କାହିଁକି ସୁନା କିଣା ଉପରେ କଟକଣା ଜାରି କଲେ ସରକାର, ଏଥିରେ ଆମେ କିଭଳି ପ୍ରଭାବିତ ହେବା- ବିସ୍ତୃତ ଅନୁଶୀଳନ

ଯେଉଁ ମୋଦୀ ସରକାର ୨୦୧୪ ମସିହାରେ କ୍ଷମତାକୁ ଆସିବା କ୍ଷଣି ସୁନା କାରବାର ଉପରେ ଲାଗିଥିବା କଟକଣାକୁ  ଉଠାଇଥିଲେ, ଯେଉଁ ସରକାର  କଂଗ୍ରେସ ସମୟର କଟକଣାକୁ କଳାବଜାରୀ, ସୁନା ସ୍ମଗଲିଂର ମୂଳ ବିନ୍ଦୁ ବୋଲି ଗ୍ରହଣ କରିଥିଲେ, ଆଜି ସେ ସରକାର କାହିଁକି ସୁନା ଉପରେ ପୁଣି କଟକଣା ଜାରି କଲେ?  ଏହା କ’ଣ ଦେଶକୁ ଆର୍ଥିକ ସଙ୍କଟରୁ ମୁକୁଳାଇପାରିବ?  ସୁନା କିଣିବା କ’ଣ ସତରେ ଏକ ପାପ?

 କେନ୍ଦ୍ର ସରକାର ସୁନା ଏବଂ ପ୍ଲାଟିନମ୍‍ ଭଳି ମୂଲ୍ୟବାନ ଧାତୁର ଆମଦାନୀ ଶୁଳ୍କ ପ୍ରାୟ ୯ ରୁ ୧୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ବିଦେଶରୁ ଆସୁଥିବା ସୁନାର ମୂଲ୍ୟ ଉପରେ ସରକାର ଏବେ ୬.୪ ପ୍ରତିଶତ ବଦଳରେ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଆଦାୟ କରିବେ। ସଂକ୍ଷେପରେ କହିବାକୁ ଗଲେ ବଜାରରେ ସୁନା ଦର ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ସମ୍ଭାବନା ରହିଛି। ଏହି କାରଣରୁ ଆଜି ଭୁବନେଶ୍ୱରରେ ୨୨ କ୍ୟାରାଟ ସୁନା ଦର ୧୨ ହଜାର ୭୫୦ଟଙ୍କା ବଢ଼ି ୧ ଲକ୍ଷ ୫୩ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ଆଉ ୨୪ କ୍ୟାରାଟ ସୁନା ଦର ୧୩ ହଜାର ୯୧୦ ଟଙ୍କା ବଢ଼ି ୧ ଲକ୍ଷ ୬୭ ହଜାର ୮୯୦ ଟଙ୍କାରେ ପହଞ୍ଚିଛି।  ସେହିପରି ରୂପା ଦର ୩୦ ହଜାର ଟଙ୍କା ବଢ଼ି ୩ ଲକ୍ଷ ୩୦ ହଜାର ଟଙ୍କାରେ ପହଞ୍ଚିଛି।  ପ୍ଲାଟିନମ୍‍ ଉପରେ ମଧ୍ୟ ୧୦ ପ୍ରତିଶତ  ଅଧିକ ଆମଦାନୀ ଶୁଳ୍କ ଲାଗୁ କରାଯାଇଥିବାରୁ  ଏହି ମୂଲ୍ୟବାନ ଧାତୁର ଦର ମଧ୍ୟ ବଢ଼ିଛି।

ଏହି ଦର ବୃଦ୍ଧି ଏବେ ଖାଲି ଧନୀ ବର୍ଗ ବା ନିବେଶକଙ୍କ ପାଇଁ ମୁଣ୍ଡବିନ୍ଧା ସୃଷ୍ଟି କରି ନାହିଁ ବରଂ ମଧ୍ୟବିତ୍ତ ଶ୍ରେଣୀ ବିଶେଷକରି ଯେଉଁମାନେ ନିକଟ ଭବିଷ୍ୟତରେ ବିବାହ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏକ ଅତିରିକ୍ତ ଅର୍ଥନୀତିକ ବୋଝ ସୃଷ୍ଟି କରିଛି।

ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ୍ଷେପ ବାବଦରେ ଆଗରୁ ସୂଚନା ଦେବାକୁ ଯାଇ ଦେଶବାସୀଙ୍କୁ ଏକ ବର୍ଷ ପାଇଁ ସୁନା ନ କିଣିବାକୁ ପରାମର୍ଶ ଦେଇଥିଲେ। ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଦେଶର ଚାଲୁଖାତା ନିଅଣ୍ଟ ପରିମାଣକୁ ଅନେକ ବଢ଼ାଇଥିବାରୁ ଏହାକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ଏପରି ପଦକ୍ଷେପ ନେଇଥିବା ବିଭିନ୍ନ ଅର୍ଥନୀତି ବିଶାରଦମାନେ ମତ ଦେଇଛନ୍ତି। ଗତ ଦୁଇଟି ତ୍ରୈମାସିକ ହିସାବରେ ଭାରତର ଚାଲୁଖାତା ନିଅଣ୍ଟ ପରିମାଣ ଜିଡିପିର ୧.୩%ରୁ ୧୩.୫ ପ୍ରତିଶତକୁ ବୃଦ୍ଧି ହେବା ଭଳି ଏକ ଅଭାବନୀୟ ପରିସ୍ଥିତିକୁ ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‍ ଦେଶର ରପ୍ତାନୀ ତୁଳନାରେ ହଠାତ ବିଦେଶୀ ସାମଗ୍ରୀ, ସୁନା, ରୂପା ଭଳି ମୂଲ୍ୟବାନ ଧାତୁ, ପେଟ୍ରୋଲ ଆମଦାନୀ ବ୍ୟାପକ ବଢ଼ୁଥିବାରୁ ଏପରି ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ଦେଶର ଚାଲୁ ଖାତାକୁ ନିୟନ୍ତ୍ରଶ ଭିତରକୁ ଆଣିବାକୁ ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି ଯାହାଫଳରେ ସୁନା ଆମଦାନୀ କମିବ ଏବଂ ଆମର ଗଚ୍ଛିତ ବୈଦେଶିକ ପାଣ୍ଠି ବ୍ୟାପକଭାବେ ପ୍ରଭାବିତ ହେବ ନାହିଁ।

ପ୍ରଶ୍ନ ହେଉଛି ସୁନା ଉପରେ ଅତିରିକ୍ତ ଆମଦାନୀ ଶୁଳ୍କ ଲାଗୁ କରିବା କ’ଣ ଏକ ଅଭିନବ ପଦକ୍ଷେପ? ଭାରତର ଜନସାଧାରଣ ଏମିତି କ’ଣ ଏକ ଅର୍ଥନୀତିକ ପଦକ୍ଷେପ ପ୍ରଥମଥର ପାଇଁ ଦେଖୁଛନ୍ତି, ଯାହା କେବେ ଦେଖି ନଥିଲେ?

ଉତ୍ତର ସ୍ପଷ୍ଟ, ଏବଂ ତାହା ନା।

କାରଣ ଭାରତ ବର୍ଷର ଅର୍ଥନୀତି ବିଗତ ୭୯ ବର୍ଷ ଭିତରେ ଅନେକ ଉତ୍‍ଥାନ ପତନ ଦେଖିଛି। ଯେତେବେଳେ ବି ଦେଶ କୌଣସି ଯୁଦ୍ଧ ବା ଆକ୍ରମଣର ସମ୍ମୁଖୀନ ହୋଇଛି ଅଥବା  ବିଶ୍ୱ ଯେତେବେଳେ କୌଣସି ଆର୍ଥିକ ମାନ୍ଦାବସ୍ଥା ବା ଭୟଙ୍କର ଯୁଦ୍ଧର ସମ୍ମୁଖୀନ ହୋଇଛି, ଭାରତ ସେତେବେଳେ ଏମିତି ପଦକ୍ଷେପ ନେବାର ଉଦାହରଣ ରହିଛି। ଖାଲି ସେତିକି ନୁହେଁ, ଏବେ ତ ଆମଦାନୀ ଶୁଳ୍କ ବୃଦ୍ଧି ଘୋଷଣା କରାଯାଇଛି, ଚୀନ ଯୁଦ୍ଧ ପରେ ଏମିତି ପରିସ୍ଥିତି ଉପୁଜିଥିଲା ଯେ ତତ୍‍କାଳୀନ ସରକାରଙ୍କୁ ଭାରତୀୟଙ୍କୁ ସୁନା କିଣିବା ମଧ୍ୟ ବାରଣ କରାଯାଇଥିଲା। ଭାରତୀୟମାନେ ଯେପରି ସୁନା ଇଟା, ଟଙ୍କା ଘରେ ରଖିପାରିବ ନାହିଁ ତାହାର ମଧ୍‍ୟ ବ୍ୟବସ୍ଥା ହୋଇଥିଲା। ଏଥିଲାଗି  ୧୯୬୩ରେ ଏକ ନିୟମ ଆସିଲା ଓ ତା ପରେ ଏହା ସୁନା ନିୟନ୍ତ୍ରଣ ଆଇନ ୧୯୬୮ ଭାବେ ସଂସଦର ଅନୁମୋଦନ ଲାଭ କରିଥିଲା।

ଏହି ଆଇନ ଦ୍ୱାରା କୌଣସି ସୁନାରୀ ବା ବଣିଆ ୧୪ କ୍ୟାରେଟ ସୁନାଠୁ ଅଧିକ ଖାଣ୍ଟି ଅର୍ଥାତ୍‍ ଏବେ ବ୍ୟବହାର ହେଉଥିବା ୨୨ କ୍ୟାରଟ ସୁନାର ଅଳଙ୍କାର ତିଆରି କରିପାରିବେ ନାହିଁ। ପ୍ରାୟ ୩ ଦଶନ୍ଧି ଧରି ଏହି ଆଇନ ବଳବତ୍ତର ରହିଲା। ସରକାର ଆଶା କରିଥିଲେ, ଏହାଦ୍ୱାରା ସୁନା ଆମଦାନୀ ନିୟନ୍ତ୍ରଶ ହେବ, ସରକାରଙ୍କ ବିଦେଶୀ ବିନିମୟ ପାଣ୍ଠି ଗଚ୍ଛିତ ରହିବ। କିନ୍ତୁ ୧୯୯୦-୯୧ ଆର୍ଥିକ ବଜେଟ୍‍ ଉପସ୍ଥାପନ କରିବାବେଳେ ଅର୍ଥମନ୍ତ୍ରୀ ମଧୁ ଦଣ୍ଡବତେ କହିଲେ ଯେ ଏହି ଆଇନ ତାହାର ଲକ୍ଷ୍ୟ ପୂରଣ କରିପାରୁ ନାହିଁ। ବରଂ ଏହା କଳାବଜାରୀ ସୃଷ୍ଟି କରୁଛି। ଭାରତର ସୁନାରୀ ବା ବଣିଆଙ୍କୁ ବେକାରୀ ଭିତରକୁ ଠେଲି ଦେଉଛି। ଅର୍ଥାତ୍‍ ପ୍ରଧାନମନ୍ତ୍ରୀ ଜବାହରଲାଲ୍‍ ନେହରୁଙ୍କଠାରୁ ଆରମ୍ଭ କରି ୧୨ ଜଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଦେଶର ବଣିଆ, ସୁନାରୀଙ୍କୁ ତଳିତଳାନ୍ତ କରିଥିଲା, ଦେଶର ଲୋକଙ୍କପାଖରେ ସୁନା ରହିବା ଏକ ଅପରାଧ ଭାବେ ଗଣାହେଉଥିଲା।  ଏହି ପ୍ରଧାନମନ୍ତ୍ରୀମାନଙ୍କ ଭିତରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଗୁଲଜାରୀଲାଲ୍‍ ନନ୍ଦା, ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୂର ଶାସ୍ତ୍ରୀ,  ଇନ୍ଦିରା ଗାନ୍ଧୀ, ମୋରାରଜୀ ଦେଶାଇ, ଚରଣ ସିଂହ, ରାଜୀବ ଗାନ୍ଧି, ଭିପି ସିଂହଙ୍କ ଭଳି ଉଚ୍ଚାଙ୍ଗ ନେତା ସାମିଲ ଥିଲେ। କିନ୍ତୁ ସେମାନଙ୍କ ଦୂରଦୃଷ୍ଟି କେବେ ଭାରତୀୟଙ୍କ ମନରେ ସୁନାକୁ ମୂଲ୍ୟହୀନ କରିପାରିଲା ନାହିଁ। ସରକାରଙ୍କ ଅପେକ୍ଷା ସୁନା ଯେ ଅଧିକ ଆସ୍ଥାଭାଜନ ତାହା ଏହି ୩୦ ବର୍ଷ କାର୍ଯ୍ୟକାଳ ପ୍ରମାଣିତ କରିଥିଲା।

ଖାଲି ସେତିକି ନୁହେଁ, ସରକାରଙ୍କ ଏହି ପଦକ୍ଷେପ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ବଦଳରେ ୧୯୯୧ ମସିହାରେ ଏକ ଅର୍ଥ ନୀତିକ ସଙ୍କଟ ଆଡ଼କୁ ଆଣିଥିଲା। ଆଉ ଏହି ସଙ୍କଟକୁ ମୁକାବିଲା କରିବା ପାଇଁ ସୁନାର ସାହାଯ୍ୟ ନେଇଥିଲେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର। ଯଦି ଭାରତର ଅର୍ଥନୀତିକ ଇତିହାସ ବାବଦରେ ରୁଚି ରଖନ୍ତି ତେବେ ଏହା ଆପଣ ନିଶ୍ଚିତ ଶୁଣିଥିବେ, ଯେ କିଭଳି ଭାରତରୁ ଟନ୍‍ ଟନ୍‍ ସୁନା ରାତାରାତି ଇଂଲଣ୍ଡ ଏବଂ ସ୍ବିଜରଲ୍ୟାଣ୍ଡକୁ ଉଡ଼ା ଜାହାଜରେ ସ୍ଥାନାନ୍ତରଣ କରାଯାଇଥିଲା। ଏହା ସାଧାରଣ ସ୍ଥାନାନ୍ତରଣ ନଥିଲା। ଏହା ଥିଲା ଭାରତକୁ ଅର୍ଥନୀତିକ ସଙ୍କଟରୁ ମୁକ୍ତ କରିବା ଲାଗି ସୁନା ବନ୍ଧକ ରଖିବାର ପ୍ରଥମ ଉଦାହରଣ । ସେତେବେଳେ ଇଂଲଣ୍ଡର ବ୍ୟାଙ୍କରେ ଭାରତ ସରକାର ୪୭ ଟନ୍‍ ଏବଂ ସ୍ୱିଜରଲାଣ୍ଡକୁ ୨୦ ଟନ୍‍ ସୁନା ବନ୍ଧକ ରଖିବା ଲାଗି ଭାରତକୁ ବଡ଼ ଗୋପନ ଭାବରେ ପଠାଇଥିଲେ। ଏ ବନ୍ଧକ ସୁନାକୁ ଫେରାଇ ଆଣିବାକୁ  ତିନି ଦଶନ୍ଧିରୁ ଅଧିକ ସମୟ ଅର୍ଥରତ୍‍ ୩୩ ବର୍ଷ ଲାଗିଗଲା। ଅର୍ଥାତ୍‍ ଯେଉଁ ସଙ୍କଟକୁ ଟାଳିବା ଲାଗି ଆମେ ଦେଶର ଘରୋଇ ଚାହିଦା ରହୁଥିବା ସୁନା କାରବାରରେ ଅନ୍ତରାୟ ସୃଷ୍ଟି କରୁଥିଲେ ସେହି ସୁନା ଦେଶର ଆର୍ଥିକ ସଙ୍କଟକୁ ସୁଧାରିବାରେ ମଧ୍‍ୟ ସାହାଯ୍ୟ କଲା। ଭାରତ ଏହି ସୁନା ବନ୍ଧକ ରଖି ୬୦୦ ମିଲିୟନ ଡଲାର ଋଣ ପାଇ ପାରିଥିଲା।

ଏହା ସେତେବେଳେ ସ୍ପଷ୍ଟ କରିଥିଲା, ଯେ ସୁନା ସଙ୍କଟ ସୃଷ୍ଟି କରେ ନାହିଁ ବରଂ ସଙ୍କଟରୁ ମୁକ୍ତି ଦେଇଥାଏ। ଏହା ପଡ଼ି ରହିଥିବା କୌଣସି ହଳଦିଆ ଧାତୁ ନୁହେଁ ଏହା କନକ ଲକ୍ଷ୍ମୀ। ଏଣୁ ଯେତେ ଆର୍ଥିକ ସଙ୍କଟ ସୃଷ୍ଟି ହେଲେ ବା ଯେତେ ଟିକସ ଲାଗୁ ହେଲେ ବା ଯେତେ ବଜାରରେ ଦର ବଢ଼ିଲେ ବି ସୁନା ସାଧାରଣ ନାଗରିକଙ୍କଠାରୁ ଶିଳ୍ପପତିଙ୍କ ଯାଏ ପ୍ରଥମ ନିବେଶସ୍ଥଳୀ ହୋଇ ରହି ଆସିଛି। ଆଜି ବି ଭବିଷ୍ୟତର ନିଚ୍ଛକ ବୀମା ହୋଇ ରହିଛି ସୁନା।

ସେଥିଲାଗି ଘରୋଇ ଚାହିଦାକୁ ମେଣ୍ଟାଇବା ଲାଗି ଭାରତବର୍ଷକୁ ପ୍ରାୟ ୬୦ଟନ୍‍ ସୁନା ଆମଦାନୀ କରୁଛି। ତଥାପି ଦେଶରେ ଚାଲୁଖାତା ନିଅଣ୍ଟ ହେଲେ ଆଗ ଯେ କୌଣସି ସରକାର ସୁନା ଉପରେ ଆକ୍ରମଣ କରୁଛନ୍ତି। ବିଶିଷ୍ଟ ଅର୍ଥନୀତିକ ମନମୋହନ ସିଂହ ମଧ୍ୟ ୨୦୧୩ ମସିହାରେ ଏମିତି ଏକ ପଦକ୍ଷେପ ନେଇଥିଲେ। ସେତେବେଳେ ଦେଶର ଅର୍ଥନୀତି ଉପରେ ଅକାଳ ପଡ଼ିଥିଲା ପ୍ରାୟ। ଜିଡିପି ୧୩.୩ ପ୍ରତିଶତରୁ ହଠାତ୍‍ ୪.୮ ପ୍ରତିଶତକୁ ଖସି ଆସିଥିଲା। ରାଜନୀତିକ ଡ୍ରାମାବାଜୀ ତ ହୋଇଥିଲା, କିନ୍ତୁ ଅର୍ଥନୀତି ବିଶାରଦ ପ୍ରଧାନମନ୍ତ୍ରୀ ଏହି ସଙ୍କଟରୁ ମୁକୁଳିବା ଲାଗି ସୁନା ଉପରେ କଟକଣା ଲଗାଇଲେ। ଅର୍ଥାତ୍‍ ୨୨ ବର୍ଷ ପରେ ପୁଣିଥରେ କଂଗ୍ରେସ ସରକାର ସୁନା କିଣିବା ଉପରେ କଟକଣାକୁ ଲାଗୁ କରିଲା। ଏହି କଟକଣା ଅନୁସାରେ ଭାରତକୁ ଆମଦାନୀ କରୁଥିବା ସୁନାର ୨୦ ପ୍ରତିଶତକୁ ଗହଣା ଆକାରରେ ବିଦେଶକୁ ରପ୍ତାନୀ କରିବାକୁ ବ୍ୟବସାୟୀଙ୍କୁ ବାଧ୍ୟ କରାଗଲା। ଖାଲି ସେତିକି ନୁହେଁ ଏହି ବର୍ଷ ସୁନା ଉପରେ ଆମଦାନୀ ଶୁଳ୍କ ୨ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍‍ଧି କରାଯାଇଥିଲା। ନିଃସନ୍ଦେହ ଯେ ଏହା ଚାଲୁଖାତା ନିଅଣ୍ଟକୁ  ହ୍ରାସ କରିଲା। କିନ୍ତୁ ଦେଶର ସୁନା ବଜାରରେ କଳାବଜାରୀ ବୃଦ୍ଧି କଲା। ଅର୍ଥାତ୍‍ ସୁନା ଆଉ ଆଇନଗତ ରାସ୍ତାରେ ନ ଆସି ଦେଶକୁ ବେଆଇନ ବାଟରେ ଆସିଲା।

୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ମେ’ ମସରେ ଏହି ନିୟମକୁ ଉଠାଇଦେଲେ। କହିଲେ ଯେ ତତ୍‍କାଳୀନ ସରକାର କିଛି ନିର୍ଦ୍ଦିଷ୍ଟ  କମ୍ପାନୀଙ୍କୁ ଫାଇଦା ଦେବା ଲାଗି ଏପରି ଏକ ନିଷ୍ପତ୍ତି ନେଇଥିଲେ। ଯାହାଦ୍ୱାରା ସୁନା ଆମଦାନୀ ମାସିକ ୩୩.୬ ଟନ୍‍ରୁ ୯୨.୧୬ ଟନ୍‍କୁ ବଢ଼ିଥିଲା। ଆଉ ଗୋଟିଏ କିଲୋ ସୁନା ଆମଦାନୀରେ ୨ ଲକ୍ଷ ଟଙ୍କା ଫାଇଦା ପାଇଥିଲେ ଆମଦାନକାରୀ। ଆଉ ମାର୍ଚ୍ଚ ୨୦୧୪ରୁ ମେ ୨୦୧୪ ଭିତରେ  ୪୫୦୦ କୋଟି ଟଙ୍କାର ଲାଭ ଉଠାଇଥିଲେ ବ୍ୟବସାୟୀ। ଏହାଦ୍ୱାରା ସୁନା ସ୍ମଗଲିଂ ବଢ଼ିଥିଲା। ଏ ବିଷୟକୁ ସରକାର ପ୍ରେସ ରିଲିଜ୍‍ ଆକାରରେ ବି ଜାରି କରିଥିଲେ।  ମୋଦୀ ସରକାର ମେ’ ମାସରେ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଲେ, ଏବଂ  ସୁନା ଉପରେ ଲାଗୁଥିବା ୧୦ ପ୍ରତିଶତ ଆମଦାନୀ ଶୁଳ୍କ ହ୍ରାସ କରି ୬.୫%ରେ ସୀମିତ ରଖିଥିଲେ।  ସୁନାକୁ ଏକ ପଡ଼ି ରହିଥିବା ଧାତୁ ନୁହେଁ ବରଂ ଏହାକୁ ଏକ ନିବେଶ ଭାବେ ସୁଯୋଗ ବି ସୃଷ୍ଟି କଲେ। ରେ ସୋଭେରାଇନ୍‍ ଗୋଲ୍ଡ ବଣ୍ଡ ସରକାର ଜାରି ହେଲା। ଯାହା ଏବେ ଜାରି ରହିଛି। ଆଉ ସରକାରଙ୍କ ଆମଦାନୀ ଶୁଳ୍କ ବୃଦ୍ଧି ହେତୁ ଏହି ବଣ୍ଡ୍‍ଧାରୀଙ୍କୁ ମଧ୍ୟ ହଠାତ୍‍ ୧୦ ପ୍ରତିଶତ ଲାଭ ହୋଇଛି।

ଯଦି ଏପରି ପଦକ୍ଷେପ କଳାବଜାରୀ, ସ୍ମଗଲିଂକୁ ପ୍ରଶ୍ରୟ ଦେବ ତେବେ ଏହା କ’ଣ ଭାରତୀୟ ଅର୍ଥନୀତି ଉପରେ ଆସିଥିବା ଆଘାତକୁ ରୋକିପାରିବ?

ଏହା ଏକ ବହୁତ ବଡ଼ ପ୍ରଶ୍ନ। ତଥାପି ଆଶା ସକରାତ୍ମକ ରହିବା ଆବଶ୍ୟକ।  ସରକାରଙ୍କ ଉପରେ ଭରସା କରି କିଛିଦିନ ଘରେ ଆଉ ସୁନା ଗଚ୍ଛିତ ପରିମାଣ ନ ବଢ଼ାଇ ଦେଶର ବୈଦେଶିକ ମୁଦ୍ରା ପାଣ୍ଠି ବୃଦ୍ଧିକୁ ସୁଯୋଗ ଦେବା ଆବଶ୍ୟକ। ଖାଲି ସେତିକି ନୁହେଁ, ବିଦେଶରୁ ଆମଦାନୀ ହେଉଥିବା ଯନ୍ତ୍ରପାତି, ଇଲେକ୍ଟ୍ରନିକ୍ସ ଉପକରଣ ବ୍ୟବହାର ମଧ୍ୟ ସୀମିତ ରଖିବା ଆବଶ୍ୟକ। ଏ ଜାତୀୟ ଜିନିଷ କିଣିବା ବେଳେ ‘ମେଡ୍‍ ଇନ୍‍ ଇଣ୍ଡିଆ’ କୁ ପସନ୍ଦ କରିବା ଆମ ଭବିଷ୍ୟତ ପାଇଁ ଅଧିକ ଲାଭଦାୟକ ହେବ। ଯଦି ଏହା ସରକାରଙ୍କୁ ଆଖିଦୃଶିଆ ସହାୟତା ନ ଦିଏ ତେବେ ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ଏକ ଅବଶ୍ୟମ୍ଭାବୀ ପ୍ରସଙ୍ଗ ହେବ।

Leave a Reply

Your email address will not be published. Required fields are marked *