ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ‘ବିଭ୍ରାନ୍ତିକର’ କହିଲା କ୍ରିୟାନୁଷ୍ଠାନ କମିଟି
ସମ୍ବୁଲପୁର, (ପ୍ରଫୁଲ୍ଲ କୁମାର ଦାଶ): ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ସଦ୍ୟ ଚିଠିକୁ ବିଭ୍ରାନ୍ତିକର ବୋଲି ବଣ୍ଣନା କରିଛନ୍ତି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହି କ୍ରିୟାନୁଷ୍ଠାନ କମିଟି ଡାକରାରେ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାକୁ ଛାଡ଼ି ସାରା ପଶ୍ଚିମାଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ଗଲା ୧୨୬ ଦିନ ହେଲା ଏକ ପ୍ରକାର ଅଚଳ ହୋଇପଡ଼ିଛି।
କମିଟିର ଆବାହକ ଆଡ୍ଭୋକେଟ ଅଶୋକ ଦାଶ ଓଡ଼ିଶା ଟାଇମ୍କୁ କହିଛନ୍ତି, ‘ ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିରେ ବସ୍ତୁତଃ କୌଣସି ନୁତନତ୍ଵ ନାହିଁ। ୨୦୧୩ ଚିଠିରେ ଯାହା ଥିଲା ତାହାର ପୁନରାବୃତ୍ତି ହୋଇଛି। ଯଦି ମୁଖ୍ୟମନ୍ତ୍ରୀ ଅଚଳାବସ୍ଥା ଦୂର ପାଇଁ ଚାହୁଁଥାଆନ୍ତେ ତେବେ ସିଧାସଳଖ ହାଇକୋର୍ଟ ବେଞ୍ଚ କେଉଁ ସ୍ଥାନରେ ହେବ ସେ ସ୍ଥାନର ନାମ ଲେଖି କେନ୍ଦ୍ରକୁ ଚିଠି ଲେଖି ଥାଆନ୍ତେ। ହେଲେ ଏଥା ବି ତାହା ହୋଇ ନାହିଁ। ଅର୍ଥାତ୍ ସେ କେବଳ କେନ୍ଦ୍ର ଉପରେ ଦୋଷ ଲଦିବାକୁ ଏପରି ଚିଠି ଲେଖିଛନ୍ତି’। ଏଣୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ବା ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରୁଛି ବୋଲି ଶ୍ରୀ ଦାଶ କହିଛନ୍ତି।
ଏଣୁ ଆନ୍ଦୋଳନ ଯେଉଁପରି ଭାବରେ ଚାଲିଛି ତାହା ଜାରି ରହିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।
ଯେଉଁ କ୍ରିୟାନୁଷ୍ଠାନ କମିଟି ଡାକରାରେ ଓଡ଼ିଶାର ପଶ୍ଚିମାଞ୍ଚଳ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ତତ୍ପର ହୋଇଛି ଏବଂ ଗଲା ସେପ୍ଟେମ୍ବର ୫ ତାରିଖରୁ ସିଏସି ଡାକରାରେ ଏହି ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ଅଚଳ ହୋଇପଡ଼ିଛି। ଆର୍ଆଇ ଅଫିସଠାରୁ ଆରମ୍ଭ କରି ଆର୍ଡିସି ଅଫିସ ଯାଏ କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ଗଲା ୭ ତାରିଖରୁ ୯ ତାରିଖ ଯାଏ ଏଠାରେ ଅର୍ଥନୀତିକ ଅବରୋଧ ପ୍ରଦର୍ଶନ କରାଯାଇଥିଲା। ପଶ୍ଚିମାଞ୍ଚଳକୁ ବାଣିଜ୍ୟ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଥିଲା। ଏହାକୁ ଆୟତ୍ତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଆଜି ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କେନ୍ଦ୍ରର ନିଷ୍ପତ୍ତି ପରେ ଆବଶ୍ୟକ ବ୍ୟବସ୍ଥା ଯୋଗାଇବାକୁ ରାଜ୍ୟ ଯତ୍ନବାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସରେ ନୂତନତ୍ଵ ନାହିଁ ବୋଲି ସମ୍ବଲପୁର ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରଦୀପ ବହିଦାର କହିଛନ୍ତି। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିର ଆନୁଷ୍ଠାନିକ ନକଲ ସେମାନେ ପାଇ ନାହାନ୍ତି। ତାହା ହସ୍ତଗତ ହେବା ପରେ ଆନ୍ଦୋଳନର ପରବର୍ତ୍ତୀ ରୂପରେଖ ସ୍ପଷ୍ଟ ହେବ।
ଜାନୁୟାରୀ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମାଞ୍ଚଳ ଜିଲ୍ଲାବାସୀଙ୍କ ପକ୍ଷରୁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଧାୟକ ରବି ନାଏକ ମୁଖ୍ୟମନ୍ତ୍ରୀ ବିଷୟର ଗୁରୁତ୍ଵକୁ ବୁଝି ପଦକ୍ଷେପ ନେବା ବଦଳରେ ମିଛ ନାଟକ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ରାଜ୍ୟ ସରକାର ଜଷ୍ଟିସ ସିଆର୍ ପାଲ୍ କମିଶନଙ୍କ ରିପୋର୍ଟକୁ ଜଜାଣିଶୁଣି ଚପାଇଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଏହି ରିପୋର୍ଟ ହାଇକୋର୍ଟଙ୍କୁ ଦେଉ ନଥିବାରୁ ହାଇକୋର୍ଟ ଆବଶ୍ୟକ ମତାମତ ଦେଇପାରୁ ନଥିବା ଅଭିଯୋଗ କରିଥିଲେ।
