ବୁଷ୍ଟର ଡୋଜ ତୁରନ୍ତ ବନ୍ଦ ପାଇଁ WHO ମୁଖ୍ୟଙ୍କ ପରାମର୍ଶ, ଏବେ ଗରିବ ଦେଶଙ୍କୁ ପ୍ରାଧ୍ୟାନ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବୁଷ୍ଟର ଡୋଜ୍ ତୁରନ୍ତ ବନ୍ଦ ପାଇଁ WHO ମୁଖ୍ୟଙ୍କ ପରାମର୍ଶ । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଶ୍ବର ଅନେକ ଦେଶରେ ଲୋକମାନେ ପ୍ରଥମ ଡୋଜ୍ ଟିକା ଏପର୍ଯ୍ୟନ୍ତ ପାଇନାହାନ୍ତି। କିନ୍ତୁ କିଛି ଦେଶ ସେମାନଙ୍କ ଲୋକଙ୍କୁ ଦୁଇ ଡୋଜ୍ ଟିକା ଦେବା ପରେ ଏବେ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଦେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଧନମ ଏହି ଦେଶଗୁଡ଼ିକର ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଜୀବନ ପ୍ରତି ଅଧିକ ବିପଦ ଥିବା ବର୍ଗର ଲୋକଙ୍କୁ ପ୍ରଥମେ ଟିକା ଦେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

WHO ପକ୍ଷରୁ କୁହାଯାଇଛି ଯେ, ୟୁରୋପ ପୁଣି ଥରେ କରୋନା ମହାମାରୀର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ ସପ୍ତାହରେ ଏଠାରେ ପାଖାପାଖି ୨୦ ଲକ୍ଷ ନୂଆ ଆକ୍ରାନ୍ତ ବାହାରିଛନ୍ତି। ମହାମାରୀ ଆରମ୍ଭ ହେବା ଦିନଠାରୁ କୌଣସି ସପ୍ତାହରେ ଏଠାରେ ଏତେ ସଂଖ୍ୟକ ସଂକ୍ରମଣ ଦେଖାଦେଇ ନଥିଲା। ସଂକ୍ରମଣକୁ ରୋକିବା ପାଇଁ କିଛି ଦେଶ କଟକଣା ଜାରି କରିବା ସହିତ ଟିକା ଏବଂ ବୁଷ୍ଟର ଡୋଜ୍ ପ୍ରଦାନ କରୁଛନ୍ତି। ବିଶ୍ବରେ ଯେତେବେଳେ ସ୍ବାସ୍ଥ୍ୟ କର୍ମୀ, ବୟସ୍କ ଲୋକ, ଜୀବନ ପ୍ରତି ବିପଦ ଥିବା ବର୍ଗର ଲୋକ ସେମାନଙ୍କ ପ୍ରଥମ ଡୋଜ୍ ଟିକା ନେବାକୁ ଅପେକ୍ଷା କରିଛନ୍ତି ସେତେବେଳେ ସ୍ବାସ୍ଥ୍ୟବାନ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବାର କିଛି ଅର୍ଥ ନାହିଁ। ଗରିବ ଦେଶଙ୍କୁ ଟିକା ମିଳି ନଥିବାରୁ ବର୍ଷ ଶେଷ ପର୍ଯ୍ୟନ୍ତ ବୁଷ୍ଟର ଡୋଜ୍ କୁ ସ୍ଥଗିତ ରଖିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବାରମ୍ବାର କହି ଆସୁଥିଲେ ମଧ୍ୟ ଅଧିକରୁ ଅଧିକ ଦେଶ ସେମାନଙ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *