ଲାଗିଲା ଜିଏସ୍‌ଟି, ମହଙ୍ଗା ହେବ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା!

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଘରେ ବସି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଉଛନ୍ତି କି? ଆପଣଙ୍କୁ ଏହା ପଡିପାରେ ମହଙ୍ଗା। ଆପଣଙ୍କ ପକେଟ୍‌ରୁ ଖର୍ଚ୍ଚ ହୋଇପାରେ ଅଧିକ ଟଙ୍କା। କାରଣ ଏବେ ଅନ୍‌ଲାଇନ୍ ଫୁଡ୍‌ ଡେଲିଭାରୀ ପ୍ଲାଟଫର୍ମ ଯେପରିକି ସ୍ୱିଗି, ଜୋମାଟୋ ଭଳି ସଂସ୍ଥାରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ। ସମସ୍ତ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ ଆପ୍‌ ଏବେ ୫ ପ୍ରତିଶତ ଜିଏସ୍‌ଟି ପରିସର ଭୁକ୍ତ ହୋଇଛି। ଶୁକ୍ରବାର ହୋଇଥିବା ଜିଏସ୍‌ଟି କାଉଂସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସେପଟେ ଏହି ନିଷ୍ପତ୍ତି ପରେ ସୋଶାଲ ମିଡିଆରେ ଅନେକ ୟୁଜର ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡରରେ ଅଧିକ ଟଙ୍କା ଦେବାକୁ ପଡିବ ଭାବି ସେମାନେ ବିରକ୍ତି ପ୍ରକାଶ କରିଛନ୍ତି। ସ୍ଵିଗି ଓ ଜୋମାଟା ପରି ଇ-କମର୍ସ ସଂସ୍ଥା ତାଙ୍କୁ ଖାଦ୍ୟ ଯୋଗାଉଥିବା ରେସ୍ତୋରାଁର ସର୍ଭିସ ଉପରେ ଜିଏସଟି ପୈଠ କରିବ। ଏ ପର୍ଯ୍ୟନ୍ତ ରେସ୍ତୋରାଁ ଦ୍ଵାରା ଇ-ଟ୍ୟାକ୍ସ ପୈଠ କରାଯାଉଥିଲା। ଏଥିରେ ଫୁଡ୍ ଡେଲିଭରି ଆପ୍‌ର କୌଣସି ସଂପର୍କ ନଥିଲା। ମାତ୍ର ଏବେ ଜୋମାଟୋ ଓ ସ୍ଵିଗି ପରି ଏଗ୍ରିଗେଟର ଏହି ଟ୍ୟାକ୍ସ ପୈଠ କରିବେ। ଏମିତିରେ ଏହି ଟ୍ୟାକ୍ସ ଗ୍ରାହକଙ୍କଠୁ ଆଦାୟ କରାଯାଇପାରେ। ହେଲେ ବିଶେଷଜ୍ଞଙ୍କ କହିବା କଥା ଏହା କୌଣସି ଅତିରିକ୍ତ ଟ୍ୟାକ୍ସ ନୁହେଁ। ଫୁଡ୍ ଡେଲିଭରି ଆପ୍ସ ଗ୍ରାହକଙ୍କ ଉପରେ ଏହି ବୋଝ ଲଦିବା ବଦଳରେ ନିଜେ ଏହା ବହନ କରିବ ବୋଲି ଆଶା କରାଯାଇଛି।

ସେପଟେ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ଯେ, ଏହି ପଦେକ୍ଷପ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବ କି ନାହିଁ। କାରଣ କୌଣସି ନୂତନ ଟ୍ୟାକ୍ସ ପ୍ରସ୍ତାବ ଦିଆଯାଇ ନାହିଁ କିମ୍ବା ଯୋଡା ଯାଇନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କହିଥିଲେ, ଜୋମାଟୋ ଏବଂ ସ୍ୱିଗି ପରି ଇ-କମର୍ସ ଅପରେଟର ରେଷ୍ଟୁରାଣ୍ଟ ବଦଳରେ ଖାଦ୍ୟ ବିତରଣ ପାଇଁ ୫ ପ୍ରତିଶତ ଜିଏସ୍‌ଟି ସଂଗ୍ରହ ଏବଂ ଜମା କରିବାକୁ ପଡିବ। କାରଣ ଜୋମାଟୋ ଏବଂ ସ୍ୱିଗି ଭଳି ଫୁଡ୍‌ ଡେଲିଭରୀ ଆପ୍‌ ଟ୍ୟାକ୍ସ କଲେକ୍ସଟର୍ସ ଆଟ୍‌ ସୋର୍ସ ଭାବେ ରେଜିଷ୍ଟର ହୋଇଥିବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି।

Leave a Reply

Your email address will not be published. Required fields are marked *