ଆଫଗାନିସ୍ତାନ ଛାଡିବା ବୁଦ୍ଧିମାନର ନିଷ୍ପତ୍ତି, ସର୍ବୋତ୍ତମ ନିଷ୍ପତ୍ତି- ବାଇଡେନ

ୱାଶିଂଟନ, (ଓଡିଶା ଟାଇମ୍): ଆଫଗାନିସ୍ତାନରୁ ଆମେରିକା ନିଜର ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାରକୁ ଦୃଢ ଭାବରେ ସମର୍ଥନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏହା ଆମେରିକା ପାଇଁ ସର୍ବୋତ୍ତମ ନିଷ୍ପତ୍ତି ବୋଲି ମଙ୍ଗଳବାର ହ୍ୱାଇଟ ହାଉସରେ ଉଦବୋଧନ ଦେଇ ବାଇଡେନ କହିଛନ୍ତି। ଆମେରିକା ସୈନ୍ୟମାନେ କାବୁଲ ଛାଡିବାର ଦିନକ ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଆଫଗାନିସ୍ତାନରେ ଆମେରିକା ପାଇଁ ଦୁଇଟି ବିକଳ୍ପ ଥିଲା। ସେ ଦେଶ ଛାଡିବା, ନହେଲେ ନିଜର ଅଭିଯାନକୁ ଅଧିକ ବ୍ୟାପକ କରିବା। କିନ୍ତୁ ସେହି ଦେଶ ଛାଡିବା ସର୍ବୋତ୍ତମ ନିଷ୍ପତ୍ତି ଥିଲା। ବିଶ୍ୱର ବିଭିନ୍ନ ମହଲ, ଏପରିକି ନିଜ ଦେଶରେ ଏଭଳି ନିଷ୍ପତ୍ତି ପାଇଁ ତୀବ୍ର ସମାଲୋଚନାର ଶିକାର ହେଉଥିବା ବାଇଡେନ କହିଥିଲେ, ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡିକ ଯେଉଁଭଳି ଭାବରେ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରିଛନ୍ତି, ତାହା ବିଶ୍ୱବାସୀ ଦେଖିଛନ୍ତି। ଇତିହାସରେ କୌଣସି ରାଷ୍ଟ୍ର ଏପର୍ଯ୍ୟନ୍ତ ଏଭଳି କରିନାହିଁ। ସେଭଳି କରିବାର ସାମର୍ଥ୍ୟ, ଇଚ୍ଛାଶକ୍ତି ଏବଂ ପାରଦର୍ଶିତା କେବଳ ଆମେରିକାର ଥିଲା।

ଅନ୍ୟପକ୍ଷରେ ଆମେରିକାର ଏଭଳି ପଳାୟନକୁ ତାଲିବାନ ଆତଙ୍କି ବିଶ୍ୱର ଏକ ମହାନ ଶକ୍ତିର ପରାଜୟ ଭାବରେ ବିବେଚନା କରୁଛନ୍ତି। ଆମେରିକାର ସମସ୍ତ ସୈନ୍ୟ କାବୁଲ ବିମାନ ବନ୍ଦର ଛାଡିବା ପରେ ତାଲିବାନ ଆତଙ୍କିମାନେ ମଙ୍ଗଳବାର ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କରି ଆନନ୍ଦରେ ଅନେକ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଏପରିକି ସେମାନେ ଆଫଗାନବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ବିଜୟ ହୋଇଛି ବୋଲି କହିଥିଲେ। ତେବେ ଦୀର୍ଘ ୨୦ ବର୍ଷ ଧରି ଆମେରିକା ସେଠାରେ ଯେତିକି ଅର୍ଥ ଖର୍ଚ୍ଚ କରିଛି ଏବଂ ନିଜର ସୈନ୍ୟଙ୍କୁ ହରାଇଛି, ସେହି ପରିପ୍ରେକ୍ଷୀରେ ଉକ୍ତ ଅଭିଯାନ ଶେଷ କରିବା ଆବଶ୍ୟକ ଥିଲା ବୋଲି ବାଇଡେନ କହିଥିଲେ। ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ପାଇଁ ଉକ୍ତ ଦେଶର ଶାସନ ଭାର, ଆର୍ଥିକ, ସାମାଜିକ, ଶିକ୍ଷା ଏବଂ ଅନ୍ୟାନ୍ୟ ବିଷୟ ପରିଚାଳନା କରିବା ଏକ ମସ୍ତବଡ ଆହ୍ୱାନ ହୋଇଥିବାବେଳେ ଚୀନ, ପାକିସ୍ତାନ ଓ ରୁଷ ଭଳି ରାଷ୍ଟ୍ର ସେମାନଙ୍କୁ ସମର୍ଥନ, ସ୍ୱୀକୃତି ଦେବାକୁ ଘୋଷଣା କରିସାରିଛନ୍ତି। ଆମେରିକା ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିଥିଲେ ମଧ୍ୟ ଏହା ଉକ୍ତ ରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଷ୍ଟ୍ରରେ ଆତଙ୍କବାଦ ବିରୁଦ୍ଧରେ ଲଢେଇ ଜାରି ରଖିବ ବୋଲି ବାଇଡେନ ସ୍ପଷ୍ଟ କରିଦେବା ସହିତ ଆଇଏସ୍‍ ଆତଙ୍କି ଗୋଷ୍ଠୀକୁ କଡା ଚେତାବନୀ ଦେଇଥିଲେ। ସେ କହିଥିଲେ, ଆମେରିକା ଏପର୍ଯ୍ୟନ୍ତ ସେମାନଙ୍କ ବିରୁଦ୍ଧରେ ତାହାର ଅଭିଯାନ ଆରମ୍ଭ କରିନାହିଁ।

Leave a Reply

Your email address will not be published. Required fields are marked *