିଜର୍ ୨ୟ ଦିନରେ ଏହା ୧୮କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି । ଟ୍ରେଡ୍ ଆନାଲିଷ୍ଟ୍ମାନେ କହିଛନ୍ତି ଯେ ‘ମଣିକର୍ଣ୍ଣିକା’କୁ ୨୬ ଜାନୁୟାରୀ ଛୁଟିଦିନର ଭରପୁର ଲାଭ ମିଳିଛି ଏବଂ ଆକ୍ସନ୍ ଦୃଶ୍ୟ ଓ ଭିଜୁଆଲ୍ ଇଫେକ୍ଟକୁ ଅଧିକ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଏହାର ବ୍ୟବସାୟ ‘ଠାକ୍ରେ’ ଠାରୁ ଅଧିକ ଥିଲା । ଏହା ବ୍ୟତୀତ ଭାରତରେ ‘ମଣିକର୍ଣ୍ଣିକା’କୁ ୩୦୦୦ ଏବଂ ବିଦେଶରେ ୭୦୦ ସ୍କ୍ରୀନ୍ରେ ପ୍ରଦର୍ଶିତ କରାଯାଇଛି । କଙ୍ଗନାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ବକ୍ସ ଅଫିସ୍ ବ୍ୟବସାୟରେ ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି । ତେବେ ପରସ୍ପରରକୁ କଡ଼ା ଟକ୍କର୍ ଦେଇ ଆଗକୁ ବଢ଼ୁଥିବା ‘ଠାକ୍ରେ’ ଓ ‘ମଣିକର୍ଣ୍ଣିକା’ ମଧ୍ୟରେ କିଏ ଶେଷରେ ବାଜି ମାରିନେବ, ତାହା କହିବା ମୁସ୍କିଲ୍ ।