ଗୁରୁତର କରୋନା ରୋଗୀଙ୍କୁ ଷ୍ଟେରୋଏଡ୍ ଦେବା ପାଇଁ ଡବ୍ଲ୍ୟୁଏଚଓର ସୁପାରିଶ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଜୀବନ ବଞ୍ଚାଇବାରେ ଷ୍ଟେରୋଏଡ୍ ସହାୟକ ହେଉଥିବା ନେଇ ଅନେକ ରିସର୍ଚ୍ଚରୁ ଜଣାପଡିଛି । ଯାହା ଫଳରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ଗୁରୁତର କରୋନା ରୋଗୀଙ୍କୁ ଷ୍ଟେରୋଏଡ୍ ଦେବା ପାଇଁ ଡାକ୍ତର ମାନଙ୍କୁ ସୁପାରିଶ କରିଛନ୍ତି ।

ଏସମ୍ପର୍କରେ ଡବ୍ଲ୍ୟୁଏଚଓ ପକ୍ଷରୁଏକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ଡବ୍ଲ୍ୟୁଏଚଓ ମୁତାବକ ଷ୍ଟେରୋଏଡ୍ ଔଷଧ କେବଳ ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ଉପରେ ବ୍ୟବହାର କରିବା ଉଚିତ୍ । ପ୍ରାରମ୍ଭିକ ଲକ୍ଷଣ ଥିବା କରୋନା ରୋଗୀଙ୍କ ଉପରେ ଏହାର ଉପଯୋଗ କରିବା ଉଚିତ୍ ନୁହେଁ ।

ଡବ୍ଲ୍ୟୁଏଚଓ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଷ୍ଟେରୋଏଡ୍ ଔଷଧ ଦ୍ୱାରା ୧୭୦୦ ରୋଗୀଙ୍କ ଉପରେ ୭ଟି ଭିନ୍ନଭିନ୍ନ ସ୍ଥାନରେ ପ୍ରାୟ ୩ ପ୍ରକାରର ଟ୍ରାଏଲ୍ କରାଯାଇଥିଲା । ଏହି ଟ୍ରାଏଲ୍ ରିପୋର୍ଟ ମୁତାବକ ଷ୍ଟେରୋଏଡ୍ ଔଷଧର ବ୍ୟବହାର ଦ୍ୱାରା ରୋଗୀଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା କମ୍ ହେଉଛି ।

ସାଧାରଣତଃ ଡେକ୍ସୋମେଥାସୋନ୍‌, ହାଇଡ୍ରୋକାର୍ଟିସିନ୍ ଓ ମିଥାଇଲ୍‌ପ୍ରୋଡିସୋଲୋନ୍ ଭଳି ଷ୍ଟେରୋଏଡ୍ କୁ ଅନେକ ସମୟରେ ଡାକ୍ତର ମାନେ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବ୍ୟବହାର କରିଥାନ୍ତି ।

ଏକ ଆମେରିକୀୟ ମେଡିକାଲ ଆସୋସିଏସନ୍ ଜର୍ଣ୍ଣାଲର ମୁଖ୍ୟ ସମ୍ପାଦକ ହାୱର୍ଡ ସି ବୁଚରଙ୍କ କହିବାନୁଯାୟୀ, କୋଭିଡ ୧୯ ମହାମାରୀ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଷ୍ଟେରୋଏଡ୍ କିଛି ମାତ୍ରାରେ ସହାୟକ ହେବ ।

ସୂଚନାଥାଉ କି, ବର୍ତ୍ତମାନ ଭାରତ ବିଶ୍ଵରେ ୩ୟ ସଂକ୍ରମିତ ରାଷ୍ଟ୍ର ଭାବେ ରହିଛି। ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ ପ୍ରଥମ ସ୍ଥାନରେ ଆମେରିକା (୬,୧୧୩,୫୧୦) ରହିଥିବା ବେଳେ (୩,୯୯୭,୮୬୫) ୨ୟ ସ୍ଥାନରେ ରହିଛି ବ୍ରାଜିଲ୍ । ସେହିପରି ବିଶ୍ୱରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨,୬୦,୩୧,୪୧୦ରେ ରହିଛି। ଏଯାବତ୍ ପ୍ରାୟ ୮ ଲକ୍ଷ ୬୩ ହଜାର ୦୨୮ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

ଏହାଛଡା ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୮ ଲକ୍ଷ ୫୩ ହଜାର ୪୦୭ରୁ ଅଧିକ ଟପିଛି।

Leave a Reply

Your email address will not be published.