ପ୍ରଣବ ମୁଖାର୍ଜୀ, ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ‘ଭାରତ ରତ୍ନ’
ଚଳିତ ବର୍ଷ ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବା ଲାଗି ଘୋଷଣା ହୋଇଛି । ତାଙ୍କ ସହ ସମାଜସେବୀ ନାନାଜୀ ଦେଶମୁଖ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ମଧ୍ୟ ଭାରତ ରତ୍ନ ପ୍ରଦାନ କରାଯିବ । ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ପ୍ରଣବଙ୍କୁ ଭାରତ ରତ୍ନ ଦେବା ସବୁଆଡେ ବେଶ ଚର୍ଚ୍ଚା ହେଉଛି । ସେ ଭାରତ ରତ୍ନ ପାଇବା ପରେ ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଆମ ସମୟର ଜଣେ ଉତ୍ତମ ରାଷ୍ଟ୍ରନୀତିଜ୍ଞ ବୋଲି କହିଛନ୍ତି । ଅନେକ ଦଶନ୍ଧି ଧରି ସେ ଦେଶ ପାଇଁ କାମ କରି ଦେଶର ବିକାଶରେ ଯୋଗଦାନ ଦେଇଛନ୍ତି । ତାଙ୍କର ସାଧୁତା ଓ ଅଭିଜ୍ଞତାର ତୁଳନା ନାହିଁ ବୋଲି ମୋଦି କହିଛନ୍ତି । ଅନ୍ୟପକ୍ଷରେ ଆସାମର ପ୍ରସିଦ୍ଧ ସଂଗୀତଜ୍ଞ ଭୁପେନ ହଜାରିକାଙ୍କୁ ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତରଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଶ୍ରୀ ମୁଖାର୍ଜୀ ୨୦୧୨ରୁ ୨୦୧୭ ଯାଏ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଜଣେ ବରିଷ୍ଠ କଂଗ୍ରେସ ନେତା ହିସାବରେ ସେ ୟୁପିଏ ସରକାରଙ୍କ ଅମଳରେ ଏକାଧିକ ମନ୍ତ୍ରିପଦରେ ରହିଥିଲା। ୟୁପିଏ ୨ ଅମଳରେ ଶ୍ରୀ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଏହି ଦାୟିତ୍ୱରେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।
ଆସାମର ମୂଳ ନିବାସୀ ଡ.ହଜାରିକା ଜଣେ ଗାୟକ ଓ ସଂଗୀତ ନିର୍ଦ୍ଦେଶକ ଭାବେ ଦେଶ ବିଶେଷରେ ବିଶେଷ ଖ୍ୟାତି ଓ କୃତିତ୍ୱ ଅର୍ଜ୍ଜନ କରିଥିଲେ। ସ୍ୱାଧୀନତା ପରେ ସଂଗୀତ କ୍ଷେତ୍ରରେ ସଂଘର୍ଷ କରୁଥିବା ଆଶାୟୀ ମାନଙ୍କୁ ଡ. ହଜାରିକା ପରିଚୟ ଦେଇଥିଲେ। ସେ ୧୯୭ଟି ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି। ସେହିପରି ତାଙ୍କୁ ୧୯୭୭ରେ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସମାଜସେବାରେ ବିଶେଷ ଉଲ୍ଲେଖନୀୟ ଅବଦାନ ପାଇଁ ନାନାଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଶ୍ରୀ ନାନାଜୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗ୍ରାମାଞ୍ଚଳରେ ଆତ୍ମନିର୍ଭଶୀଳନା ଦିଗରେ କାର୍ଯ୍ୟରେ ସାରା ଜୀବନ କାର୍ଯ୍ୟ କରିଥିଲେ। ସେ ଭାରତୀୟ ଜନ ସଂଘର ସଦସ୍ୟ ରହିଥିଲେ। ସେହିପରି ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନାନାଜୀ କାର୍ଯ୍ୟ କରିଛନ୍ତି। ତାଙ୍କୁ ୧୯୯୯ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।