ଫସେଇ ଦେଲୁ ଫେସନବାଲୀ…
BHUBANESWAR: “ଚାଲୁଛୁ ହଲି ହଲି, ଚାହୁଁଛୁ ବୁଲି ବୁଲି…ମନ ତୋ ଭାରି ଚୁଲୁବୁଲି, ଫସେଇ ଦେଲୁ ଫେସନବାଲୀ” …
ଦିନ ଥିଲା, ଓଡ଼ିଶାର ଗଳିକନ୍ଦିକୁ ଘାଣ୍ଟୁଥିଲା ଏ ଗୀତ । ହେଲେ, ସେତେବେଳେ ଏ ଗୀତର ଏକମାତ୍ର ଉଦ୍ଦେଶ୍ୟ ଥିଲା ଆବେଗ, ଭଲ ପାଇବା ଏବଂ ପ୍ରେମର ପରିପ୍ରକାଶ । କିନ୍ତୁ ଏବେ ଏହି ଗୀତର ରାଜନୈତିକ ଦିଗ ଓ ଦିଗନ୍ତ ଅନେକ । ସତରେ, କିଏ, କାହାକୁ ଫସାଇ ଦେଇଛି ! ଫେସନବାଲୀ, ଫେସନବାଲାକୁ ନା, ଫେସନବାଲା, ଫେସନବାଲୀକୁ ! କିଏ, କାହାକୁ ରାଜନୈତିକ ସୁଖ, ସତ୍ତା, କ୍ଷମତା ଏବଂ ପ୍ରତିପତ୍ତିର ଲୋଭ ଏବଂ ମାୟାରେ ଫସାଇ ଦେଇଛି ! ମୃତ୍ୟୁର ଅନେକ ବର୍ଷ ପରେ, ପୁଣି ୨୦୨୪ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର, ଚରଣ ସିଂହ ଆଦି ବ୍ୟକ୍ତିତ୍ବଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ଘୋଷଣା କରିବା… (ଏହାର ରାଜନୈତିକ ଦିଗର ଲାଭାଂଶକୁ, ସେତେବେଳେ, ଅନେକ ତୃତୀୟ ନେତ୍ରରେ ଦେଖି ପାରିଥିଲେ ମଧ୍ୟ, ମୁହଁରେ ପରିପ୍ରକାଶ କରିବାକୁ (ବାସ୍ତବତା ଏବଂ ଯୁକ୍ତାତ୍ମକ ଆଭିମୁଖ୍ୟ ଦୃଷ୍ଟିକୋଣରୁ ସମାଲୋଚନା କରିବାକୁ) ନୈତିକ ସାହସ ଜୁଟାଇ ପାରି ନଥିଲେ । (Sense is self-explanatory) … ହେଲେ, ସେହି ନିଷ୍ପତ୍ତି, ଘୋଷଣା ଏବଂ ପଦକ୍ଷେପ ଆଜି, ମୋଦିଙ୍କୁ ନେହରୁଙ୍କ ସମକକ୍ଷ କରିପାରିଛି । (କେବଳ ପ୍ରଧାନମନ୍ତ୍ରୀ ପଦରେ ରହିବା ରେକର୍ଡ ଦୃଷ୍ଟିକୋଣରୁ)…
ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି, ନୀତୀଶ କୁମାରଙ୍କ ଜେଡିୟୁ, ଜୟନ୍ତ ଚୌଧୁରୀଙ୍କ ଆରଏଲଡି, ଚିରାଗ ପାଶୱାନଙ୍କ ଏଲଜେପି ଏବଂ ଅଜିତ ପାୱରଙ୍କ ଏନସିପି… ଏସବୁ ଦଳ ଏବେ ମୋଦି ସରକାରରେ । ଏମାନେ ସବୁ ସାମୟିକ ସୁଖ ତଥା ରାଜନୈତିକ, ସତ୍ତା, କ୍ଷମତା ଏବଂ ପ୍ରତିପତ୍ତିର ଲୋଭ ଏବଂ ମାୟାରେ ସୁଖୀ ହେବାକୁ ଯାଇ ଫସି ଯାଇନାହାନ୍ତି ତ !
ଏ ସମସ୍ତ ରାଜନୈତିକ ଦଳର ଅସ୍ତିତ୍ବ, ଏବଂ ଏସବୁ ଦଳର ନେତୃତ୍ବଙ୍କ ଅସ୍ତିତ୍ବକୁ ମଜଭୁତ କରିବାରେ ମୁସଲିମ୍ ସଂପ୍ରଦାୟ ଏବଂ ମୁସଲିମ୍ ଭୋଟରଙ୍କ ଅବଦାନ କେତେ ଏବଂ କଣ ରହିଛି, ତାହା ଭାରତର ରାଜନୀତି, ରାଜନୀତିଜ୍ଞ, ରାଜନେତା ଏବଂ ରାଜନୀତି ବିଶ୍ଳେଷକଙ୍କୁ ବେଶ ଭଲ ଭାବେ ଜଣା । କିନ୍ତୁ ୱାକଫ୍ ବୋର୍ଡ ସଂଶୋଧନ ବିଲ୍, ଅନେକ ମାତ୍ରାରେ ସଂଶୟ ସୃଷ୍ଟି କରୁଛି । ଏହି ବିଲ୍ ପାଇଁ ଫସି ଯିବେନି ତ ଚନ୍ଦ୍ରବାବୁ ନାଇଡୁ, ନୀତୀଶ କୁମାର, ଜୟନ୍ତ ଚୌଧୁର, ଚିରାଗ ପାଶୱାନ ଏବଂ ଅଜିତ ପାୱର ! ନା, ନିଜର ଅସ୍ତିତ୍ବ ବିଲୁପ୍ତ ହେବାକୁ ଯାଉଛି ବୋଲି ଯେତେବେଳେ ଏସବୁ ଦଳର ନେତୃତ୍ବ ହୃଦବୋଧ କରି, ବର୍ତ୍ତମାନର ୱାକଫ୍ ବିଲ୍ ସଂଶୋଧନ ସପକ୍ଷରେ ଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ସମ୍ମିଳିତ,ଯଦି ବିରୋଧର ନିଷ୍ପତ୍ତି ନେବେ, ସେତେବେଳେ କଣ ହୋଇପାରେ ପରିସ୍ଥିତି ! ବିଜେପିର ଯୋଡ଼ି ନମ୍ବର ୱାନ୍ ଫସି ଯିବେନି ତ !
ତେଣୁ ଏଠି କିଏ, କାହାକୁ ଫସାଇଲା ? ଆଉ କିଏ ଏଠି, ଫେସନବାଲୀ, କିଏ ଫେସନବାଲା ? ସମୟ କିନ୍ତୁ ସବୁ ସ୍ପଷ୍ଟ କରିଦେବ, Just wait a while….