ରାଜଧାନୀରେ ଆଦିବାସୀ କଳା, ସଂସ୍କୃତିର ଝଲକ

ରାଜଧାନୀରେ ୧୫ଦିନ ପାଇଁ ଆରମ୍ଭ ହୋଇଛି ଆଦିବାସୀ ମେଳା । ୧୯୫୧ ମସିହାରୁ ଏହି ମେଳା ଅନୁଷ୍ଠିତ ହୋଇଆସୁଛି । ତତ୍କାଳୀନ ରାଜଧାନୀ କଟକରେ ପ୍ରଥମେ ଆଦିବାସୀ ମେଳା ଆରମ୍ଭ ହୋଇଥିଲା । ପରେ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତରିତ ହେବା ପରେ ଏହି ମେଳା ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆରେ ଅନୁଷ୍ଠିତ ହୋଇଆସୁଥିଲା । ତେବେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଗତ ବର୍ଷଠାରୁ ଏହି ମେଳା ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେଉଛି ।

ଚଳିତ ବର୍ଷ ମେଳା ପରିସରକୁ ୭ଟି ବିଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା ଆଦିବାସୀ ଗ୍ରାମ, ଜନଜାତି ସ୍ବୟଂ ସହାୟକ ଗୋଷ୍ଠି ପ୍ରଭାଗ, ଆଦିବାସୀ ହାଟ, ଆଦିବାସୀ କଳାସାମଗ୍ରୀ, ସରକାରୀ ପ୍ରଭାଗ, ଆଦିବାସୀ ଖାଦ୍ୟ ବଜାର ଓ ଆଦିବାସୀ ନୃତ୍ୟ ପ୍ରାଙ୍ଗଣ । ଚଳିତ ବର୍ଷ ଏହିମେଳାରେ ମୋଟ ୧୮୦ଟି ଷ୍ଟଲ ନିର୍ମାଣ କରାଯାଇଛି । ଆଦିବାସୀ ଗ୍ରାମରେ ବିଭିନ୍ନ ଜନଜାତିଙ୍କ ୨୪ଟି ପାରମ୍ପାରିକ ଗୃହ ସହିତ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଛି ।

ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲ ଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା ହୋଇଛି । ଏଠାରେ ୩୪ଟି ପିଣ୍ଡି ରହିଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠିର ସଭ୍ୟାମାନେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି । ଜନଜାତି ସ୍ବୟଂ ସହାୟକ ଗୋଷ୍ଠି ବିଭାଗରେ ୨୮ଟି ଷ୍ଟଲ ରହିଛି । ଏଠାରେ ସେମାନଙ୍କ ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରୁଛନ୍ତି । ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ ବିକ୍ରି ପାଇଁ ୩୪ଟି ଷ୍ଟଲ ହୋଇଛି ।

ଏହି ମେଳାକୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟର ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନିଷ୍ଠାର ସହ କାମ କରୁଛନ୍ତି । ସେ ଗୁରୁପ୍ରିୟା ସେତୁ ହେଉ ବା ଆଦିବାସୀ ହଷ୍ଟେଲ ବା କୋରାପୁଟରେ ମେଡିକାଲ କଲେଜ । ବିକାଶର ସୁଫଳ ଆଜି ସେମାନଙ୍କ ପାଖରେ ପହଁଚିପାରିଛି । ଏହି ମେଳାର ପ୍ରତିଟି ଷ୍ଟଲ ଜନଜାତି ଅଂଚଳର ବିକାଶର ସଫଳ କାହାଣୀ ।

ଜନଜାତୀ କଳା ଓ ସଂସ୍କୃତିର ସୁରକ୍ଷା ଓ ବିକାଶ ପାଇଁ ରାଜ୍ୟ ସରକାର ୯ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବା ପାଇଁ ୯ଟି ଜନଜାତି ଜିଲ୍ଲାରେ ଟ୍ରାଇବାଲ ମ୍ୟୁଜିୟମ କରିବାକୁ ସ୍ଥିର କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜନଜାତୀଙ୍କ ମଧ୍ୟରେ ବହୁତ ଛୋଟ ଚାଷୀ ଅଛନ୍ତି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ସେମାନେ ବହୁତ ଉପକାର ପାଇବେ । ଏହି ଯୋଜନାର ସେମାନେ ପୂରା ସୁଯୋଗ ନିଅନ୍ତୁ ଏବଂ ନିଜ ରୋଜଗାର ବଢାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ସଯ୍ୟା ବିଶିଷ୍ଟ ହଷ୍ଟେଲର ଉଦଘାଟନ କରିଛନ୍ତି ।

Leave a Reply

Your email address will not be published.