ଶରଧାବାଲିରେ ଲାଗିଲା ତିନି ରଥ, ବିନା ଭକ୍ତରେ ରଥାରୂଢ ହୋଇ ଶ୍ରୀଗୁନ୍ଦିଚା ମନ୍ଦିର ଗଲେ ଚତୁର୍ଦ୍ଧା ମୂରତି

ପୁରୀ, (ଓଡିଶା ଟାଇମ୍!) : ବିନା ଭକ୍ତରେ ବଡ ଦାଉଣ୍ଡକୁ ଓହ୍ଲାଇ ଆସିଲେ ଜଗତର ନାଥ ଜଗନ୍ନାଥ। ରତ୍ନବେଦୀରୁ ଗଲେ ଜନ୍ମବେଦୀ। ପତିତପାବନ ଯାତ୍ରାରେ ଭାଇ ଓ ଭଉଣୀଙ୍କୁ ଧରି ରଥାରୂଢ ହୋଇ ଗଲେ ମାଉସୀ ମନ୍ଦିର। ଘର୍ଘର ନାଦ ଏବଂ ସେବାୟତଙ୍କ ଘଣ୍ଟ ଘଣ୍ଟାରେ ଶ୍ରୀମନ୍ଦିର ସିଂହ ଦ୍ଵାରରୁ ଯାଇ ପହଞ୍ଚିଲେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ। ଗତ ବର୍ଷ ପରି ଏଥର ମଧ୍ୟ କରୋନା ମହାମାରୀରେ ଭକ୍ତଶୂନ୍ୟ ରହିଲା ବଡ ଦାଣ୍ଡ। ଆଉ ଭାଇ ଭଉଣୀକୁ ଧରି ଏକା ଏକା ମାଉସୀ ମା ମନ୍ଦିରକୁ ଗଲା ଭାବଗ୍ରାହୀ କଳା ଠାକୁର। କୋଭିଡ କଟକଣା ଯୋଗୁ ବଡଦାଣ୍ଡରେ ସିନା ଭକ୍ତଙ୍କ ଗହଳି ନଥିଲା କିନ୍ତୁ ଭାବର ଅଭାବ ନଥିଲା । ଭାବର ଠାକୁର ଜଗନ୍ନାଥଙ୍କ ଘୋଷଯାତ୍ରାରେ ସବୁ କିଛି ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ତାଳଧ୍ଵଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥ।

ନୀଳକନ୍ଦର ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ପର୍ଯ୍ୟନ୍ତ ରଥଯାତ୍ରାରେ ବାହାରିଛନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା । କୋଭିଡ କଟକଣା ଯୋଗୁ ବଡଦାଣ୍ଡରେ ସିନା ଭକ୍ତଙ୍କ ଗହଳି ନଥିଲା କିନ୍ତୁ ଭାବର ଅଭାବ ନଥିଲା । ଭାବର ଠାକୁର ଜଗନ୍ନାଥଙ୍କ ଘୋଷଯାତ୍ରାରେ ସବୁ କିଛି ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ପହଣ୍ଡି ଓ ତିନି ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ସୁଦ୍ଧା ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଥିଲେ।

ଆଜି କେବଳ ସକାଳ ହେବାକୁ ଅପେକ୍ଷା ଥିଲା । ସଜେଇ ହୋଇଥିଲା ବଡଦାଣ୍ଡ । ଆକାଶରୁ ମାଟି ଚହଟୁଥିଲା ଚତୁର୍ଦ୍ଦିଗ । ରଥ, ପଥ, ସେବକ, ଭକ୍ତ ସମସ୍ତଙ୍କ ଅପେକ୍ଷା ଥିଲା । ସମସ୍ତଙ୍କ ମନରେ ଥିଲା ଉତ୍କଣ୍ଠା । ସେଥିପାଇଁ ଗତକାଲି ସୂର୍ଯ୍ୟାସ୍ତ ପୂର୍ବରୁ ମହାପ୍ରଭୁଙ୍କ ରାତ୍ରପହୁଡ଼ ହୋଇଥିଲା। ଆଜି ଭୋର ୪ଟାରେ ମଙ୍ଗଳଆଳତୀ ହୋଇଥିଲା । ଆଉ ଏପଟେ ସକାଳ ୬.୧୦ରେ ରଥ ପ୍ରତିଷ୍ଠା ସରିଥିଲା। ସକାଳ ୭ଟା ବେଳକୁ ଚତୁର୍ଦ୍ଧାବିଗ୍ରହଙ୍କ ଧାଡିପହଣ୍ଡି ଆରମ୍ଭ ହୋଇ ଯାଇଥିଲା। ଜଣଙ୍କ ପରେ ଜଣେ ଠାକୁର ବାଇଶି ପାହାଚରେ ଟାହିଆ ହଲାଇ ଆସିଥିଲେ । ରଥାରୁଢ ହୋଇଥିଲେ ଶ୍ରୀଜୀଉ। ଶେଷରେ ନାଟ ଲଗାଇ ଆସିଥିଲେ କାଳିଆ ସାଆନ୍ତ । ଦେଢ ଘଣ୍ଟା ଆଗରୁ, ସକାଳ ୯ଟା ୫୦ ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା ।

କୋଭିଡ କଟକଣା ଯୋଗୁ ବଡଦାଣ୍ଡ ଥିଲା ଜନଶୂନ୍ୟ, କିନ୍ତୁ ଥିଲା ଭାବ ପୂର୍ଣ୍ଣ । ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ୭ ଜଣ ଶିଷ୍ୟଙ୍କ ସହ ଆସି ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ତିନିଥର ରଥ ପ୍ରଦକ୍ଷିଣ କରିଥିଲେ। ଏହାପରେ ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ତାମଯାନ । ଶ୍ରୀନଅରରୁ ବାହାରି ତାମଯାନରେ ଆସୁଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ।  ପ୍ରଥମେ ବଡଠାକୁରଙ୍କ ତାଳଧ୍ବଜ, ଏହା ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ସୁନାଖଡିକାରେ ଛେରାପହଁରା କରିଥିଲେ ଗଜପତି ।

Leave a Reply

Your email address will not be published. Required fields are marked *