ପ୍ରିୟଙ୍କାଙ୍କୁ ନେଇ କପିଲ୍‌ ସିବଲ୍‌ଙ୍କ ଟ୍ୱିଟ୍‌ କ’ଣ କହୁଛି

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତିରେ ଉ‌ଷ୍ଣତା ବଢ଼ି ବଢ଼ି ଚାଲିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ସକ୍ରିୟ ଭାବେ ସାମିଲ ହେବା ପରେ ଏହି ଉଷ୍ଣତା ତୀବ୍ରତର ହେବାରେ ଲାଗିଛି। ପ୍ରିୟଙ୍କାଙ୍କୁ ବୁଧବାର କଂଗ୍ରେସ ପକ୍ଷରୁ ପୂର୍ବ ଉତ୍ତର ପ୍ରଦେଶର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀ ଗୋରଖପୁରରେ ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କ ଟ୍ୱିଟ୍ ପରେ ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଲେଞ୍ଜ୍ ଦେବେ ବୋଲି କୁହାଯାଉଛି। ସିବଲଙ୍କ ଏହି ଟ୍ୱିଟ୍‌ ଏବେ ରାଜନୀତିକୁ ଆହୁରି ସରଗରମ କରି ପକାଇଛି।

ଟ୍ୱିଟ୍‌ କରି ସିବଲ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କିଛିଦିନ ହେଲା ଲଗାତର ଭାବେ ‘କଂଗ୍ରେସମୁକ୍ତ ଭାରତ’ ଉପରେ ଜୋର ଦେଇଆସୁଛନ୍ତି। କିନ୍ତୁ କଂଗ୍ରେସରେ ପ୍ରିୟଙ୍କା ଗାନ୍ଧୀ ଏବେ ସକ୍ରିୟ ଭାବେ ସାମିଲ ‌ହୋଇଛନ୍ତି। ଉତ୍ତର ପ୍ରଦେଶକୁ ଏବେ ପ୍ରିୟଙ୍କା ଆସିଥିବାରୁ ଆଗକୁ ଆମେ ‘ମୁକ୍ତ ବାରଣାସୀ’ ଏବଂ ‘ମୁକ୍ତ ଗୋରଖପୁର’ ଦେଖିବାକୁ ପାଇବା ବୋଲି ସେ କହିଛନ୍ତି। ତେଣୁ ପ୍ରିୟଙ୍କା ପ୍ରକୃତରେ ଗୋରଖପୁର କିମ୍ୱା ବାରଣାସୀରୁ ନିର୍ବାଚନ ଲଢ଼ିବେ, ସେ ନେଇ କିଛି ସ୍ପଷ୍ଟ ‌ହୋଇପାରି ନାହିଁ।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇବା ପରେ ପ୍ରିୟଙ୍କା ଗାନ୍ଧୀ ପୂର୍ବ ଉତ୍ତର ପ୍ରଦେଶକୁ ସମ୍ଭାଳିବେ। ଦଳ ଏଠ‌ାରେ ଯେମିତି ଅଧିକରୁ ଅଧିକ ଲୋକସଭା ଆସନ କବ୍‌ଜା କରେ, ତାହା ଉପରେ ସେ ଧ୍ୟାନ ଦେବେ। ଏଠାରେ ହାଇପ୍ରୋଫାଇଲ୍‌ ନେତା ଯଥା ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି। ତେଣୁ ସେମାନଙ୍କୁ ଟକ୍କର ଦେଇ ସେ କିଭଳି ନିର୍ବାଚନ ରଣାଙ୍ଗନ ପାର୍‌ କରିବେ, ତାହା ଭବିଷ୍ୟତରେ ଜଣାପଡ଼ିବ। ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି ପରେ କଂଗ୍ରେସ ଏବେ ଫ୍ରଣ୍ଟ୍‌ଫୁଟ୍‌ରେ ଖେଳିବ ବୋଲି ରାହୁଲ ଗତକାଲି କହିଥିଲେ।

Leave a Reply

Your email address will not be published.