ଋଷିଆ ବିରୋଧରେ କଟକଣା ଜାରି କଲା ୟୁକ୍ରେନ, ଦେଶରେ ନିଷିଦ୍ଧ ହେଲେ ୧୧ ଋଷ ରାଜନୈତିକ ସଙ୍ଗଠନ
କିଭ୍,(ଓଡିଶା ଟାଇମ୍): ୟୁକ୍ରେନ ବିରୋଧରେ ଋଷିଆର ଯୁଦ୍ଧ ଏବେ ୨୫ଦିନରେ ପହଞ୍ଚିଛି। ତେବେ ଏପର୍ଯ୍ୟନ୍ତ ୟୁକ୍ରେନ ନଇଁ ନଥିବା ବେଳେ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ରବିବାର ଋଷିଆ ବିରୋଧରେ ରାଜନୈତିକ କଟକଣା ଜାରି କରିଛନ୍ତି। ଏଥିରେ ଦେଶରେ ଋଷ ସମ୍ପର୍କିତ ୧୧ ରାଜନୈତିକ ଦଳଙ୍କୁ ରାଷ୍ଟ୍ରପତି ଦେଶରେ ନିଷିଦ୍ଧ କରିଦେଇଛନ୍ତି। ଫଳରେ ଦେଶର ସର୍ବ ବୃହତ୍ତ୍ ବିରୋଧୀ ଦଳ ପ୍ଲାଟଫର୍ମ ଫର ଲାଇଫ ନିଷିଦ୍ଧ ହେବା ଋଷିଆକୁ ଜୋରଦାର ଝଟକା ଦେଇଛି।
ପ୍ରାୟ ୨୫ ଦିନ ଧରି ୟୁକ୍ରେନ ଉପରେ ଋଷିଆ ସେନାର ପ୍ରକୋପ ଜାରି ରହିଛି। ଏଥିରେ ୟୁକ୍ରେନର ବ୍ୟାପକ ଅଞ୍ଚଳ ଧ୍ୱଂସ୍ତ ବିଧ୍ୱଂସ୍ତ ହୋଇଥିବା ବେଳେ ଋଷିଆର ଗୁଳିଗୋଳା ଏବେ ସମାପ୍ତ ହୋଇଯାଇଥିବା ପରି ଲାଗୁଛି। ଏଣୁ ବିଶେଷ ଅସ୍ତ୍ରଶସ୍ତ୍ର ନଥିବାରୁ ଏବେ ଋଷିଆ ସେନା ହାଇପରସୋନିକ ମିଜାଇଲ ମାଡ କରୁଥିବା ବେଳେ ଏଥିରେ ରବିବାର ମାରିୟୁପୁଲର ଏକ ସ୍କୁଲକୁ ଟାର୍ଗେଟ୍ କରାଯାଇଥିବା ଜଣାପଡିଛି। ଏହି ସ୍କୁଲରେ ପ୍ରାୟ ୪୦୦ ଲୋକେ ଶରଣ ନେଇଥିଲେ। ଧ୍ୱଂସସ୍ତୁପ ତଳେ ଅନେକ ଲୋକଙ୍କ ଶବ ରହିଥିବା ଆଶଙ୍କା କରାଯାଉଛି। ଏଥିରେ ରାଷ୍ଟ୍ରପତି ଜେଲଂସ୍କି କଡା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଋଷ ସମ୍ପର୍କିତ ଦେଶର ରାଜନୈତିକ ଦଳଙ୍କ ଗତିବିଦ୍ଧି ସମାପ୍ତ କରିଦେଇଛନ୍ତି।
ଋଷିଆ ସେନା ଉପରେ ଜେଲଂସ୍କ ଆତଙ୍କବାଦ ଅଭିଯୋଗ ଆଣିଛନ୍ତି। ସେମାନେ ଦେଶ ଉପରେ ଆକ୍ରମଣ ଚଳାଇଥିବା ବେଳେ ମାରିୟୁପୁଲ ପୋର୍ଟକୁ ଘେରି ରଖିଛନ୍ତି। ସେମାନଙ୍କ କାମକୁ ଜେଲଂସ୍କି ଆତଙ୍କବାଦୀଙ୍କ କାର୍ଯ୍ୟଭଳି କହିଛନ୍ତି। କୁହାଯାଉଛି ଏହି ବନ୍ଦରକୁ ଲୋକେ ଏବେ ଶରଣ ଲାଗି ବ୍ୟବହାର କରୁଥିବା ବେଳେ ନିରିହ ଲୋକଙ୍କୁ ଋଷିଆ ସେନା ଟାର୍ଗେଟ୍ କରିବା ଆତଙ୍କବାଦ ନୁହେନ୍ତ କଣ ବୋଲି ଜେଲଂସ୍କି ପ୍ରଶ୍ନ କରିଛନ୍ତି।