ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ରେହେମାନ୍

ଓସ୍କାର୍ ବିଜେତା ପ୍ରଖ୍ୟାତ ସଙ୍ଗୀତକାର ଏ.ଆର୍.ରେହେମାନ୍ ନିକଟରେ ଆୟୋଜିତ ଏକ ମିଡିଆ ସାକ୍ଷାତକାରରେ କିଛି ବ୍ୟକ୍ତିଗତ ତଥ୍ୟକୁ ସେୟାର୍ କରିଥିଲେ । ରେହେମାନ୍ଙ୍କ କହିବା ଅନୁଯାୟୀ ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା, ଯେତେବେଳେ ସେ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ । ସେ ପ୍ରାୟ ୨୨ ବର୍ଷ ବୟସରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । ରେହେମାନ୍ଙ୍କୁ ଲାଗୁଥିଲା ଯେ ତାଙ୍କ ଭିତରେ କିଛି ଦକ୍ଷତା କିମ୍ବା ସାମର୍ଥ୍ୟ ନାହିଁ । ଯେ କୌଣସି କାମ ହେଉ ନା କାହିଁକି, ସେ ସମ୍ପୂର୍ଣ୍ଣ ଅସମର୍ଥ । ବାପାଙ୍କ ବିୟୋଗ ତାଙ୍କୁ ଆହୁରି ମାନସିକ ଭାବେ ଦୁର୍ବଳ କରିଦେଇଥିଲା।

ଅନ୍ୟ ପକ୍ଷରେ ସେ ସଙ୍ଗୀତ କ୍ଷେତ୍ରରେ କିଛି ନୂଆ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ କୌଣସି ଫିଲ୍ମ ମିଳୁନଥିଲା । ରେହେମାନ୍ଙ୍କ ବାପା ମଧ୍ୟ ଜଣେ ମ୍ୟୁଜିକ୍ କମ୍ପୋଜର୍ ଥିଲେ । ବାପାଙ୍କର ମ୍ୟୁଜିକ୍ କ୍ଷେତ୍ରର ସୀମାରେଖା ଭିତରେ ବାନ୍ଧି ହୋଇ ରହିବା ରେହେମାନ୍ଙ୍କୁ ପସନ୍ଦ ନଥିଲା । ତେଣୁ ସେ ଏମିତି ଏକ ବୋରିଙ୍ଗ୍ ଲାଇଫ୍କୁ ଶେଷ କରିଦେବାକୁ ଚାହୁଁଥିଲେ। ରେହେମାନ୍୍ଙ୍କ ଆର୍ଥିକ ପରିସ୍ଥିତି ମଧ୍ୟ ଭଲ ନଥିଲା ।

ଏସବୁ ବିଷୟ ତାଙ୍କ ମନରେ ଏକ ନକାରାତ୍ମକ ଭାବନା ଜାଗ୍ରତ କରିଥିଲା । କିନ୍ତୁ ମଣିରତ୍ନମ୍ଙ୍କ ସହିତ ଭେଟ ହେବା ପରେ ରେହେମାନ୍ଙ୍କ ଜୀବନର ଦିଗ ବଦଳି ଯାଇଥିଲା । ମଣିରତ୍ନମ୍ ଫିଲ୍ମ ‘ରୋଜା’ ପାଇଁ ରେହେମାନ୍ଙ୍କୁ ଅଫର୍ ଦେଇଥିଲେ । ସେହି ଦିନଠାରୁ ରେହେମାନ୍ ଆଉ ପଛକୁ ଫେରି ଦେଖିନାହାନ୍ତି । ଆଜି ରେହେମାନ୍ଙ୍କ ଏକ ନିଜସ୍ୱ ସଙ୍ଗୀତ କମ୍ପାନୀ ରହିଛି ଏବଂ ଅଗଣିତ ଶ୍ରୋତାଙ୍କ ହୃଦୟରେ ରେହେମାନ୍ ରାଜ୍ କରୁଛନ୍ତି ।

Leave a Reply

Your email address will not be published.