କେମିତି ଆସିଲା କରୋନା; ଯାଞ୍ଚ ପାଇଁ ଚୀନ୍ ଯିବେ ଡବ୍ଲ୍ୟୁଏଚଓ ଟିମ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ଭାଇରସ୍ ମହାମାରୀର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ଆସନ୍ତା ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)ର ଏକ ଟିମ୍ ଚୀନ ଗସ୍ତରେ ଯିବେ । ଏସମ୍ପର୍କରେ ଘୋଷଣା କରିଛନ୍ତି ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଧାନୋମ ଘେବ୍ରେୟସନ।
କରୋନା ଭାଇରସ କେମିତି ଆରମ୍ଭ ହେଲା ଓ କିଭଳି ବ୍ୟାପିଲା ସେ ସମ୍ପର୍କରେ ସବିଶେଷ ଜାଣିପାରିଲେ ଆମେ କରୋନାକୁ ଆହୁରି ଭଲସେ ମୁକାବିଲା କରିପାରିବା ବୋଲି ସେ କହିଛନ୍ତି । କରୋନାଭାଇରସ୍ ଚୀନର ଉହାନ ସହରରୁ ବ୍ୟାପିଥିଲା । ହେଲେ ଚୀନ ଏନେଇ ସଠିକ୍ ସମୟରେ ଜଣାଇନଥିବା ଅଭିଯୋଗ ହେଉଛି । ଯାହାଫଳରେ ମାତ ୨ ମାସ ଭିତରେ ହିଁ ଏହି ଭାଇରସ୍ ସାରା ବିଶ୍ୱରେ ବ୍ୟାପିଯାଇଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଏକ ଟିମ୍ ଚୀନକୁ ପଠାଯିବ । ଚୀନରେ ସ୍ଥାନୀୟ ଡବ୍ଲ୍ୟୁଏଚଓର ଅଫିସ୍ ଭାଇରାଲ୍ ନିମୋନିଆ ମାମଲାରେ ଉହାନ ମୁନିସିପାଲ୍ ହେଲ୍ଥ କମିଶନଙ୍କ ସହ ଆଲୋଚନା କରିବେ । ଏହାପରେ ଏହି ତଦନ୍ତ ପ୍ରକ୍ରିୟା ଆଗାମୀ ୬ ମାସରୁ ଅଧିକ ସମୟ ଚାଲିବ । ଆମେ ଆଶା କରୁଛୁ ଯେ କରୋନା ସମ୍ପର୍କରେ ଅଧିକ ସୂଚନା ମିଳିପାରିବ ଏବଂ ଆଗାମୀ ଭବିଷ୍ୟତରେ ଭାଇରସର ମୁକାବିଲା ମଧ୍ୟ କରିହେବ ।
ଡବ୍ଲ୍ୟୁଏଚଓର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ କରୋନାଭାଇରସ ର ମୁଖ୍ୟ ଉତ୍ସକୁ ଅନୁଧ୍ୟାନ କରିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ କାମ । ଏହା କିପରି ଆସିଲା ଏବଂ ପଶୁ ଠାରୁ ମଣିଷକୁ ବ୍ୟାପିଛି କି ନାହିଁ, ଯଦି ବ୍ୟାପିଛି ତାହେଲେ କେମିତି । ସେନେଇ ଡବ୍ଲ୍ୟୁଏଚଓର ଏହି ଟିମ୍ ଅନୁଧ୍ୟାନ କରିବେ ।
ପୂର୍ବରୁ କରୋନା ଭାଇରସର ଯାଞ୍ଚ ଲାଗି ଆମେରିକା ଓ ଅଷ୍ଟ୍ରେଲିଆ ସହ ବହୁ ଦେଶ ଦାବି କରିଥିଲେ । ଏପରିକି ଏସମ୍ପର୍କରେ ଜାତିସଂଘରେ ଆଲୋଚନା ହୋଇଥିବା ବେଳେ ପ୍ରଥମେ ଚୀନ ତଦନ୍ତ ପାଇଁ ମନା କରିଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯାଞ୍ଚ ଅନୁମତି ଦେଇଛନ୍ତି ସରକାର ।
ବିଶ୍ୱବ୍ୟାପୀ କରୋନା ଭାଇରସ ସଂକ୍ରମଣରେ ୫ଲକ୍ଷରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।