ହାଇକୋର୍ଟ ବେଞ୍ଚ ତାତି: ୭ରୁ ୯ଯାଏ ଅର୍ଥନୀତିକ ଅବରୋଧ
ସମ୍ବଲପୁର, ( ପ୍ରଫୁଲ୍ଲ ଦାଶ): ଓଡ଼ିଶାର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହିକ୍ରମରେ ଜାନୁୟାରୀ୭, ୮ ଏବଂ ୯ ତାରିଖରେ ବିଭିନ୍ନ ସ୍ଥାନରେ ଅର୍ଥନୀତିକ ଅବରୋଧ ପ୍ରଦର୍ଶନ କରାଯିବ ବୋଲି କିମିଟି ପକ୍ଷରୁ କୁହାଯାଇଛି।
ଶନିବାର ସମ୍ବଲପୁର ଓକିଲ ସଂଘର ବୈଠକରେ ମଧ୍ୟ ଅନୁରୂପ ନିଷ୍ପତ୍ତି ନିଆଯାଇଛି।
ଏହି ନିଷ୍ପତ୍ତିକ୍ରମେ ୭ରୁ ୯ ତାରିଖ ଯାଏ ଏମ୍ସିଏଲ୍ ସମେତ ଏହି ଅଞ୍ଚଳର ବିଭିନ୍ନ କଳକାରଖାନାକୁ ବନ୍ଦ କରାଯିବ, ମାଲ୍ ପରିବହନ ବ୍ୟବସ୍ଥାକୁ ଅଚଳ କରାଯିବ ବୋଲି ଓକିଲ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି।
ସମ୍ବଲପୁର-ରାଉରକେଲା ୧୦ ନମ୍ବର ଜାତୀୟ ରାଜପଥ, ସମ୍ବଲପୁର-କଟକ ଜାତୀୟ ରାଜପଥ ଏବଂ କୋଲ୍କତା ମୁମ୍ବାଇ ଜାତୀୟ ରାଜପଥ ୭୨ ଘଣ୍ଟାଯାଏ ଅବରୋଧ କରାଯିବ।
ସେପ୍ଟେମ୍ବର ୫ ତାରିଖରୁ ସମ୍ବଲ୍ପୁର ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ପଡ଼ିଛି। ଆର୍ଆଇ କାର୍ଯ୍ୟାଳୟରୁ ଆରମ୍ଭ କରି ଆର୍ଡିସି କାର୍ଯ୍ୟାଳୟ ଯାଏ କେଉଁଠାରେ ବି କୌଣସି କାର୍ଯ୍ୟ ହୋଇପାରୁନାହିଁ। ୧୨୧ ଦିନ ହେଲା ସମ୍ବଲ୍ପୁରରେ ଗଣଧାରଣା ଚାଲିଛି। ଆନ୍ଦୋଳନ ହେତୁ ସାଧାରଣ ଜୀବନଯାତ୍ରା ବି ବ୍ୟାହତ ହୋଇଛି।