ଚୁଲି ଫୁଙ୍କୁଛନ୍ତି ୮୫% ଉଜ୍ୱଳା ହିତାଧିକାରୀ
ଆଉ ମାତ୍ର ଦିନ କେତେଟା ପରେ ମୋଦି ସରକାର ନିର୍ବାଚନକୁ ଓହ୍ଲାଇବ। ନିର୍ବାଚନରେ ପ୍ରଚାର ପାଇଁ ମୋଦି ସରକାର ଯେଉଁ ସବୁ ଯୋଜନାର ସଫଳତା ବଖାଣିବ ସେଥିରେ ଉଜ୍ୱଳା ଯୋଜନା ସବୁଠାରୁ ଆଗରେ ରହିଛି। କିନ୍ତୁ ନିକଟରେ ପ୍ରକାଶ ପାଇଥିବା କିଛି ତଥ୍ୟ ଅନୁସାରେ ଉଜ୍ୱଳା ଯୋଜନାକୁ ନେଇ ପ୍ରଶ୍ନଚିହ୍ନ ଉଠିବାରେ ଲାଗିଛି। ଏହି ରିପୋର୍ଟ ଅନୁସାରେ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କ ମଧ୍ୟରୁ ୮୫% ପୁଣି ଚୁଲି ଫୁଙ୍କିବାକୁ ବାଧ୍ୟ ହେଲେଣି। ଏହାର କାରଣ ଗ୍ରାମାଞ୍ଚଳକୁ କମ୍ ସିଲିଣ୍ଡର ଯୋଗାଣ ସହିତ ବିନା ସବସିଡ଼ ଗ୍ୟାସ ସିଲିଣ୍ଡର ଦାମ ଅଧିକା ରହୁଥିିବାରୁ ଉଜ୍ୱଳା ହିତାଧିକାରୀମାନେ ଏହାକୁ କିଣି ପାରୁନାହାନ୍ତି। ଉଜ୍ୱଳା ଯୋଜନାରେ ସାମିଲ ହୋଇଥିବା ୧୦-୧୫% ହିତାଧିକାରୀମାନେ ପ୍ରଥମେ ଥରେ କିମ୍ୱା ଦୁଇଥର ଗ୍ୟାସ ରିଫିଲ କରିଥିବାବେଳେ ଅନ୍ୟମାନେ ଏହା କରି ପାରିନାହାନ୍ତି।
ଯେଉଁ ହିତାଧିକାରୀମାନେ ଉଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର ପାଇଛନ୍ତି ସେମାନଙ୍କ ଉପରେ ୧୬୦୦ରୁ ୨୦୦୦ ଟଙ୍କାର ସିଲିଣ୍ଡର ବାବଦକୁ ଋଣ ରହିଛି ବୋଲି ବିଚାର କରାଯାଉଛି। ଏହି ଋଣ ପରିଶୋଧ ନ ହେବା ପର୍ଯ୍ୟନ୍ତ ଉଜ୍ୱଳା ସିଲିଣ୍ଡର ପାଇଥିବା ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଗ୍ୟାସ କିଣା ବାବଦରେ ସବସିଡ଼ ସରକାର ଦେଉନାହାନ୍ତି। ଫଳରେ ଗରିବ ଲୋକମାନଙ୍କୁ ଗ୍ୟାସ ସିଲିଣ୍ଡର ପିଛା ପ୍ରାୟ ୧୦୦୦ଟଙ୍କା ଦେଇ ରିଫିଲ କରିବାକୁ ପଡ଼ୁଛି। କିନ୍ତୁ ଦେଖାଯାଉଛି ଯେ ଗରିବ ଲୋକମାନେ ଏକକାଳୀନ ୧୦୦୦ଟଙ୍କା ଦେଇ ଗ୍ୟାସ ସିଲିଣ୍ଡର ରିଫିଲ କରିବାକୁ ସକ୍ଷମ ହେଉନାହାନ୍ତି। ଫଳରେ ସେମାନେ ଗ୍ୟାସରେ ରୋଷେଇ କରିବା ପରିବର୍ତ୍ତେ ପୁଣି ଚୁଲି ଫୁଙ୍କିବାକୁ ବାଧ୍ୟ ହେଉଛନ୍ତି।
ଗ୍ୟାସ ସବସିଡ଼ ହିତାଧିକାରୀଙ୍କୁ ସିଧାସଳଖ ଦେବା ପରିବର୍ତ୍ତେ ସରକାର ସେମାନଙ୍କ ବ୍ୟାଙ୍କ ଖାତାରେ ଦେଉଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ନଥିବାରୁ ଅନେକ ହିତାଧିକାରୀଙ୍କ ଏକାଉଣ୍ଟ ନାହିଁ। ଫଳରେ ସେମାନେ ଗ୍ୟାସ ସବସିଡ଼ ବ୍ୟାଙ୍କ ଖାତାରେ ପାଇବାକୁ ସମର୍ଥ ହେଉନାହାନ୍ତି। ସରକାରୀ ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୬କୋଟି ପରିବାରକୁ ଉଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ଦିଆଯାଇଛି। ଏହି ହିତାଧିକାରୀଙ୍କ ମଧ୍ୟରୁ ୪୪% ଏସଟି/ଏସସି ବର୍ଗର।











