ପଶ୍ଚିମାଞ୍ଚଳରେ ହାଇକୋର୍ଟ ବେଞ୍ଚ: ଅଚଳାବସ୍ଥା ଜାରି ରଖିବାକୁ ପ୍ରସ୍ତୁତି
ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ରାଜ୍ୟର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓକିଲଙ୍କ ଆନ୍ଦୋଳନ ଜାରି ରହିବ। ଏହାସହ ସମ୍ବଲପୁରରେ ଓକିଲମାନେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ବର୍ଜନ କରିବେ। ସମାନ୍ତରାଳ ଭାବେ ଏକ ସାଧାରଣତନ୍ତ୍ର ଦିବସର ଆୟୋଜନ କରିବେ ବୋଲି ସୂଚନା ଦେଇଛନ୍ତି। ସମ୍ବଲପୁରରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ସମ୍ବଲପୁର ଓକିଲ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି, ‘ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟ ଚିଠି ଦିଆନିଆ ବିଷୟ ଆଲୋଚନା ହେଲା। ଏହାପରେ ଆନ୍ଦୋଳନର ରୂପରେଖ ବାବଦରେ ତର୍ଜମା କରାଯାଇ ଆନ୍ଦୋଳନକୁ ଦାବି ପୂରଣ ନହେଲା ଯାଏ ବଳବତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖରୁ ଯେମିତି ତହସିଲ୍ଠାରୁ ଆର୍ଡିସି କାର୍ଯ୍ୟାଳୟ ଯାଏ ବର୍ଜନ ପାଳନ କରାଯାଉଛି ସେହିଭଳି ଜାରି ରହିବ।
ଜାନୁୟାରୀ ୨୩ ତାରିଖରେ ନେତାଜୀ ଜୟନ୍ତୀ ତଥା ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଓକିଲ ସଂଘ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଶ୍ରୀ ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ଗାଁରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହା ପଶ୍ଚିମାଞ୍ଚଳର ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ଭିତରେ ସଚେତନତା ବୃଦ୍ଧି କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆବାହକ ଅଶୋକ ଦାଶ କହିଛନ୍ତି, ରାଜ୍ୟ ସରକାର ଚିଠି ପ୍ରେରଣ ବଦଳରେ ଏକ ବିଶେଷଜ୍ଞ କମିଟି ଗଠନ କରି ପ୍ରତ୍ୟକ୍ଷ ଆଲୋଚନା ଆରମ୍ଭ କରନ୍ତୁ। ୩୧ ତାରିଖ ସୁଦ୍ଧା କେନ୍ଦ୍ରକୁ ଏଥିନେଇ ସ୍ଵତନ୍ତ୍ର କମିଟି ପ୍ରେରଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ତା’ଛଡ଼ା ଯଦି ରାଜ୍ୟ ସରକାର ପଶ୍ଚିମାଞ୍ଚଳରେ ସ୍ଥାୟୀ ବେଞ୍ଚ ପାଇଁ ତତ୍ପର ତେବେ ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବୈଠକରେ ଏଥିନିମନ୍ତେ ବଜେଟ୍ ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି।