ରାଜା ଯେବେ ମୂର୍ଖ ହୁଏ…
Bhubaneswar:
ବାଞ୍ଝ ବଖାଣୁଛି ପ୍ରସବ ବେଦନା…
ନଂପୁସକ କରେ ଚଉଠି ରାତି…
ମାଇଚିଆ ଏଠି ରାଜନୀତି କରେ…
ଦେଖ, କଙ୍କାଳ କରୁଛି ଦାଦାଗିରି…
() ଏ ବିଶ୍ବରେ ଏବେ ଠିକ ଏୟା ହିଁ ଚାଲିଛି ନା ! ବିଶ୍ବର ସବୁ କୁ-ପଢ଼ ରାଜାଙ୍କ କଥାରେ ବିଶ୍ବର ସବୁ ପ୍ରଜା ସମ୍ପୂର୍ଣ୍ଣ ମୂର୍ଖ ହୋଇ ଯାଇଛନ୍ତି ନା ! ସପ୍ତମ ଶ୍ରେଣୀ ପୁରୁଣା ଇଂରାଜୀ ବହିର ସେହି ବିଷୟ- ‘The Owl Who Was God’ ଏବଂ ନବମ ଶ୍ରେଣୀ ସଂସ୍କୃତ ବହିର ସେହି ପୁରୁଣା ‘ନୀଳବର୍ଣ୍ଣ ଶୃଗାଳ’ ବିଷୟ, ବର୍ତ୍ତମାନର ବୈଶ୍ବିକ ସ୍ଥିତିକୁ ଦେଖିଲେ, କାହିଁକି କେଜାଣି ମନକୁ ଆନ୍ଦୋଳିତ କରୁଛି ।…
() ରାତ୍ରିର ସେହି ଘନ ଅନ୍ଧକାରରେ ଗଛର ଏକ ଡାଳରେ ବସିଥିଲା ପେଚାଟି । ପେଚାଟି ବୋବାଇଲା… କିନ୍ତୁ ଗଛ ତଳେ ଥିବା ଗାତରୁ ବାହାରିଥିବା ମୂଷା ୨ଟିଙ୍କୁ ପେଚାର ଶବ୍ଦଟି You Two ଭଳି ଶୁଭିଲା । ବାସ୍… ତା ପରେ ତ ସ୍ଥିତି ପୂରା ବଦଳିଗଲା । ସେହି ମୂଷା ଦୁଇଟା ବୁଲି ବୁଲି ସାରା ବିଶ୍ବରେ କହିଦେଲେ, ପେଚା ହିଁ ଭଗବାନ । ଜଙ୍ଗଲର ସବୁ ପଶୁପକ୍ଷୀ ଭଗବାନ ପେଚାଙ୍କ ଶରଣାପନ୍ନ ହେଲେ । ଭଗବାନ ପେଚାଙ୍କ ପଦାଙ୍କ ଅନୁସରଣ କଲେ । ଏମିତି ଥରେ ଦିନ ଦି ପହରେ ଜାତୀୟ ରାଜପଥରେ ଭଗବାନ ପେଚାଙ୍କ ପଦାଙ୍କ ଅନୁସରଣ କରୁଥିଲେ ଜଙ୍ଗଲ ସବୁ ଜୀବଜନ୍ତୁ, ସିଂହ-ବାଘ ଆଦି ଓଗେର ବି ଥିଲେ । କିନ୍ତୁ ସାମ୍ନାରୁ ଆସୁଥିବା ଦ୍ରୁତଗାମୀ ଟ୍ରକଟି ଅନେକଙ୍କୁ ଚାପି ଦେଲା । ମୃତକଙ୍କ ମଧ୍ୟରେ ଭଗବାନ ପେଚା ବି ଥିଲେ । କିନ୍ତୁ ପରେ ଜଣା ପଡ଼ିଲା ଭଗବାନ ଦିନରେ କିଛି ଦେଖିବାକୁ ଅକ୍ଷମ ଥିଲେ ବୋଲି । କିନ୍ତୁ ଜଙ୍ଗଲର ସବୁ ଜୀବଜନ୍ତୁ, ସେହି ଅନ୍ଧ ଭଗବାନଙ୍କ ଅନ୍ଧଭକ୍ତ ହୋଇ ସାରିଥିଲେ । ପ୍ରକୃତିସ୍ଥ ହେଲା ବେଳକୁ କିମ୍ବା ଆଖି ଫେରି ପାଇଲା ବେଳକୁ କିନ୍ତୁ ଅନେକ କିଛି ହରାଇ ସାରିଥିଲେ ସେମାନେ ।…
() ଠିକ ସେମିତି ନୀଳବର୍ଣ୍ଣ ଶୃଗାଳର କାହାଣୀ । ନିଜ ପରିଚୟ ଗୋପନ ରଖିବାକୁ ଯାଇ ବେଶ କିଛି ଦିନ ଅଭିନୟ କଲା ଶୃଗାଳଟି । କିନ୍ତୁ ପ୍ରକୃତି ନୈବ ମୁଚ୍ୟତେ ନୀତିରେ ସତ ସାମ୍ନାକୁ ଆସିଗଲା । ଏବେର ବିଶ୍ବରେ କିନ୍ତୁ ନୀଳବର୍ଣ୍ଣ ଶୃଗାଳର ରୂପ ବଦଳି ଯାଇଛି । ବାଘଛାଲ ପିନ୍ଧା ଗଧିଆର ରୂପ ନେଇ ସାରିଛି ତାହା । ଛାଲଟା ସିନା ବାଘର, ହେଲେ କଲିଜାଟା କିନ୍ତୁ ଗଧିଆ କଲିଜାଠାରୁ ହୀନ ।…
() ଲାଇନରେ ଛିଡ଼ା ହେବା ଆମ ଭାରତୀୟଙ୍କ ଅଭ୍ୟାସଗତ ହୋଇସାରିଛି । ନୋଟ୍ ବନ୍ଦୀ ବେଳେ ଏଟିଏମ ଏବଂ ବ୍ୟାଙ୍କ ଆଗରେ, କୋରୋନା ବେଳେ ହସ୍ପିଟାଲ ଆଗରେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କଲା ବେଳେ ଗାଡ଼ି ଶୋ ରୁମ ଆଗରେ… ଏମିତି କେତେ କଣ, ଆଉ ଏବେ ଗ୍ୟାସ ସିଲିଣ୍ଡର ପାଇଁ ଆମେ ଲାଇନରେ । ଯେତେ ସମସ୍ୟା ଆମେ ଦେଖୁଛେ ବା ଅଙ୍ଗେ ନିଭାଉଛେ, ସେସବୁ ସେଇ ଜେଜେଙ୍କ ଭୁଲ ପାଇଁ ହେଉଥିବା, ଆମ୍ଭମାନଙ୍କୁ କୁହାଯାଉଛି । ଆଉ ସତକୁ ସତ, ଆମ୍ଭେମାନେ ମଧ୍ୟ ଭଗବାନ ପେଚାଙ୍କ ଅନ୍ଧଭକ୍ତ ହୋଇ ସାରିଛେ । ଆମ୍ଭମାନଙ୍କୁ ଭଗବାନଙ୍କ ବାଣୀ ବ୍ୟତୀତ ଆଉ ଅନ୍ୟ କିଛି କାହିଁକି ବା ଦେଖାଯିବ…
() ସପନ ଦେଖିବାରେ ଆମ୍ଭେମାନେ କିନ୍ତୁ କିଛି କମି କରୁନେ । ଏଇ ଯେମିତି ରାମରାଜ୍ୟର ସ୍ବପ୍ନ ଦେଖିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ଆଉ ଆମ୍ଭେମାନେ ଏବେ ସେମିତି, ବିନା ଖସଡ଼ାରେ ୨୧ ବର୍ଷ ପରର ବିକଶିତ ଭାରତର ସ୍ବପ୍ନ ଦେଖୁଛେ । ସତରେ ଏ ଦେଶବାସୀ ଅନ୍ଧ ନା, ଏ ଦେଶର ମୁଖିଆ ଅନ୍ଧ…
() ବିଶ୍ବର ସର୍ବବୃହତ ଗଣତନ୍ତ୍ରର ସ୍ଥିତି ଯାହା, ସର୍ବ ପୁରାତନ ଗଣତନ୍ତ୍ର ସ୍ଥିତି ବି ସେୟା । ମନେ ପକାନ୍ତୁ ତ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲ୍ ହିଲରେ କଣ କରି ନଥିଲେ ! ଆମେରିକାର ଅଧିକାଂଶ ଲୋକ ସେହି ଘଟଣାକୁ ଆତଙ୍କବାଦୀ କାର୍ଯ୍ୟକଳାପ ସହ ତୁଳନା କରିବାକୁ ପଛାଇ ନଥିଲେ । ଟ୍ରମ୍ପଙ୍କ ରିପବ୍ଲିକାନ ଦଳର ବାଚସ୍ପତି ଥିବା ନାନ୍ସି ପେଲୋସୀ, ସେହି ଘଟଣା ପାଇଁ ଟ୍ରମ୍ପଙ୍କୁ ଦାୟୀ କରିବାକୁ ପଛାଇ ନଥିଲେ । ସେତେବେଳେ ଅନୁମାନ କରାଯାଉ ଥିଲା, ଟ୍ରମ୍ପ ଆଉ କେବେ ବି, ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇ ପାରିବେନି । କିନ୍ତୁ ହେଲେ ନା ହେଲେନି ! ତେଣୁ ଏଠି ସେତେବଳେର ଆମେରିକାର Upper Voice, ୨୦୨୪ ନିର୍ବାଚନରେ ସ୍ପଷ୍ଟ ହୋଇଗଲା ଯେ, ତାହା ଆମେରିକାର Inner Voice ନଥିଲା । ଆଉ ଏବେ ଆମେରିକା କାହିଁକି, ସାରା ବିଶ୍ବ ଦେଖୁଛି ଟ୍ରମ୍ପଙ୍କ ପାଗଳାମି… କାହିଁକି ଟ୍ରମ୍ପଙ୍କ ପାଗଳାମିରେ ସାରା ବିଶ୍ବ ଭୀତସ୍ତ୍ରତ !…
() ଡଲାରର Dominancyକୁ ବଜାୟ ରଖିବା ଏବଂ ସାରା ବିଶ୍ବରେ ଶକ୍ତିର ସୁପ୍ରିମ ଲିଡର ହେବା ଆମେରିକାର ଏକମାତ୍ର ଲକ୍ଷ୍ୟ । ଯେଉଁଥି ପାଇଁ ବିଭିନ୍ନ ଦେଶ ଉପରେ ଭିନ୍ନ ଭିନ୍ନ ସମୟରେ ସେ ଆକ୍ରମଣ କରିଆସୁଛି । କିନ୍ତୁ ଡଲାରକୁ ଏ ଧମକ, ଏବେର ନୁହେଁ । ଏହା ପାଖାପାଖି ୫୨ ବର୍ଷ ତଳର । ୧୯୭୪ରେ ଡଲାର ବଦଳରେ Petro-dollar Introduce କରିଥିଲା ସାଉଦି ଆରବ । ୨୦୨୪ରେ ରୁଷିଆରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଡଲାର ବିକଳ୍ପ ନେଇ ଚିନ୍ତା କରିଥିଲେ ସଂସ୍ଥାର ସଦସ୍ୟ ରାଷ୍ଟ୍ର ସମୂହ । ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ହେଉ ହେଉ ସେହି ଡଲାର୍ ବିକଳ୍ପକୁ ନେଇ ବ୍ରିକ୍ସ ଦେଶ ସମୂହଙ୍କୁ ଚେତାବନୀ ଦେଇଥିଲେ । କିନ୍ତୁ ଏବେ ତାଙ୍କ ନେତୃତ୍ବରେ ହେଉଥିବା ଇରାନ ବିରୋଧୀ ଯୁଦ୍ଧରେ ଡଲାର ହୁଏତ, ତାର Dominancy ହରାଇପାରେ । କାରଣ ଇରାନ କହିଲାଣି, Hormuz Strait ଦେଇ ଯେଉଁ ଦେଶ ତେଲ କିମ୍ବା ଗ୍ୟାସ୍ ନେବାକୁ ଚାହିଁବେ, ସେହି ଦେଶଗୁଡ଼ିକୁ ଡଲାର ବଦଳରେ ଚୀନର ମୁଦ୍ରା ୟୁଆନରେ କିଣିବାକୁ ପଡ଼ିବ ।…
() ଗୋଟେ ପଟେ ବର୍ତ୍ତମାନ ହେଉଥିବା ଯୁଦ୍ଧର ଫାଇଦା ନେଇ ରୁଷିଆ ରୁବେଲରେ ପ୍ରବଳ ବେପାର କରୁଥିବା ବେଳେ Hormuz Strait ପାରି ହେବାକୁ ହେଲେ, ‘ୟୁଆନ୍’ ସର୍ତ୍ତ ରଖିଲାଣି ଇରାନ । ଭାବିଲେ ଦେଖି କଣ ହେବ ଡଲାରର ସ୍ଥିତି ! ୨୦୨୪ରେ ରୁଷିଆ ବ୍ରିକ୍ସ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଯେଉଁ ଡଲାରର ବିକଳ୍ପ ଚିନ୍ତା କରିଥିଲେ, ତାହା ଆପଣା ଛାଏଁ ପୂରଣ ହୋଇଯିବନି ତ ! ସେଭଳି ସ୍ଥିତିରେ କଣ ହେବ ଟ୍ରମ୍ପଙ୍କର ! ଆମେରିକା ପାଇଁ ସେ Gainer ନା Looser ପ୍ରମାଣିତ ହେବ ! ସତ କହିବାକୁ ଗଲେ, ସେ ପେଚା ହୁଅନ୍ତୁ ବା ନୀଳବର୍ଣ୍ଣ ଶୃଗାଳ… ହୁଅନ୍ତୁ ଅବା ବାଘଛାଲ ପିନ୍ଧା ଗଧିଆ… କଲିଜା କିନ୍ତୁ ଆଦୌ ବାଘର ନୁହେଁ, ଗଧିଆ କଲିଜାଠାରୁ ଯଥେଷ୍ଟ ହୀନ, ଏହା ପ୍ରମାଣିତ ହୋଇଯିବ ନିଶ୍ଚୟ ।…
() ଟ୍ରମ୍ପ କାଳେ ଆମେରିକାକୁ ପୁଣି ଥରେ ବଡ଼ କରିଦେବେ ! ଏହି ଦ୍ବିତୀୟ ଟର୍ମରେ Make America Great Again ବା MAGA ଟାର୍ଗେଟ ପୂରଣ କରିଦେବେ । ଠିକ ସେହିଭଳି ନେତାନ୍ୟାହୁ ମଧ୍ୟ ଇସ୍ରାଏଲକୁ The Great Israel କରିଦେବେ । ଠିକ ଯେମିତି, ନିଜ ପିଲାଙ୍କ ଆଗରେ ନିଜକୁ ହାତୀଠାରୁ ବଡ଼ ଦର୍ଶାଇବାକୁ ଯାଇ ମାଆ ବେଙ୍ଗଟି ତାର ପେଟକୁ ଫୁଲାଇବାରେ ଲାଗିଥିଲା, ହେଲେ ଫାଟିଗଲା ।…











