ବିଜେପିକୁ ମିଳିବ କି ବିହାର ୱାକଓଭର୍ ?
BHUBANESWAR: କଣ ହେବ ବିହାରରେ ଏଥର ! ନଭେମ୍ବରରେ ନିର୍ବାଚନ ସରିବ, ତାର ଯଥେଷ୍ଟ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ… ଏସବୁ ତ ଚିରାଚରିତ… କିନ୍ତୁ ଏଇଠି ରହୁଛି ଦ୍ବନ୍ଦ୍ବ… ଅକ୍ଟୋବର ଶେଷରୁ ଭୋଟିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଯାଏଁ ଦୁଇ ପ୍ରମୁଖ ପ୍ରତିନ୍ଦ୍ବନ୍ଦୀ ଏନଡିଏ କିମ୍ବା ଇଣ୍ଡିଆ ବା ବିହାରରେ ମହାଗଠବନ୍ଧନର ଆସନ ବୁଝାମଣା ହୋଇନାହିଁ । ମହାଗଠବନ୍ଧନରେ ଏହା ସ୍ବାଭାବିକ ହୋଇଥିବା ବେଳେ ଏନଡିଏ ପାଇଁ କିନ୍ତୁ ଅସ୍ବାଭାବିକ । କାରଣ ଅତୀତରେ ଯେଉଁସବୁ ରାଜ୍ୟରେ ବିଜେପି, ସେଠାକାର କୌଣସି ଆଞ୍ଚଳିକ ଦଳ ସହ ମିଶି ନିର୍ବାଚନ ଲଢ଼ିଛି, ସେହି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣାର ଯଥେଷ୍ଟ ପୂର୍ବରୁ ସହଯୋଗୀ ସହ ଆସନ ବୁଝାମଣା କରାଇ ନେଇଛି । ପୁଣି ନୀତୀଶ କୁମାରଙ୍କ ଜେଡିୟୁ ନେତୃତ୍ବାଧୀନ ସରକାରରେ ସହଭାଗୀ ଥାଇ ବି, ନୀତୀଶଙ୍କୁ ଏଯାଏଁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନି । ଏଭଳି ସ୍ଥିତିରେ ନୀତୀଶଙ୍କ ରାଜନୈତିକ କ୍ୟାରିଅର୍ ଏବଂ ତାଙ୍କ ଜେଡିୟୁର ଅସ୍ତିତ୍ବ କଣ ହେବ, ତାହା ରାଜନୈତିକ ପଣ୍ଡିତଙ୍କୁ ଏବେଠୁ ଜଳଜଳ ଦିଶିଲାଣି । ପୁଣି ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦ ଛାଡ଼ିବା ପରେ ନୀତୀଶଙ୍କୁ ନେଇ ସେହି ଶୂନ୍ୟସ୍ଥାନ ପୂରଣର ଟୁପୁରୁ ଟାପୁରୁ ଶୁଣିବାକୁ ମିଳିଲାଣି । ତେଣୁ ଏ କ୍ଷେତ୍ରରେ ଆମକୁ ସମୟ ଉପରେ ହିଁ ସବୁକିଛି ଛାଡ଼ିଦେବାକୁ ହେବ । କାରଣ ଏ ପରା ରାଜନୀତି… ସବୁଠାରୁ ଶ୍ରେଷ୍ଠ ନୀତି, ଯେଉଁଠି ନେତା-ମନ୍ତ୍ରୀଙ୍କ ମୁହଁରୁ ନିତି, ନୀତି-ଆଦର୍ଶର କଥା ଶୁଣିବାକୁ ମିଳେ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ, ସେମାନଙ୍କର କିମ୍ବା ସେମାନଙ୍କ ରାଜନୈତିକ ଦଳର ନୀତି-ଆଦର୍ଶ ବୋଲି କିଛି ନଥାଏ । ସେଇଥି ପାଇଁ ପରା କୁହାଯାଏ, ରାଜନୀତିରେ ନା ଅଛି ଦୋସ୍ତି, ନା ଦୁଷ୍ମନି… ଏଠି ସ୍ବାର୍ଥ ହିଁ ସବୁକିଛି ।
- () ଏବେ ଆସିବା ନିର୍ବାଚନ ପୂର୍ବରୁ ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ବା Special Intensive Revision ବା SIR ପ୍ରସଙ୍ଗକୁ । ଇଣ୍ଡିଆ ମେଣ୍ଟର ହରିୟାଣା ହାର୍, ମହାରାଷ୍ଟ୍ର ମହାଝଟକା ଏବଂ ଦିଲ୍ଲୀ ଖଲବଲି ପରେ ବିହାରରେ ଚାଲିଥିବା SIR ଅଭିଯାନକୁ ନେଇ ବିରୋଧୀ ଅତିମାତ୍ରାରେ ଅସନ୍ତୁଷ୍ଟ । ବିରୋଧୀଙ୍କ କାଠଗଡ଼ାରେ ମୁଖ୍ୟ ନିର୍ବାଚନ କମିଶନର, ଜ୍ଞାନେଶ କୁମାର । SIR ଅଭିଯାନକୁ ନେଇ ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନ ଉପରେ ପ୍ରାଥମିକ ଶୁଣାଣି ହୋଇ ସାରିଛି । ଆସନ୍ତା 28 ତାରିଖରେ ଚୂଡ଼ାନ୍ତ ରାୟ ଆସିପାରେ । କିନ୍ତୁ ବିହାରରେ 60 ଲକ୍ଷରୁ ଅଧିକ ଭୋଟର, ଭୋଟର ତାଲିକାରୁ ବାଦ ପଡ଼ିବାକୁ ଯାଉଥିବା ନିର୍ବାଚନ କମିଶନ କହିଦେବା ପରେ ବିରୋଧୀ ଶୁଣାଇ ଦେଇଛନ୍ତି ବହୁତ ବଡ଼ କଥା ।
- () କଣ ସତରେ ବିରୋଧୀ, ବିଶେଷକରି କଂଗ୍ରେସ ଓ ଆରଜେଡିର ମହାଗଠବନ୍ଧନ ନିର୍ବାଚନ ବୟକଟ୍ କରିବ ! ତେଜସ୍ବୀ ଯାଦବ ଏମିତି କହିବା ପରେ ବିହାର କଂଗ୍ରେସ ମଧ୍ୟ ତାକୁ ସମର୍ଥନ କରିଛି । ଅବଶ୍ୟ ନିର୍ବାଚନ ବୟକଟ୍ ଉପରେ ‘ବିଚାର କରାଯାଇ ପାରେ’ ବୋଲି, କହି ଅସମାପିକା ଅବସ୍ଥାରେ ଛାଡ଼ି ଦେଇଛନ୍ତି ।
- () ବିରୋଧୀଙ୍କ ଯୁକ୍ତି, ସବୁକିଛି ଯଦି ସ୍ଥିର ହୋଇସାରିଛି, ତେବେ ନିର୍ବାଚନ କାହିଁକି ହେବ ! କଣ ଆବଶ୍ୟକତା ରହିଛି ! ତେବେ ବିରୋଧୀ କଣ ଏତେ ବଡ଼ ପଦକ୍ଷେପ ନେଇପାରିବେ ! ନିର୍ବାଚନ ବୟକଟ୍ କରିଦେବେ ! ଏହା ବିରୋଧୀଙ୍କ ପାଇଁ ଗାଣତାନ୍ତ୍ରିକ ହେବ ନା ଅଗାଣତାନ୍ତ୍ରିକ !
- () ବିରୋଧୀଙ୍କ ନିର୍ବାଚନୀ ବୟକଟ୍ ନିଷ୍ପତ୍ତି, ଯଦି ସୁପ୍ରିମକୋର୍ଟକୁ ଯାଏ, ତେବେ ଏଠାରେ ଆମକୁ ଜୟା ବଚ୍ଚନ ବନାମ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ମାମଲାର ରାୟ ଉପରେ ଅବଲୋକନ କରିବାକୁ ପଡ଼ିବ । ‘ନିର୍ବାଚନ ମାଧ୍ୟମରେ ପ୍ରକୃତ ଲୋକ ପ୍ରତିନିଧି’ ନିର୍ବାଚିତ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଥିଲେ । କିନ୍ତୁ 1989ର ମିଜୋରାମ ନିର୍ବାଚନ ମାମଲାରେ- ‘ନିର୍ବାଚନ କୌଣସି ହାଲତରେ ରୋକାଯାଇ ପାରିବ ନାହିଁ’ ବୋଲି କହିଥିଲେ । କିନ୍ତୁ 2005ରେ ସେତେବେଳର ମୁଖ୍ୟ ନିର୍ବାଚନ କମିଶନର ବି. ବି. ଟଣ୍ଡନ, ଅବସରପ୍ରାପ୍ତ ପ୍ରାଶାନିକ ଅଧିକାରୀ କେ. ଜେ. ରାଓଙ୍କୁ ବିହାର ନିର୍ବାଚନ ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲେ । କିନ୍ତୁ ବର୍ତ୍ତମାନର କ୍ଷେତ୍ରରେ ତାହା ସମ୍ଭବ ଲାଗୁନି । ନିର୍ବାଚନ କମିଶନଙ୍କ କ୍ଷମତା ଅଛି, ସେ, ସଠିକ ସମୟରେ ହିଁ ନିର୍ବାଚନ କରାଇବେ । କେଉଁ ରାଜନୈତିକ ଦଳ ଲଢ଼ିଲା, ନଲଢ଼ିଲା, ତାହା କମିଶନଙ୍କ ବ୍ୟାପାର ନୁହେଁ । ପୁଣି ଯଦି ମହାଗଠବନ୍ଧନ, ନିର୍ବାଚନକୁ ବୟକଟ୍ କଲା, ତେବେ ମହାଗଠବନ୍ଧନ କିମ୍ବା ଏନଡିଏରେ ନଥିବା ଆଞ୍ଚଳିକ ଦଳର ନେତାଏ କଣ ନିର୍ବାଚନ ଲଢ଼ିବେନି ! ସ୍ବାଧୀନ ପ୍ରାର୍ଥୀଙ୍କୁ ଅଟକାଇବ କିଏ ! ପୁଣି ଦେଖିବାକୁ ଗଲେ, ଭାରତୀୟ ନିର୍ବାଚନୀ ଇତିହାସରେ କୌଣସି ପ୍ରମୁଖ ବିରୋଧୀ ରାଜନୈତିକ ଦଳ, କେବେ ବି ନିର୍ବାଚନକୁ ବୟକଟ୍ କରି ନାହାନ୍ତି । ତେଣୁ ବୟକଟ୍ ଶବ୍ଦକୁ ହିଁ ଏହିଠାରୁ ବୟକଟ୍ କରିଦେବାର ଅଛି । ଏହିଠାରେ ଏକମାତ୍ର ଗ୍ୟାରେଣ୍ଟି ହେଉଛି, ଆରଜେଡି ଏବଂ କଂଗ୍ରେସର ମହାଗଠବନ୍ଧନ, କେବେ ବି ନିର୍ବାଚନ ବୟକଟ୍ କରିପାରିବେ ନାହିଁ । ଆଉ ଯଦି କରନ୍ତି, ବିଜେପି ୱାକଓଭର୍ ନେବା ଥୟ । ପୁଣି ଯଦି, ବିଜେପି ୱାକଓଭର୍ ନେଲା, ତେବେ କଣ ଧରିବାକୁ ପଡ଼ିବ କି ବିହାରରୁ ପଡ଼ିଲା ନୂଆ ଭାରତର ମୂଳଦୁଆ !!!











