ଶତାବ୍ଦୀ ଟ୍ରେନ୍ ବାତିଲ୍
ଭୁବନେଶ୍ଵର, (ଓଟି): ଭାରତ ବନ୍ଦ ଡାକରାର ଦ୍ଵିତୀୟ ଦିନର ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି। ବନ୍ଦ ସମୟରେ ବିଶୃଙ୍ଖଳାକୁ ଏଡ଼ାଇବା ତଥା ଯାତ୍ରା ସମ୍ଭବ ନଥିବା ଦୃଷ୍ଟିକୋଣରୁ ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ୍ କରିଛନ୍ତି। ଉଭୟ ପୁରୀ ଓ ହାଓ୍ଡ଼ା ଷ୍ଟେସନ୍ରୁ ଏହା ଯାତ୍ରା କରିବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ପୁରୀ-କଟକ-ପୁରୀପାସେଞ୍ଜର ଏବଂ କଟକ-ଭଦ୍ରକ-କଟକ ପାସେଞ୍ଜର ସଟଲ୍ ଟ୍ରେନ୍କୁ ମଧ୍ୟ ବାତିଲ୍ କରାଯାଇଥିବା ସୂଚନା ମିଳିଛି । ଗୁଣୁପୁର-ପୁରୀ-ଗୁଣପୁର ଟ୍ରେନ୍ ବ୍ରହ୍ମପୁର ଯାଏ ଯାତ୍ରା କରିବ। ବ୍ରହ୍ମପୁରରୁ-ପୁରୀ ଯାଏ ଚଳାଚଳ ବାତିଲ୍ ହୋଇଛି।
ସକାଳ ୧୧ଟା ୧୫ ମିନିଟ୍ ସମୟରେ ପୁରୀ-ହବିବଗଞ୍ଜ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରିପାରି ନାହିଁ। ଏହା ପୁରୀ ଷ୍ଟେସନ୍ ଅପରାହ୍ଣ ୨ଟା ୩୦ ମିନିଟ୍ ସମୟରେ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଜାରି ସ୍ଵତନ୍ତ୍ର ବୁଲେଟିନ୍ରେ କୁହାଯାଇଛି।