ଆମେଠିରେ ଚାଷୀ କହିଲେ ରାହୁଲ ଗାନ୍ଧୀ ଇଟାଲୀ ଫେରିଯାଅ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇଦିନ ପାଇଁ ଉତ୍ତର ପ୍ରଦେଶରେ ଥିବା ନିଜ ଆମେଠି ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ। ଏହି ଅବସରରେ ସେ ଚାଷୀମାନଙ୍କୁ ଭେଟିଥିଲେ। କିନ୍ତୁ ଚାଷୀମାନେ ତାଙ୍କୁ ପ୍ରବଳ ବିରୋଧ କରିଥିବା ଜଣାପଡ଼ିଛି। ରାହୁଲଙ୍କୁ ସେମାନେ ପ୍ରବଳ ବିରୋଧ କରିବା ସହ ସେ ଇଟାଲୀ ଫେରିଯିବା ଉଚିତ ବୋଲି କହିଥିଲେ। ଏମିତି କି ସେମାନେ ଅନେକ ଦଳବିରୋଧୀ ସ୍ଲୋଗାନ୍ ମଧ୍ୟ ଦେଇଥିଲେ।

ଚାଷୀମାନେ ଦାବି କରିଥିଲେ ଯେ ସେମାନଙ୍କ ଜମିକୁ ବେଆଇନ ଭାବେ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍କୁ ଦିଆଯାଇଛି। ଏହି ଜମି ସେମାନଙ୍କୁ ଫେରାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଜମି ଯଦି ଫେରାନଯାଏ, ତେବେ ଚାକିରି ଯୋଗାଇବାକୁ ସେମାନେ କହିଛନ୍ତି।
ସଞ୍ଜୟ ସିଂହ ନାମକ ଜଣେ ଚାଷୀ କହିଥିଲେ େଯ ଆମେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକୁ ନେଇ ବହୁତ ଅସନ୍ତୁଷ୍ଟ। ସେ ଇଟାଲୀ ଫେରିଯିବା ଆବଶ୍ୟକ। ସେ ଏଠାରେ ରହିବା ଉଚିତ ନୁହେଁ। ରାହୁଲ ଆମ ଜମିକୁ ଛଡ଼ାଇ ନେଇଛନ୍ତି। ରାହୁଲଙ୍କ ଗସ୍ତ ବେଳେ ଚାଷୀମାନେ ଆମେଠିର ସମ୍ରାଟ ସାଇକେଲ୍ ଫାକ୍ଟ୍ରି ନିକଟରେ ପ୍ରତିବାଦ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ, ଆମେଠିରୁ ଲୋକସଭା ସାଂସଦ ଥିଲା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସମ୍ରାଟ୍ ସାଇକେଲ୍ ଫାକ୍ଟ୍ରି ଉଦ୍ଘାଟନ କରିଥିଲେ।