କଳ୍ପନା ଦାଶଙ୍କ ନାମରେ ରାସ୍ତା ନାମକରଣ କାହିଁକି ଆବଶ୍ୟକ?

ଭୁବନେଶ୍ୱର, (ରୁଦ୍ର ପ୍ରସନ୍ନ ରଥ):  ଗତ ନଭେମ୍ବର ମାସ ୨୦ ତାରିଖରେ ଜଣେ ସଫ୍ଟୱେର ଇଂଜିନିୟର ଦିପ୍ତୀ ଦାସ ଢେଙ୍କାନାଳରୁ ଭୁବନେଶ୍ୱରଯାଏ ଅଲ୍ଟ୍ରା ମାରାଥନ ଦୌଡିବାର ଖବର ଗଣମାଧ୍ୟମରେ ପହଁଚିଲା ।ତାଙ୍କ ସହିତ ଥିଲେ ରନର ସିଦ୍ଧାର୍ଥ ଦାଶ । ୬୬ କିମି ଦୁରତା ବିଶିଷ୍ଟ ଏହି ମାରାଥନକୁ ଦୌଡିବା ପାଇଁ ଦିପ୍ତୀଙ୍କ ୁ ଲାଗିଗଲା ପ୍ରାୟ ସାଢେ ଆଠ ଘଂଟା । ଦୌଡ ଆରମ୍ଭ ହୋଇଥିଲା ଢେଙ୍କାନାଳରୁ ରାତି ସାଢେ ଚାରିଟାବେଳେ । ଶେଷ ହେଲା ଦିନ ସାଢେ ଗୋଟାଏ ବେଳେ କଳିଙ୍ଗ ଷ୍ଟାଡିୟମ୍ ର ଗେଟ୍ ନମ୍ବର ତିନି ସାମ୍ନାରେ । କିଛି ଗଣମାଧ୍ୟମ ପ୍ରତିନିଧି ଏବଂ ଢେଙ୍କାନାଳ ସାଂସ୍କୃତିକ ସଂଗଠନର ହାତଗଣତି ପ୍ରତିନିଧି ଦିପ୍ତୀଙ୍କୁ ସ୍ୱାଗତ କଲେ ।

ଶୀତଦିନେ ମାରାଥନ ଦୌଡିବା କିଛି ବଡ କଥା ନୁହେଁ । ଓଡିଶାରେ ଏହି ସମୟରେ ବହୁତ ମାରାଥନ ଅନୁଷ୍ଠିତ ହୁଏ । ତେବେ ଏଥର ଦିପ୍ତୀ ଦୌଡୁଥିଲେ ଗୋଟିଏ ସ୍ୱତନ୍ତ୍ର କାରଣ ପାଇଁ । ଏହା ଥିଲା ଓଡିଶାର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ ସ୍ୱର୍ଗତା କଳ୍ପନା ଦାଶଙ୍କ ପାଇଁ । ଭୁବନେଶ୍ୱରର ଜୟଦେବ ବିହାର ଛକଠାରୁ କଳିଙ୍ଗ ଷ୍ଟାଡିୟମ ଛକଯାଏ ରାସ୍ତାକୁ କଳ୍ପନା ଦାଶ ସ୍ମାରକୀ ମାର୍ଗଭାବେ ନାମ କରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ଦିପ୍ତୀଙ୍କର ଏହି ଦୌଡଥିଲା । ପ୍ରକାଶିତ ଗଣମାଧ୍ୟମ ରିପୋର୍ଟରୁ ଯାହା ଜଣାପଡେ ଦିପ୍ତୀଙ୍କ ଏହି ଉଦ୍ୟମକୁ ଅନେକ ପ୍ରଶଂସା କରିଛନ୍ତି । ଆଗକୁ ଏ ନେଇ ସରକାରଙ୍କର ପଦକ୍ଷେପ କଣ ହେବ ତାହା ଦେଖିବାର ଅଛି ।

ଏଭେରେଷ୍ଟ ବିଜୟୀନି କଳ୍ପନା ଦାଶଙ୍କର ବୋଧହୁଏ କୌଣସି ପରିଚୟ ଦେବାର ଆବଶ୍ୟକ ନାହିଁ । ଢେଙ୍କାନାଳରୁ ଜନ୍ମ ହୋଇ ବିଶ୍ୱର ସର୍ବବୃହତ ଶୃଙ୍ଗ ମାଉଂଟ ଏଭେରେଷ୍ଟ କୁ ଦୁଇ ଦୁଇ ଥର ଚଢିଥିବା ଏହି ମହାନ ଆତ୍ମା ଆଉ ଆମ ମଧ୍ୟରେ ନାହାନ୍ତି । ୨୩ ମେ ୨୦୧୯ରେ ସେ ଦ୍ୱିତୀୟଥର ପାଇଁ ଏଭେରେଷ୍ଟ ଚଢିସାରି ଓହ୍ଲାଉଥିବା ବେଳେ ଏଭେରେଷ୍ଟର ବାଲକୋନୀରେ ପ୍ରାଣତ୍ୟାଗ କରିଥିଲେ । ୱିକିପେଡିଆରୁ ସଂଗୃହୀତ ତଥ୍ୟ ଅନୁଯାୟୀ ୨୧ ମେ ୨୦୦୮ ରେ ସେ ପ୍ରଥମ ଥର ପାଇଁ ଏଭେରେଷ୍ଟ ଚଢିଥିଲେ । ତା ପୂର୍ବରୁ ଆଫ୍ରିକା, ଦକ୍ଷିଣ ଆମେରିକା, ଉତ୍ତର ଆମେରିକା ,ୟୁରୋପ ଏବଂ ଅଷ୍ଟ୍ରେଲିଆ ମହାଦେଶର ସବୁବଡ ବଡ ଶୃଙ୍ଗ ଉପରେ ଆରୋହଣ କରିସାରିଥିଲେ ।

ପରେ ଆଉଥିରେ ଏଭେରେଷ୍ଟ ଅଭିଯାନରେ ବାହାରିଥିଲେ ୨୦୧୯ରେ । ସେତେବେଳେ ତାଙ୍କର ଆର୍ଥିକ ସ୍ଥିତିଭଲ ନଥିଲା । ଏତେ ପ୍ରସିଦ୍ଧି ସତ୍ତ୍ୱେ ବି ସରକାର ତାଙ୍କୁ ଖଣ୍ଡେ ଭଲ ଚାକିରୀ ଦେଇ ପାରିନଥିଲେ ବୋଲି ପୁରୀର ଅରୁଣ ସ୍ତମ୍ଭ ପାଖରେ ଦୀପ ଜାଳି ସରକାରଙ୍କ ଦୃଷ୍ଟି ଆକର୍ଷଣର କରିଥିଲେ । ୨୦୧୧ ମେ ମାସରେ ସେ ପୁରୀ ରେ ଧାରଣାରେ ବସିଥିଲେ । ଏହା ପୂର୍ବରୁ କଳ୍ପନା ୨୦୦୪ ଏବଂ ୨୦୦୬ ରେ ଦୁଇଥର ଏଭେରେଷ୍ଟ ଚଢିବାକୁ ଚେଷ୍ଟା କରିଥିଲେ ବି ଅସଫଳ ହୋଇଥିଲେ । ୨୦୦୮ ରେ ସଫଳ ହୋଇଥିଲେ ବି ନିଜର ମନମୁତାବକ ଚାକିରୀ ଖଣ୍ଡିଏ ପାଇବା ପାଇଁ ସେ ସରକାର ବାହାଦୂରଙ୍କ ପଛରେ ଦୌଡିଥିଲେ ।

୨୦୧୯ରେ କଳ୍ପନାଙ୍କ ଅଚାନକ ମୃତ୍ୟୁ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ସମସ୍ତେ ଦୁଃଖ ପ୍ରକାଶ କଲେ । ତେବେ ଓଡିଶା ସରକାର ଏହି ସମୟରେ ନିଜର ବିଭିନ୍ନ ବିଭାଗ ମଧ୍ୟରେ ଅଦ୍ଭୁତ ପୂର୍ବ ସମନ୍ୱୟ ରକ୍ଷାକରି ମୃତଦେହକୁ ତଳକୁ ଆଣିବାର ବ୍ୟବସ୍ଥା କରିଥିଲେ । ଏଥିରେ ସରକାରଙ୍କ ପାଖରେ ଅନେକ ଆହ୍ୱାନ ଥିଲା । ଏଭେରେଷ୍ଟ ଚଢିବା ସେତେବେଳେ ବନ୍ଦ ହୋଇ ଆସୁଥାଏ । ଆଉ ତୁରନ୍ତ ଏକାଧିକ ତାଲିମପ୍ରାପ୍ତ ସେରପାଙ୍କୁ ଉପରକୁ ପଠାଇ କଳ୍ପନାଙ୍କର ମୃତଦେହକୁ ତଳକୁ ଆଣିବା କାଠିକର ପାଠଥିଲା । ସରକାର କିନ୍ତୁ ଏଥିରେ ସଫଳ ହୋଇଥିଲେ । କଳ୍ପନା ଙ୍କ ମୃତ ଦେହ ଓଡିଶାକୁ ଫେରିଲା । କଳିଙ୍ଗ ଷ୍ଠାଡିୟମ ରେ ତାଙ୍କ ମୃତ ଦେହକୁ ଶେଷ ସମ୍ମାନ ଦେଲାବେଳେ ଅନେକ ଅଶ୍ରୁ ସମ୍ବରଣ କରିପାରୁନଥିଲେ । ମୃତ୍ୟୁବେଳକୁ ତାଙ୍କୁ ହୋଇଥିଲା ମାତ୍ର ୫୨ ବର୍ଷ ।
ଏହାର ତୁରନ୍ତପରେ ପରେ ଆରମ୍ଭ ହେଲା ଅନଲାଇନ ଏକ କ୍ୟାମ୍ପେନ । ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥ ଏହି ଅଭିଯାନର ନେତୃତ୍ୱ ନେଲେ । ପାଖାପାଖି ପାଂଚ ହଜାର ଲୋକଙ୍କର ଦସ୍ତଖତ ସମ୍ବଳିତ ଏକ ମିଳିତ ଅନୁରୋଧ ପତ୍ରକୁ ଏକ ପ୍ରତିନିଧି ମଣ୍ଡଳ ଯୋଗାଡ କଲା । ଏହାକୁ ନେଇ ପ୍ରଥମେ ରାଜ୍ୟପାଳ ଏବଂ ପରେ ମାନ୍ୟବର କ୍ରୀଡାମନ୍ତ୍ରୀଙ୍କୁ ଭେଟିବାକୁ ପ୍ରତିନିଧିମଣ୍ଡଳ ଗଲେ । ସମସ୍ତେ ସହମତି ପ୍ରଦାନ କଲେ ବି ଏହା ଉପରେ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରିଲା ନାହିଁ । ବରଂ ଏହା ପରେ ପରେ କୋଭିଡ୍ କଟକଣା ଯୋଗୁଁ ଏ ନେଇ ଆଗକୁ ବିଶେଷ କିଛି ପଦକ୍ଷେପ ନିଆଯାଇ ପାରିଲା ନାହିଁ ।

ଏବେ ଦିପ୍ତୀ ଦାସଙ୍କ ଅଲ୍ଟ୍ରା ମାରାଥନ ଏହି ଆଲୋଚନାକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଛି । କଳ୍ପନା ଦାଶଙ୍କ ନାମରେ ଏକ ରାସ୍ତାର ନାମ କରଣର ଯଥାର୍ଥତା କଣ ତାହା ଆଲୋଚନାର ପରିଧିକୁ ଆସିଛି ।

ପ୍ରଥମତଃ କଳ୍ପନା ଜଣେ ମହିଳାଥିଲେ । ଆମ ଓଡିଶାରେ ମହିଳା ଏବଂ ସେମାନଙ୍କ ସଫଳତାକୁ ଉତ୍ସାହିତ କରି ଏହାକୁ ପର୍ବଭାବେ ପାଳନ କରିବାର ଅନେକ ଉଦାହରଣ ରହିଛି । ଓଡିଶା ମହିଳା ସଶକ୍ତିକରଣରେ ବିଶ୍ୱାସକରେ ଏବଂ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ବିଭିନ୍ନ ସରକାର ସମ୍ମାନ ଦେଇ ବେଶ ପ୍ରଶଂସା ସାଉଁଟିଛି । ଏ କ୍ଷେତ୍ରରେ କଳ୍ପନାଙ୍କୁ ସମ୍ମାନ ଦେଲେ ସରକାର ମହିଳାମାନଙ୍କର କାମ ଏବଂ ପ୍ରଦର୍ଶନକୁ ସମ୍ମାନ ଦେବା ପରି ହେବ । ମା’କୁ ସମ୍ମାନ ଏବଂଗାଁ କୁ କାମ ବୋଲି ସ୍ଲୋଗାନ ଦେଇ ସରକାରରେ ରହିଥିବା ଦଳ ମାରାଥନ ରନର ଦିପ୍ତୀଙ୍କର ଏହି ଛୋଟିଆ ଅନୁରୋଧକୁ ସ୍ୱୀକାର କରିବାରେ ହେଳା କରିବ ନାହିଁ ନିଶ୍ଚିତ ।

ଦ୍ୱିତୀୟ କାରଣ ହେଉଛି କଳ୍ପନା ଦାଶ ଗୋଟିଏ ଅଣପାରମ୍ପାରିକ କ୍ରୀଡାକୁ ପ୍ରୋତ୍ସାହିତ କରୁଥିଲେ । ସାଧାରଣତଃ ଭାରତୀୟମାନେ କ୍ରୀଡା କହିଲେ କ୍ରିକେଟକୁ ବୁଝନ୍ତି । କ୍ରିକେଟ୍ ର ବ୍ୟାପକ ପ୍ରଚାର ପ୍ରସାର ଯୋଗୁଁ ଅନ୍ୟ ପାରମ୍ପାରିକ କ୍ରୀଡା ଉଧେଇ ପାରୁନାହିଁ । ଫୁଟବଲ କିମ୍ବା ହକି ପରି ଖେଳ ଉଧାଉ ପାରୁନାହିଁ ବୋଲି ଅନେକ ମତ ଦେଉଛନ୍ତି । କଳ୍ପନାଙ୍କ କ୍ରୀଡାରେ ଦୁଃସାହସ ଥିଲା । ଏହା ଅଣପାରମ୍ପରିକ ଏବଂ ଏହାକୁ ଜଣେ ଚାହିଁଲେ ବି ଜୀବନସାରା ଖେଳିପାରିବ ନାହିଁ । ଏହି ଖେଳରେ ସଫଳ ହେବାକୁ ହେଲେ ଆପଣଙ୍କୁ ଅନେକ ସମୟରେ ତମାମ୍ ଜୀବନର ସଂଚୟ ଏବଂ ସମୟ ଦେବାକୁ ପଡେ । ଅନେକ ସମୟରେ ତ ସାରା ଜୀବନରେ ଥରେ ହିଁ ଆପଣଙ୍କୁ ଏହି ଖେଳରେ ଭାଗ ନେବାକୁ ସୁଯୋଗ ମିଳିଥାଏ । ଏଭେରେଷ୍ଟ ଚଢିବା ପାଇଁ ଏବେ ପ୍ରାୟ ୧୫ ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ସାରା ଜୀବନ ଆପଣ ଚେଷ୍ଟା କଲେ ବି ଏତିକି ଅର୍ଥରାଶି ଯୋଗାଡ କରି ବାରମ୍ବାର ଏଭେରେଷ୍ଟ ଚଢି ପାରିବେ ନାହିଁ । ଆପଣ ଏବେ ଚିନ୍ତା କରନ୍ତୁ କଳ୍ପନା ଦାଶଙ୍କ ପରି ମହିଳା ଯାହାର ନିଜସ୍ୱ ରୋଜଗାର ର ବିଶେଷ ବ୍ୟବସ୍ଥା ନଥିଲା ସେ କେତେ କଷ୍ଟରେ ଏହି ଅର୍ଥ ରାଶି ଯୋଗାଡକରିଥିବେ ।କ ଳ୍ପନା ଏଭେରେଷ୍ଟକୁ ବୋଧହୁଏ ଅହେତୁକ ଭଲ ପାଉଥିଲେ । ନହେଲେ ପ୍ରଥମ ଦୁଇଥର ବିଫଳ ହେଲେ ବି ସେ ଆଉ ଦୁଇଥର ଏପରି ଚେଷ୍ଟା କରିପାରିନଥାନ୍ତେ । ଯେଉଁଠି ପାଇବା ଅପେକ୍ଷା ଦେବାରେ ଅଧିକ ଆନନ୍ଦଥାଏ ତାହାକୁ ହିଁ ପ୍ରକୃତ ପ୍ରେମ କୁହାଯାଏ । ବୋଧହୁଏ କଳ୍ପନା ଏଭେରେଷ୍ଟ ସହ ପ୍ରେମରେ ପଡି ଏହାକୁ ପ୍ରମାଣିତ କରିବାକୁ ଚାହୁଁଥିଲେ ।

କଳ୍ପନାଙ୍କ ନାମରେ ରାସ୍ତା ନାମକରଣ ପାଇଁ ଦାବୀ କରିବାର କାରଣ ବି ଅଛି । ଗତ ଗୋଟିଏ ଦଶନ୍ଧି ଭିତରେ ଓଡିଶା ଭାରତର କ୍ରୀଡା ରାଜଧାନୀ ନାମରେ ନାମିତ ହୋଇଛି । ସରକାର ନିଜର ଦୂର ଦୃଷ୍ଟି ପ୍ରୟୋଗ କରି ଓଡିଶାକୁ କ୍ରମେ କ୍ରମେ ଦର୍ଶକରୁ ଆୟୋଜକ ଏବଂ ଆୟୋଜକରୁ ପ୍ରାୟୋଜକ ଭୂମିକାକୁ ନେଇପାରିଛନ୍ତି । ଅଥଚ ଏଯାଏ ଓଡିଶାର ତମାମ ପୁରୁଣା ଖେଳାଳୀଙ୍କ ସ୍ମୃତିରକ୍ଷା ନିମନ୍ତେ ବିଶେଷ କିଛି ବ୍ୟବସ୍ଥା କରିଥିବାର ମନେ ହୁଏ ନାହିଁ । ଆମେ ମନେ ରଖିବା କଥା ଯେ ଅଲମ୍ପିକ୍ସରେ ପଦକ ଜିତିବାଠାରୁ ଏଭେରେଷ୍ଟ ଚଢିବା ବେଶ୍ କଷ୍ଟକର । ଏଣୁ କଳ୍ପନା ଦାଶଙ୍କ ନାମରେ ରାସ୍ତାଟିଏ ଆରମ୍ଭ କରି ସରକାର ଏହି ପରମ୍ପରାର ଶୁଭାରମ୍ଭ କରିପାରନ୍ତେ । ଓଡିଶାର ବିଭିନ୍ନ ଛକ ଏବଂ ରାସ୍ତା ସବୁ ବିଭିନ୍ନ ସାହିତ୍ୟିକ କିମ୍ବା ରାଜନେତାଙ୍କ ନାମରେ ନାମିତ ହୋଇଥିବାବେଳେ କ୍ରୀଡାବିତ୍ ମାନଙ୍କର ନାମରେ ବୋଧହୁଏ ଏଯାଏ ରାସ୍ତାଟିଏ ନାହିଁ । ଏପରି ସ୍ଥିତିରେ ସରକାର କ୍ରୀଡାବିତଙ୍କୁ ସମ୍ମାନୀତ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ।

ଓଡିଶାରେ କ୍ରୀଡାର ପ୍ରଚାର ଏବଂ ପ୍ରସାର ଘଟିଲେ ବି ଓଡିଆ କ୍ରୀଡାବିତ୍ ମାନଙ୍କର ସଫଳତାର ହାର ବଡ ବଡ ପ୍ରତିଯୋଗୀତାରେ ବେଶୀ ଉତ୍ସାହଜନକ ନୁହେଁ । ଏହାର ଏକାଧିକ କାରଣ ବି ରହିଛି । ପ୍ରମୁଖ କାରଣହେଲା ଖେଳରେ କ୍ୟାରିୟର କରିବାରେ ବେଶ୍ ବିପଦ ରହିଛି । ଆପଣଯେ ଏଥିରେ ସଫଳ ହେବେ ସେ ନେଇ କୌଣସି ନିଶ୍ଚିତତା ନାହିଁ । ଏଣୁ ଅନେକ ବାପାମାଆ ପିଲାଙ୍କୁ ଖେଳକୁ କ୍ୟାରିୟର ରୁପେ ଗ୍ରହଣ କରିବାକୁ ମନା କରନ୍ତି । ପୁଣି ଖେଳାଳୀର ସାମାଜିକ ସୁରକ୍ଷା ବ୍ୟବସ୍ଥା ବି ନାହିଁ । ଖେଳରେ ବିଫଳ ହେଲେ ଜଣେ କୁଆଡେ ଯିବ ସେ ପ୍ରଶ୍ନର ଉତ୍ତର ବି କାହା ପାଖରେ ନଥାଏ । ଅନେକ ଲୋକଙ୍କ ପାଖରେ ନିଜ ଖେଳର ସ୍ଥାନୀୟ ରୋଲ ମଡେଲ ବି ନଥାନ୍ତି, ଯାହାକୁ ପ୍ରେରଣାର ଉତ୍ସ ଭାବି କିମ୍ବା ଯାହାଠାରୁ ଉପଦେଶ ପାଇ ଖେଳରେ ଆଗକୁ ବଢିହେବ । ଦାରିଦ୍ର‌୍ୟ ଏବଂ ବିଫଳତା ସହ ଲଢିଥିବା କଳ୍ପନା କେବଳ ପର୍ବତ୍ୟାରୋହଣ କାହିଁକି ଅନେକ କ୍ଷେତ୍ରରେ ଆମ ସମସ୍ତଙ୍କର ରୋଲ ମଡେଲ ହେବାପାଇଁ ଯୋଗ୍ୟ । ଜଣେ ଏତେବଡ ସଫଳତାର ଅଧିକାରିଣୀ ବ୍ୟକ୍ତିତ୍ୱପାଇଁ ଭୂବନେଶ୍ୱର ରେ ରାସ୍ତା ନାମକରଣର ଯଥାର୍ଥତା ନାହିଁ କି ? ତାଙ୍କ ନାମରେ ନାମିତ ରାସ୍ତାଟିଏ ଅନେକଙ୍କୁ କ୍ରୀଡାକୁ କ୍ୟାରିୟର ହିସାବରେ ନେବାକୁ ଅନୁପ୍ରାଣୀତ କରିବ ବୋଲି ଆଶା କରାଯାଏ ।

ଏବେ ପ୍ରଶ୍ନ ଉଠିବ ଯେ ଜୟଦେବ ବିହାରଠୁ କଳିଙ୍ଗ ଷ୍ଠାଡିୟମ୍ ରାସ୍ତା କାହିଁକି? ଏହାର ବି କାରଣ ରହିଛି । କଳିଙ୍ଗ ଷ୍ଟାଡିୟମରେ ହେଉଥିବା ଅନେକ ବଡ ବଡ ଆର୍ନ୍ତଜାତୀୟ ପ୍ରତିଯୋଗୀତା ଅନୁଷ୍ଠିତ ହେଉଥିବାବେଳେ ଖେଳାଳୀମାନେ ସାଧାରଣତଃ ଜୟଦେବ ବିହାର ଛକର ଆର ପଟରେ ଥିବା ହୋଟେଲରେ ଅବସ୍ଥାନ କରନ୍ତି । ଏହି ରାସ୍ତା ଦେଇ ଦୈନନ୍ଦିନ ଖେଳାଳୀମାନେ ବସରେ ଯିବା ଆସିବା କରନ୍ତି । ବିଦେଶୀ ଖେଳାଳୀମାନେ ଏହି ରାସ୍ତା ଦେଇ ଗଲାବେଳେ ଯଦି ଏହି ରାସ୍ତାର ନାମକରଣ କଳ୍ପନା ଦାଶ ସ୍ମାରକୀ ମାର୍ଗ ରଖା ହେବ ତେବେ ବାହାରର ଲୋକ କଳ୍ପନା ଦାଶ ଏବଂ ତାଙ୍କ କୃତୀ ବିଷୟରେ ସହଜରେ ଜାଣି ପାରିବେ । ଏହା ଓଡିଶାର ପର୍ବତାରୋହଣର ସଫଳତାକୁ ବିଶ୍ୱ ଦରବାରରେ ପହଁଚାଇବ । ଓଡିଶାର ପର୍ବତ୍ୟାରୋହଣର ଏକ ସୁଦୀର୍ଘ ଇତିହାସ ରହିଛି ଏବଂ କଳ୍ପନାଙ୍କ ବ୍ୟତୀତ ଆଉ ଦୁଇଜଣମଧ୍ୟ ଏଭେରେଷ୍ଟ କୁ ଚଢିସାରିଛନ୍ତି । ତେବେ ସେମାନଙ୍କର କୃତୀତ୍ୱ ବିଶ୍ୱ ଦରବାରରେ ପହଁଚାଇବାରେ ଏହି ରାସ୍ତାର ନାମକରଣ ସହାୟକ ହୁଅନ୍ତା ।

ଦିପ୍ତୀ ଦାଶ ଏକ ଅଭୁଲା ମାରାଥନ ଦୌଡି ଲୋକ ମାନସିକତାରେ କ୍ରମଶଃ ବିସ୍ମୃତ ହୋଇ ଆସୁଥିବା କଳ୍ପନା ଦାଶଙ୍କ ସ୍ମୃତିକୁ ଆଉଥରେ ଉଖାରି ଦେଇଛନ୍ତି । ଏବେ ବଲ ସରକାରଙ୍କ କୋର୍ଟରେ ସରକାର ଏହି ଅନୁରୋଧକୁ କିପରି ଗ୍ରହଣ କରୁଛନ୍ତି ତାହାଦେଖିବାର କଥା ।


ଧବଳଗିରି, ଯାଜପୁର ରୋଡ
୭୯୭୮୬୭୧୭୭୬

One thought on “କଳ୍ପନା ଦାଶଙ୍କ ନାମରେ ରାସ୍ତା ନାମକରଣ କାହିଁକି ଆବଶ୍ୟକ?

Leave a Reply to Ghasiram Panda Cancel reply

Your email address will not be published. Required fields are marked *