କିଏ ହେବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ?
ଭୁବନେଶ୍ୱର, (ଓଡିଶାଟାଇମ): କିଏ ହେବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ? ରାଜ୍ୟସଭା ପାଇଁ ବିରୋଧୀ ଦଳ ନେତା ଚୟନ ଉପରେ ଆଲୋଚନା କରିବାକୁ ସୋନିଆ ଗାନ୍ଧି ଡାକିଛନ୍ତି ଷ୍ଟ୍ରାଟେଜି ଗ୍ରୁପ୍ ବୈଠକ । ପାର୍ଲାମେଣ୍ଟ ବଜେଟ୍ ଅଧିବେଶନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଖୋଜୁଛି ନେତା । ରାଜ୍ୟସଭା ପାଇଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିକଳ୍ପ ଖୋଜୁଛି ଦଳ । କିଏ ହେବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ? ଦଳୀୟ ନିୟମ, ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ ଉଲ୍ଲଘଂନ କରି ପୁଣି ଖଡ଼ଗେଙ୍କୁ ରିପିଟ୍ କରିବ କି କଂଗ୍ରେସ ? ରାଜ୍ୟସଭା ପାଇଁ ନେତା ଚୟନ ଉପରେ ଆଲୋଚନା କରିବାକୁ ଶନିବାର ସୋନିଆ ଡାକିଛନ୍ତି ବୈଠକ । ଦଳର ଷ୍ଟ୍ରାଟେଜି ଗ୍ରୁପ୍ ବୈଠକକୁ ରାଜ୍ୟସଭା ସଦସ୍ୟ ଥିବା ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଜୟରାମ ରମେଶ ଏବଂ କେସି ବେଣୁଗୋପାଳଙ୍କୁ ଡକାଯାଇଛି । ଦଳର ସଭାପତି ନିର୍ବାଚନ ଲଢ଼ିବା ପୂର୍ବରୁ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । ଏଭଳି ସ୍ଥିତିରେ ଦିଗବିଜୟ ସିଂହ ଏବଂ ପି. ଚିଦାମ୍ବରମ୍ ମଧ୍ୟରୁ କେହି ଜଣେ ଖଡ଼ଗେଙ୍କ ରାଜ୍ୟସଭା ପୋଷ୍ଟ ନେଇପାରନ୍ତି ବୋଲି ଶୁଣଇବାକୁ ମିଳୁଥିଲା । କିନ୍ତୁ ଏହି ୨ ଜଣଙ୍କୁ ଷ୍ଟ୍ରାଟେଜି ଗ୍ରୁପ୍ ବୈଠକକୁ ଡାକି ନାହାନ୍ତି ସୋନିଆ ଗାନ୍ଧି । ଯାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । କଣ ହୋଇପାରେ ସୋନିଆଙ୍କ ନିଷ୍ପତ୍ତି ? ଶୁଣିବାକୁ ମିଳୁଛି, ସାମୟିକ ଭାବେ, ଅତିକମରେ ଶୀତ ଅଧିବେଶନ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ଦାୟିତ୍ବ ତୁଲାଇ ପାରନ୍ତି ।
କଂଗ୍ରେସରେ ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ଉଦୟପୁର ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଯାହାର ରେଜଲ୍ଟ, ଦଳର ସଭାପତି ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଭାପତି ହେବାକୁ କଂଗ୍ରେସ ନେତୃତ୍ବ ଚାହୁଁଥିଲେ । ଗେହଲଟ୍ ମଧ୍ୟ ସୁନା ପୁଅ ଭଳି ଦିଲ୍ଲୀରେ ପହଞ୍ଚିଥିଲେ, କିନ୍ତୁ ଜୟପୁରରେ ନିଆଁ କୁହୁଳାଇ ଦେଇ ଯାଇଥିଲେ । କୌଣସି ହାଲତରେ ସଚିନ୍ ପାଇଲଟଙ୍କୁ ରାଜସ୍ଥାନ, ରାଜ ସିଂହାସନରେ ବସାଇ ଦେବାକୁ ଚାହୁଁ ନଥିବା, ଗେହଲଟ୍ ଉଭୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁଥିଲେ । ହାଇକମାଣ୍ଡ ଚାହିଁଲେ, ସେ ଉଭୟ ପଦରେ ରହି କାମ କରିବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ଗେହଲଟଙ୍କୁ ସଭାପତି କରିବାକୁ ସମ୍ପୂର୍ଣ୍ଣ ମନ ସ୍ଥିର କରି ସାରିଥିବା କଂଗ୍ରେସ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ସଚିନ୍ ପାଇଲଟଙ୍କ ପାଇଁ ଆରମ୍ଭ କରି ଦେଇଥିଲା କସରତ୍ । ଗେହଲଟଙ୍କ ସହ ରାହୁଲଙ୍କର କଥାବାର୍ତ୍ତା ପରେ ରାଜସ୍ଥାନରେ ପାଇଲଟ୍ ପ୍ରକଳ୍ପ ସଫଳ କରିବାକୁ ପଦକ୍ଷେପ ନେଇଥିଲା କଂଗ୍ରେସ । ଅଜୟ ମାକନ୍ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଜୟପୁର ଯାଇଥିଲେ । ସଚିନ୍ ପାଇଲଟଙ୍କ ପାଇଁ ଆଡଭୋକେସି କରିବାକୁ କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଥିଲେ । କିନ୍ତୁ ଗେହଲଟ୍ ଏମିତି ଖେଳ ଖେଳିଥିଲେ ଯେ, ପାଖାପାଖି ଶହେ ବିଧାୟକ ଆସିଲେନି । ଫଳରେ ଦଳୀୟ ନିୟମ ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ଆଧାରରେ ସଭାପତି ଦୌଡ଼ରୁ ଆଉଟ୍ ହୋଇଥିଲେ ଅଶୋକ ଗେହଲଟ୍ । ଅବଶ୍ୟ ଏଠି ଗେହଲଟ୍ ଚାହୁଁଥିଲେ ଯାହା, ସେୟା ହେଲା । ସେପଟେ ଗେହଲଟଙ୍କ ବିକଳ୍ପ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସଭାପତି ନିର୍ବାଚନରେ ଛିଡ଼ା କରାଇଲା କଂଗ୍ରେସ । ନାମାଙ୍କନ ଦାଖଲ ପୂର୍ବରୁ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଖଡ଼ଗେ ଇସ୍ତଫା ଦେଇଛନ୍ତି । କିନ୍ତୁ କିନ୍ତୁ ବର୍ତ୍ତନମାନ ସୁଦ୍ଧା ସେ ଶୂନ୍ୟସ୍ଥାନ ପୂରଣ କରିନି, ଗ୍ରାଣ୍ଡ ଓଲ୍ଡ ପାର୍ଟି । ଏଭଳି ସ୍ଥିତିରେ ଶୀତ ଅଧିବେଶନ ପାଖେଇ ଆସୁଥିବା ବେଳେ ଶନିବାର ସୋନିଆ ଡାକିଛନ୍ତି ଦଳର ଷ୍ଟ୍ରାଟେଜି ଗ୍ରୁପ୍ ବୈଠକ ।
କୌଣସି ପରିସ୍ଥିତିରେ ଉଦୟପୁର ନିଷ୍ପତ୍ତି ଉଲ୍ଲଘଂନ ହେବ ନାହିଁ ବୋଲି ରାହୁଲ ଗାନ୍ଧି ବାରମ୍ବାର ସ୍ପଷ୍ଟ କରି ଆସୁଛନ୍ତି । ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇ ମଲ୍ଲିକାର୍ଜୁ ଖଡ଼ଗେ ଇସ୍ତଫା ଦେଲେ… ଆଉ ସଭାପତି ମଧ୍ୟ ହେଲେ । କିନ୍ତୁ ଏବେ ବି ଦଳରେ ରହିଛି ଏଭଳି ଦୁଇଟି ବ୍ୟତିକ୍ରମ । ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ ବିରୋଧୀ ଦଳ ନେତା ସହ ପଶ୍ଚିମବଙ୍ଗ ପିସିସି ସଭାପତି ଅଛନ୍ତି । ସେହିଭଳି ରାଜ୍ୟସଭାରେ ମୁଖ୍ୟ ସଚେତକ ଏବଂ କଂଗ୍ରେସ ଯୋଗାଯୋଗ ମୁଖ୍ୟ… ଏମିତି ଦୁଇଟି ପଦରେ ଅଛନ୍ତି ଜୟରାମ ରମେଶ । ଆଉ ଯଦି, ସାମୟିକ ହେଉ ପଛେ, ଏବେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପୁଣି ରାଜ୍ୟସଭା ପାଇଁ ବିରୋଧୀ ଦଳ ନେତା ଦାୟିତ୍ବ ଦିଆଯାଏ, ତେବେ ସ୍ପଷ୍ଟ ହୋଇଯିବ କଂଗ୍ରେସ କହେ ଗୋଟେ… କରେ ଆଉ ଗୋଟେ ।
୨୪ ବର୍ଷ ପରେ କଂଗ୍ରେସକୁ ମିଳିଛି ଅଣଗାନ୍ଧି ନେତୃତ୍ବ । ମଲ୍ଲିକାର୍ଜୁନ ଖଡ଼ଗେ ହୋଇଛନ୍ତି ଗ୍ରାଣ୍ଡ ଓଲ୍ଡ ପାର୍ଟିର ମୁଖିଆ । ରାଜନୈତିକ ଦଳର ନିୟମ ଅନୁଯାୟୀ, ନୂଆ ସଭାପତି ନିର୍ବାଚିତ ହେବା ପରେ ଦଳରେ ସାନି ସାଂଗଠନିକ ନିର୍ବାଚନ ହେବା କଥା । ଯାହା କଂଗ୍ରେସରେ ହେବାର ଅଛି ଏବଂ ହେବ ମଧ୍ୟ । କିନ୍ତୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ମଧ୍ୟରେ ହେଲା ଭଳି ଲାଗୁନି । ଯେତେଦୂର ଆଶା, ଶୀତ ଅଧିବେଶନ ପରେ ହିଁ କଂଗ୍ରେସ କରିପାରେ ସାଂଗଠନିକ ନିର୍ବାଚନ । କିନ୍ତୁ ତା ପୂର୍ବରୁ କିଏ ହେବେ ରାଜ୍ୟସଭାରେ ବିରୋଧୀ ଦଳ ନେତା… ଖଡ଼ଗେ ନା ଆଉ କିଏ… ତାହା ଉପରେ ରହିଛି ସମସ୍ତଙ୍କ ନଜର ।