ସାତ କୋଶିଆରେ ୨ ବାଘ ଛୁଆ ଜନ୍ମ
ଭୁବନେଶ୍ଵର, (ଓଟି): ଅନେକ ଦିନ ହେଲା ବିବାଦ ଓ ଦୁଃଖଦପୂଣ୍ଣ ଖବର ଶୁଣାଉଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ଏକ ଶୁଭ ଖବର ହସ୍ତଗତ ହୋଇଛି। ବିଶ୍ଵସ୍ତସୂତ୍ରର ସୂଚନା ଅନୁସାରେ ଏହି ପ୍ରକଳ୍ପର ଘଞ୍ଚ ଜଙ୍ଗଲରେ ରହୁଥିବା ମାଈ ବାଘଟି ଦୁଇଟି ଶାବକ ଜନ୍ମ ଦେଇଛି। ଉଭୟ ମହାବଳ ବାଘ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି। ଖୁବ୍ଶୀଘ୍ର ଏ ବାବଦରେ ଜଙ୍ଗଲ ବିଭାଗ ତଥ୍ୟ ଉନ୍ମୋଚନ କରିବା ଆଶା ରହିଛି।

କିଛିଦିନ ତଳେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏହିଠାକୁ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଦ୍ଵାରା ଅଣାଯାଇଥିବା ’ମହାବୀର’ର ସଂସ୍ପର୍ଶରେ ଆସି ସମ୍ପୃକ୍ତ ମାଈ ବାଘ ଛୁଆ ଜନ୍ମ କରିଥିବା ଜଣାପଡ଼ିଛି। ତେବେ ଶିକାରୀ ଚୋଟରେ ମହାବୀରର ମୃତ୍ୟୁ ଘଟିଛି। ଅନ୍ୟ ଯେଉଁ ମାଈ ବାଘ ’ସୁନ୍ଦରୀ’ କୁ ଏହି ପ୍ରକଳ୍ପ ଜରିଆରେ ଅଣାଯାଇଥିଲା ସେ ଏବେ ଅତ୍ୟନ୍ତ ଉଗ୍ର ହେବାରୁ ଏନ୍କ୍ଲୋଜର୍ ଭିତରେ ରହିଛି।
ଏହି ଶୁଭ ଖବର ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପରେ ଆଣିଥଇବା କାଳୀଦାଗକୁ ଲିଭାଇବାରେ ସକ୍ଷମ ହେବ ବୋଲି ଅଶା କରାଯାଉଛି।