ଭୋଟ ବ୍ୟାଙ୍କ ପଲିଟିକ୍ସ ଛାଡି ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ୱନ କରାନ୍ତୁ ରାଜ୍ୟ ସରକାର: ଅପରାଜିତା

ଭୁବନେଶ୍ୱର,(ଓଟି): ରାଜ୍ୟ ସରକାର ମହିଳା ମାନଙ୍କୁ ନେଇ ଭୋଟ ରାଜନୀତି କରୁଛନ୍ତି। ମହିଳା ମାନଙ୍କୁ କିପରି ଆର୍ଥିକ ସ୍ୱାବଲମ୍ୱି କରାଯିବ ତାହା ନକରି କେବଳ ନିର୍ବାଚନ ଜିତିବା ଲକ୍ଷ୍ୟରେ ବିଭିନ୍ନ ଭାବରେ ମହିଳା ମାନଙ୍କୁ ଭ୍ରମିତ କରିବା ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଅପରାଜିତା ଷଡଙ୍ଗୀ।

ଶ୍ରୀମତୀ ଷଡଙ୍ଗୀ କହିଛନ୍ତି କି, ଓଡିଶାର ୪ କୋଟି ୧୯ ଲକ୍ଷ ଜନସଂଖ୍ୟାରୁ ୫୦% ହେଉଛନ୍ତି ମହିଳା। ହେଲେ ଓଡିଶାରେ ମହିଳାମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ସରକାର ଯେଉଁଭଳି ଭାବରେ ଧ୍ୟାନ ଦେବା କଥା ସେପରି ଦେଇପାରିନାହାନ୍ତି। ମହିଳାମାନଙ୍କୁ କେବଳ ନିର୍ବାଚନ ଜିତିବା ପାଇଁ ବ୍ୟବହାର କରିଛନ୍ତି। ମହିଳାମାନଙ୍କର ଆର୍ଥିକ ପ୍ରଗତି ହେଉ ବା ମହିଳାମାନଙ୍କର ସ୍ୱାସ୍ଥ୍ୟ ହେଉ ବା ପରିମଳ ସବୁଥିରେ ଓଡିଶା ପଛରେ। ଦେଶରେ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ସବୁଠାରୁ ଉଦବେଗଜନକ ସ୍ଥିତିରେ ଅଛି।

ରାଜ୍ୟ ସରକାର ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମହିଳାମାନଙ୍କୁ ପଇସା ବାଣ୍ଟିବାକୁ ଯାଉଛନ୍ତି। କେବଳ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପରି କରିବାକୁ ଯାଉଛନ୍ତି। ପ୍ରତି ସ୍ୱୟଂ ସହାୟକ ଗୋଷ୍ଠିକୁ ରାଜ୍ୟ ସରକାର ୩ ବର୍ଷରେ ୧୫୦୦୦ ଟଙ୍କା ଦେବାକୁ ଯାଉଛନ୍ତି। ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀରେ ୧୦ରୁ ୧୫ ଜଣ ମହିଳା ସଦସ୍ୟ ଅଛନ୍ତି। ତାହେଲେ ମୁଣ୍ଡ ପିଛା ୧୦୦୦ ଟଙ୍କା ପ୍ରତି ମହିଳାକୁ ମିଳିବ। ୩ ବର୍ଷରେ ଜଣେ ମହିଳାକୁ ୧୦୦୦ ଟଙ୍କା ମିଳିଲେ ତାର କଣ ଆର୍ଥନୈତିକ ବିକାଶ ହେବ ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ୱନ କରାଯିବା ଦରକାର। ମହିଳାମାନଙ୍କୁ କିପରି ରୋଜଗାର ମିଳିପାରିବ ତାହା ସରକାର କରିବା ଦରକାର। ମହିଳା ଶିଶୁ ବିକାଶ ବିଭାଗର ବଜେଟକୁ ଦେଖିଲେ ଲାଗୁଛି ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କର ବିକାଶ ପାଇଁ ଆଦୌ ଯତ୍ନବାନ ନୁହନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।


୨୦୧୭-୧୮ରେ ବଜେଟରେ ମହିଳା ଶିଶୁ ବିକାଶ ବିଭାଗ ପାଇଁ ୨୧୦୮ କୋଟି ଟଙ୍କା ବ୍ୟୟ ବରାଦ ଥିବା ବେଳେ ୨୦୧୮-୧୯ରେ ଏହା ୧୩୪୦ କୋଟି ଟଙ୍କା ବଢି ୩୪୪୮ କୋଟିରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତି କରଣ ଯୋଜନାରେ ୨୦୧୬-୧୭, ୨୦୧୭-୧୮ ବର୍ଷରେ କୌଣସି ଅର୍ଥ ରାଶି ବ୍ୟୟବରାଦ ନଥିଲାବେଳେ ୨୦୧୮-୧୯ରେ ଏଥିରେ ୫୫୦ କୋଟି ଟଙ୍କା ରଖାଯାଇଛି।

ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଯୋଜନାରେ ୨୦୧୬-୧୭ ଓ ୨୦୧୭-୧୮ରେ କୌଣସି ଅର୍ଥ ରାଶି ବ୍ୟୟବରାଦ ନଥିଲା ବେଳେ ୨୦୧୮-୧୯ ରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ ସ୍ପଷ୍ଟ ହେଉଛି କି କେବଳ ନିର୍ବାଚନକୁ ଆଖି ଆଗରେ ନିର୍ବାଚନ ବର୍ଷରେ ଏହି ଦୁଇଟି ଅଧୀନରେ ୧୦୫୦ କୋଟି ଟଙ୍କା ବ୍ୟୟ କରାଯାଉଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ତାମିଲନାଡୁର ଏକ ଛୋଟ ସହର ନମକନ ଯେଉଁଠି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ବାର୍ଷିକ ୯୦୦ କୋଟି ଅଣ୍ଡା ଉତ୍ପାଦନ କରିପାରୁଛନ୍ତି। ହେଲେ ଓଡିଶାରେ ସମୁଦାୟ ଅଣ୍ଡା ଉତ୍ପାଦନ ହେଉଛି ୧୯୭ କୋଟି। ଆଜିର ଦିନରେ ଓମଫେଡ ୫ ଲକ୍ଷ କ୍ଷୀର କିଣୁଥୀବାବେଳେ ଗୁଜୁରାଟର ବନସକଣ୍ଟା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଦୈନିକ ୬୦ ଲକ୍ଷ ଲିଟର ଉତ୍ପାଦନ କରି ନିଜର ଆର୍ଥିକ ବିକାଶ କରିପାରିଛନ୍ତି। ଆମ ଓଡିଶାରେ କାହିଁକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ପଛରେ ପଡିଛନ୍ତି ତାହା ରାଜ୍ୟ ସରକାରଙ୍କର ବିଫଳତା ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ଶ୍ରୀମତୀ ଷଡଙ୍ଗୀ କହିଛନ୍ତି କି, ଓଡିଶାରେ ଏବେ ସୁଦ୍ଧା ମିଳିଥିବା ଆର୍ଥିକ ସହାୟତା ମଧ୍ୟ ଦେଶର ଅନ୍ୟ ରାଜ୍ୟ ଠାରୁ କମ। ଏବେ ସୁଦ୍ଦା ଆରମ୍ଭରୁ ଏବେ ଯାଏଁ ମାତ୍ର ୬୨୭ କୋଟି ଟଙ୍କାର ଦିଆଯାଇଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ। ଆନ୍ଧ୍ର ପ୍ରଦେଶରେ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀ ପିଛା ୬୨ ହଜାର ଟଙ୍କା ମିଳିଥିବାବେଳେ ଓଡିଶାରେ ଏହା ମାତ୍ର ୧୪୫୪୧ ଟଙ୍କା। ସେହିପରି ଓଡିଶାରେ ୬ ଲକ୍ଷ ଏସଚଜି ଗ୍ରୁପ ଥିଲାବେଳେ ଏବେ ଯାଏ ମାତ୍ର ୭୨ ହଜାରର ଏସଜିଙ୍କୁ ଋଣ ମିଳିଛି।

ମହିଳା ସଶକ୍ତିକରଣ ପାଇଁ ପରିମଳ ଏକ ପ୍ରମୁଖ ଦିଗ। ଓଡିଶା ଏଥିରେ ବି ଦେଶରେ ସବୁଠାରୁ ପଛରେ। ପ୍ରତି ପରିବାର ପାଇଖାନା ସୁବିଧାରେ ଓଡିଶା ତଳୁ ଆଡୁ ଦ୍ୱିତୀୟ। ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ୧୦୦% ପରିବାର ପାଖରେ ପାଇଖାନା ସୁବିଧା ଥିବାବେଳେ ଓଡିଶାରେ ଏହା ହେଉଛି ୭୨%। ଓଡିଶାରେ ମାତ୍ର ୩୯% ଗାଁ ହେଉଛି ଖୋଲାରେ ମଳମୁତ୍ର କରୁନଥିବା ଗାଁ। ଓଡିଶାରେ ମହିଳାଙ୍କ ସ୍ୱାସ୍ଥ୍ୟ ଆଜି ଏକ ଉଦବେଗଜନକ ସ୍ଥିତିରେ ଅଛି। ରକ୍ତହିନତାରେ ୫୧% ମହିଳା ଶୀକାର। ଅପପୁଷ୍ଟିରେ ଶିକାର ହେବାରେ ଓଡିଶା ମଧ୍ୟ ଦେଶରେ ସବୁଠାରୁ ବିପଦ ଜନକ ସ୍ଥିତିରେ ଅଛି। ମହିଳା ବିରୋଧୀ ହିଂସାରେ ଓଡିଶା ଦେଶରେ ତୃତୀୟ। ଗୋଟିଏ ବର୍ଷରେ ମୋଟ ୨୨୨୧ଟି ଧର୍ଷଣ ମାମଲା ହୋଇଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ବିଜେଡ଼ିର ପ୍ରତିକ୍ରିୟା

ବିଜେପି ଏକ ପ୍ରେସ‍୍‌ମିଟ‍୍‌ କରି ଆଜି ଯେଉଁ ଅଭିଯୋଗ ଆଣିଛନ୍ତି, ମିଶନ ଶକ୍ତି ଏବଂ ତା’ସହିତ ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିରୋଧରେ ତାହା ଅତ୍ୟନ୍ତ ନିନ୍ଦିନୀୟ ଓ ଦୁର୍ଭାଗ୍ୟଜନକ। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବଦ‍୍‌ନାମ କରିବା ପାଇଁ ଏହା ବିଜେପିର ଏକ ଷଡ଼ଯନ୍ତ୍ର ଏବଂ ମିଶନ ଶକ୍ତି ମାଧ୍ୟମରେ ଯେଉଁ ମହିଳା ସଶକ୍ତିକରଣ କରାଯାଇ ଓଡ଼ିଶାର ବିକାଶ ହେଉଛି, ତାହା ପ୍ରତି କୁଠାରାଘାତ।

ବିଜେପିର ଏହି ସାମ୍ୱାଦିକ ସମ୍ମିଳନୀ ମୂଳରେ ଥିବା ଅଭିସନ୍ଧି ହେଉଛି ଯେ କେଉଁ ପ୍ରକାରରେ ହେଉ ପଛେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ପାଉଥିବା ଆର୍ଥିକ ସହାୟତାକୁ ବନ୍ଦ କରିଦିଆଯାଉ ଏବଂ ଏହାଦ୍ୱାରା ମହିଳା ସଶକ୍ତିକରଣ ରାଜ୍ୟରେ ବିପର୍ଯ୍ୟସ୍ତ ହେଉ ଯାହା ସ୍ପଷ୍ଟ ବାରି ହେଉଛି।

ଏ ପ୍ରକାର ରାଜନୈତିକ ହୀନମନ୍ୟତା ଠାରୁ ବିଜେପି କ୍ଷାନ୍ତ ହେଉ ଏବଂ ଓଡ଼ିଶାରେ ମହିଳା ସଶକ୍ତିକରଣ ପ୍ରତି ଯେଉଁ ଚକ୍ରାନ୍ତ କରାଯାଉଛି, ତାହାର ଉଚିତ୍ ଜବାବ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଦେବେ ବୋଲି ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *