ଏଠି କି ଖେଳ ଚାଲିଛି !
BHUBANESWAR: ମଣିଷ କ’ଣ ଟିକେ ଶାନ୍ତିରେ ନିଶ୍ବାସ ମାରିବନି ! ଏଠି କି ଖେଳ ଚାଲିଛି ! କଣ ଚାଲିଛି ଏଠି ! ରୁଷିଆ, ୟୁକ୍ରେନ ଯୁଦ୍ଧକୁ ୪ ବର୍ଷ ପୂରିଲାଣି, ହେଲେ ନା ରୁଷିଆ ଜିତୁଛି, ନା ୟୁକ୍ରେନ ! ରୁଷିଆଠାରୁ ଜନ୍ମ, ପୁଣି ଆକାର ଓ ଶକ୍ତିରେ ରୁଷିଆଠାରୁ ଅନେକ ମାତ୍ରାରେ କ୍ଷୁଦ୍ର ଓ ଦୁର୍ବଳ । ରୁଷିଆ ଆକ୍ରମଣରେ ଅନେକ କିଛି ଧନଜୀବନ ହରାଇ ସାରିଲଣି ୟୁକ୍ରେନ । ତଥାପି ହାର ମାନିବାକୁ କିମ୍ବା ଆତ୍ମସମର୍ପଣ କରିବାକୁ ଆଦୌ ପ୍ରସ୍ତୁତ ନୁହେଁ ।…
ଠିକ ସେହିଭଳି ଗାଜା ଉପରେ ୨ ବର୍ଷରୁ ଅଧିକ ହେବ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । କିନ୍ତୁ ଗାଜା, ନାଁ ହାରୁଛି ନା ଆତ୍ମସମର୍ପଣ କରୁଛି ! ପାଲେଷ୍ଟାଇନ ବି କିଛି କରିପାରୁନି । ମାତ୍ର ୩୬୫ ବର୍ଗ କିଲୋମିଟର ତଥା ଦିଲ୍ଲୀର ୪ ଭାଗରୁ ଭାଗେ, ଆକାରର ଗାଜାକୁ ହରାଇ ପାରୁନି ଇସ୍ରାଏଲ୍ । ଏପଟେ କିନ୍ତୁ ନିଜ ଆକାରଠାରୁ ୭୫ ଗୁଣା ବଡ଼ ଇରାନ ସହ ଲଢୁଛି । ବିନା ବଳିଷ୍ଠ କାରଣରେ ଆମେରିକା ମଧ୍ୟ ଇସ୍ରାଏଲକୁ ସମର୍ଥନ କରି ଇରାନ ଉପରେ କରୁଛି ଆକ୍ରମଣ । ଇରାନ, ଏକା ଥରକେ ଇସ୍ରାଏଲ୍ ଏବଂ କିଛି ୟୁରୋପୀୟ ଓ ଆରବ ଦେଶରେ ଥିବା ଆମେରିକାର ସାମରିକ ଆଡ୍ଡା ଉପରେ କରୁଛି ଟାର୍ଗେଟ । କିନ୍ତୁ ଇରାନ କାହିଁକି, ନେତାନ୍ୟାହୁଙ୍କ ଇସ୍ରାଏଲ ଭିତରେ ପଶି ଆକ୍ରମଣ କଲା ଭଳି, ଆମେରିକାକୁ କରୁନି ଟାର୍ଗେଟ ! ପୁଣି ଯେଉଁ ଆରବ ଦେଶଗୁଡ଼ିକରେ ଥିବା ଆମେରିକାର ସାମରିକ ଆଡ୍ଡାକୁ ଇରାନ ଟାର୍ଗେଟ କରୁଛି, ସେସବୁ ଦେଶଗୁଡ଼ିକ କାହିଁକି ଇରାନ ଉପରେ ପ୍ରତି-ଆକ୍ରମଣ କରୁନାହାଁନ୍ତି ! ଖାମିନେଇଙ୍କ ମୃତ୍ୟୁକୁ ନେଇ କେବଳ ସମବେଦନା ଜଣାଇ ଦେଇ ନିରବଦ୍ରଷ୍ଟା ସାଜିଥିବା ରୁଷିଆ ଏବଂ ଚୀନ, ସତରେ କଣ ଚାହୁଁଛନ୍ତି ! ଇରାନ ପରା ଏମାନଙ୍କର ଜବରଦସ୍ତ ମିତ୍ର ରାଷ୍ଟ୍ର !…
ଏବେ ଯାହା ଚାଲିଛି, ତାହା Technically ଆଦୌ ଯୁଦ୍ଧ ନୁହେଁ । Diplomatic Languageରେ ଏହା Military Operation । ଅନ୍ତର୍ଜାତୀୟ ଆଇନ ଦୃଷ୍ଟିରୁ ଯଦି ଦେଖିବା, ତେବେ ଏହା Military Operation ହିଁ ନୁହେଁ । ଏହା କେବେ ବି ଯୁଦ୍ଧର ସଜ୍ଞା ନୁହେଁ । ଏହା ପ୍ରକୃତ ଯୁଦ୍ଧର ସମ୍ପୂର୍ଣ୍ଣ ପରିପନ୍ଥୀ । ଏହା କେବଳ ମାନବତା ଉପରେ ଆକ୍ରମଣ, ମାନବତାର ହତ୍ୟା ଏବଂ ସୃଷ୍ଟିର ସଂହାର । କିନ୍ତୁ ବିଶ୍ବ ଦେଖୁଛି ଯୁଦ୍ଧ… ଯାହା ନେଇପାରେ ତୃତୀୟ ବିଶ୍ବଯୁଦ୍ଧର ରୂପ । ଏଠି ପ୍ରଶ୍ନ ଉଠୁଛି, ଇରାନଠାରୁ ୭୫ ଗୁଣା ଛୋଟ, ଇସ୍ରାଏଲ, ଇରାନ ଉପରେ ଆକ୍ରମଣ କରିବାକୁ କାହିଁକି ମୂଳରୁ ଏତେ ହୁକୁ ହୁକୁ ! କାହିଁକି ବାରମ୍ବାର ଏ ସାହସ କରୁଛି ! ଏଥର ଇରାନ ଉପରେ ଆଗୁଆ ଆକ୍ରମଣ କରି ଇସ୍ରାଏଲ ନିଜେ ଫସିବା ସହ ଆମେରିକାକୁ ଫସାଇ ଦେଲା କି ! ଆମେରିକା, ଇସ୍ରାଏଲ ପାଇଁ ନିଶ୍ଚିତ ରୂପେ ଗୋଟେ ସାହସ । କାରଣ ଆମେରିକା ସାହସରେ ହିଁ ଛୋଟିଆ ଗାଜା ଉପରେ ୨ ବର୍ଷରୁ ଅଧିକ ହେବ, ଇସ୍ରାଏଲ ଘନ ଘନ ଆକ୍ରମଣ ଚଳାଇଛି ।…
ଏଠି ସନ୍ଦେହ ହେଉଛି ଯେତିକି, ସେତିକି ଆଶ୍ଚର୍ଯ୍ୟ ବି ଲାଗୁଛି । କଥା ହେଉଛି, ଏତେ ବର୍ଷ ଧରି ଅନ୍ତର୍ଜାତୀୟ ଆର୍ଥିକ କଟକଣାର ଚାପରେ ପେଶି ହୋଇ ଯାଇଥିବା, ଇରାନ, ଏତେ ଶକ୍ତିଶାଳୀ କେମିତି ହେଲା ! ନିଜ ସାମରିକ ତାକତକୁ ଏବେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ କେମିତି କଲା ! ଏଠି Back Groundରେ ଥାଇ ରୁଷିଆ ଏବଂ ଚୀନ, ଇରାନକୁ Back-up ଦେଉନାହାଁନ୍ତି ତ ! ଅପରେସନ ସିନ୍ଦୁର ବେଳେ ତ ଠିକ ଏମିତି ଚୁପ ରହି, ପାକିସ୍ତାନ ପଛରେ ପାହାଡ଼ ଭଳି ଛିଡ଼ା ହୋଇ ପଡ଼ିଥିଲା ଚୀନ । ଆମ ବନ୍ଧୁରାଷ୍ଟ୍ର ରୁଷିଆ ତ ଆଦୌ ସାଥ ଦେଲାନି । ସେ ଯାହା ବି ହେଉ, ଟ୍ରମ୍ପ ତ ୭୦ ଥରରୁ ଅଧିକ କହି ସାରିଲେଣି ସେ ହିଁ କରାଇଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ Ceasfire । ତେଣୁ ଏଠି ଯେ, ଇରାନ ପଛରେ ଚୀନ ଓ ରୁଷିଆ ପାହାଡ଼ ଭଳି ଛିଡ଼ା ହୋଇ ନାହାଁନ୍ତି, ତାହା କାହିଁକି କେଜାଣି ବିଶ୍ବାସ ହେଉନି । କିନ୍ତୁ ଆମେରିକା ଭଳି ଏହି ଦୁଇ ରାଷ୍ଟ୍ର Public ହେଉ ନାହାଁନ୍ତି । ହେଲେ ଟ୍ରମ୍ପ, ଆମେରିକାକୁ ପୂରା Public କରାଇ ଦେଇଛନ୍ତି । ଖୋଲାଖୋଲି ଇସ୍ରାଏଲ ସମର୍ଥନରେ ବାହାରି ଇରାନ ଉପରେ ଆମେରିକା କରୁଛି ଆକ୍ରମଣ । ଏଠି ନୂଆ ବିଶ୍ବଶକ୍ତି ପାଇଁ ପ୍ରତିନ୍ଦ୍ବନ୍ଦିତା ଚାଲିନି ତ ! ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ଏହି ମାନ୍ୟତା ଧରି ରଖି ଆସୁଥିବା ଆମେରିକା, ତୃତୀୟ ବିଶ୍ବଯୁଦ୍ଧର ଶିଳାନ୍ୟାସ କରାଇ, ଏହି ମାନ୍ୟତା ହରାଇବାକୁ ଯାଉନି ତ !…
କେବଳ ଡଲାର୍ ବା ନିଜ ଅର୍ଥନୀତିକୁ ବଞ୍ଚାଇବାକୁ ଆମେରିକା ଗୋଟେ ପରେ ଗୋଟେ ଦେଶ ଉପରେ ଆକ୍ରମଣ କରି ଚାଲିଛି । ଅଧିକାଂଶ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ହତ୍ୟା କରି ଚାଲିଛି । କିନ୍ତୁ ଏଇଠି ଯଦି ଇରାନଠାରୁ ହାରିଗଲା ! କିଛି ଅସମ୍ଭବ ନୁହେଁ ! କାରଣ ଆଫଗାନିସ୍ଥାନରେ ତାଲିବାନକୁ ମୂଳପୋଛ କରି ଗଣତନ୍ତ୍ର ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇ ୨୦ ବର୍ଷ ଲଢ଼ିବା ପରେ ଆମେରିକା କଣ କଲା, ତାହା ବିଶ୍ବ ଦେଖିଲା ନା ଦେଖିନି ! ଯଦି ତାଲିବାନଙ୍କ ହାତରେ ଆଫଗାନିସ୍ଥାନର ଶାସନ ଭାର ଦେଇ, ସୈନ୍ୟ ପ୍ରତ୍ୟାହାର କରାଇ ନେଇଥିବା ଆମେରିକା କହିବ, ସେ ଜିତିଛି, ଲୋକେ ହସିବେନି ! ଆଫଗାନିସ୍ତାନରେ Escape Route ହରାଇଲା ଭଳି, ଯଦି ଇରାନ ହାବୁଡ଼ରୁ ଆମେରିକା ଖସି ନପାରିଲା, ତେବେ ଏଭଳି ସ୍ଥିତିରେ ଇରାନ ଫେରିପାଇ ଯିବନି ତ ତାର ହୃତ ଗୌରବ ! ପୁଣି ଥରେ ବିଶ୍ବର ସର୍ବବୃହତ ଏବଂ ସର୍ବ ଶକ୍ତିମାନ ଦେଶ ହୋଇଯିବନି ତ ଇରାନ ! ଆମେରିକା ତଳକୁ ଖସିଗଲେ, ଇତିହାସ ଟ୍ରମ୍ପଙ୍କୁ କହିବ କଣ ! ଆମେରିକାବାସୀ ଟ୍ରମ୍ପଙ୍କୁ କହିବେ କଣ ! ପୁଣି ଏପଟେ ଇରାନ ଯଦି ଇସ୍ରାଏଲକୁ ବିଶ୍ବ ମାନଚିତ୍ରରୁ ନିଶ୍ଚିହ୍ନ କରିଦେଲା, ନେତାନ୍ୟାହୁଙ୍କୁ ନ୍ୟାୟ ଦେବ କିଏ ! ଗାଜା ଓ ଇରାନରେ ନିଷ୍ପାପ ଶିଶୁଙ୍କୁ ହତ୍ୟା ଧରମ ସହିବ ତ ! ହସ୍ପିଟାଲ ଓ ସ୍କୁଲ ଉପରେ ଆକ୍ରମଣ କିଏ ବରଦାସ୍ତ କରିବ !…
ଖାମିନେଇଙ୍କ ବିରୋଧରେ ଇରାନରେ ଆନ୍ଦୋଳନ କିଛି କମ ନଥିଲା । ପୁଣି ଇରାନରେ ସିହା-ସୁନ୍ନି କଳି ଲାଗି ରହିଛି । ତଥାପି ଖାମିନେଇଙ୍କ ହତ୍ୟା ପରେ ଇରାନବାସୀ ଏକ୍ ହୋଇ ଠିଆ ହୋଇଛନ୍ତି । ଇରାନ ମୁହଁତୋଡ଼ ଜବାବ ଦେଇ ଚାଲିଛି । ଇସ୍ରାଏଲ୍ ସମେତ ଆମେରିକୀୟ ସାମିରିକ ଆଡ୍ଡା ଥିବା ୧୪ଟି ଦେଶକୁ ଦେଉଛି ଟକ୍କର । ବର୍ତ୍ତମାନ ସୁଦ୍ଧା ଇରାନ ବିରୋଧରେ ଇସ୍ରାଏଲ ଓ ଆମେରିକାକୁ ଫୁଲ ଦମରେ ସାମ୍ନା କରିବାକୁ ଆଉ ଅନ୍ୟ କେଉଁ ଦେଶ ସାମ୍ନାକୁ ଆସୁ ନାହାଁନ୍ତି କାହିଁକି ? ଆମେରିକା ଓ ଇସ୍ରାଏଲ, ଇରାନଠାରୁ ହାରି ସାରିଲେଣି କି ! କାରଣ ଇତିହାସରେ ପ୍ରଥମ ଥର ପାଇଁ ଅନ୍ୟ ଦେଶରେ ଥିବା ନିଜ ଦେଶର ନାଗରିକଙ୍କୁ ଆମେରିକା ସୁରକ୍ଷା ଦେଇପାରୁନି । ଇରାନ ଟାର୍ଗେଟ୍ କରୁଥିବା ଦେଶ, ତୁରନ୍ତ ଆମେରିକୀୟମାନେ ଛାଡ଼ିବାକୁ ୱାସିଂଟନ୍ Advisory ଜାରି କରି ସାରିଛି । ଖାଲି ସେତିକି ନୁହେଁ ବାହାରିନ୍, କତାର ଭଳି କିଛି ଦେଶରେ ଆମେରିକା ତାର ଦୂତାବାସ ବନ୍ଦ କରିଦେଲାଣି । ଏହା କଣ ସୂଚାଉଛି ?…
ଅନ୍ୟ ଦେଶରେ କ’ଣ ହେଉଛି ଆମର ବା ଯାଏ-ଆସ କେତେ ! ଯୁଦ୍ଧରେ ଯିଏ ଜିତୁଛି ଜିତୁ, ଯିଏ ହାରୁଛି ହାରୁ… ଆମର ବା କଣ ଯାଉଛି ! ଇତିହାସ କାହାକୁ କଣ କହୁଛି କହୁ ବା ଆମକୁ ବା ସେଥିରୁ କଣ ମିଳିବ ! ସତ କହିବାକୁ ଗଲେ, ଯୁଦ୍ଧ କାହା ପାଇଁ ଆଦୌ ଭଲ ନୁହେଁ । ଏ ଯୁଦ୍ଧ କାହା ପାଇଁ ମଜା ହୋଇପାରେ ସତ, କିନ୍ତୁ ସାମଗ୍ରୀକ ଭାବେ ବିଶ୍ବର ସମସ୍ତଙ୍କ ପାଇଁ ସଜ୍ଜା । ଯୁଦ୍ଧରେ ଭାରତର ବହୁତ ବଡ଼ କ୍ଷତି ହେବାକୁ ଯାଉଛି । ଯୁଦ୍ଧ ଯଦି, ଅତି କମରେ ମାସେ ଚାଲିଲା, ତେବେ Movement କରିବାକୁ ଆମ ପାଖରେ ତେଲ ଅଛି ତ ! ୨୫ ଦିନ ତଳକୁ ଅଛି Reserve । ଏତିକି ତେଲରେ କେତେ ଦିନ ଚାଲିବା ଆମେ ! ତେଲ ଅଭାବର ସିଧାସଳଖ ପ୍ରଭାବ ଖାଉଟି ବଜାର ଉପରେ ପଡ଼ିବ… ଜିନିଷପତ୍ରର ଦରଦାମରେ ହାତ ମାରିହେବ ତ ! କଣ ହେବ ଆମ ସ୍ଥିତି ! ଅନ୍ୟ କୌଣସି ଦେଶର ତେଲ ଚିନ୍ତା ସେତେଟା ନଥିବା ବେଳେ ତେଲ ପାଇଁ ବର୍ତ୍ତମାନ ଆମ ସରକାରଙ୍କ ବ୍ୟଗ୍ରତା ହିଁ ଅନେକ କିଛି ସୂଚାଇ ଦେଉଛି ।…
ଦେଶ ସ୍ବାଧୀନତାକୁ ୭୯ ବର୍ଷ ପୂରିଲାଣି । ସେ ୭୯ ବର୍ଷ କଥା ଛାଡ଼ନ୍ତୁ, ବିଜେପି ନେତ୍ରୀ କଙ୍ଗନା ରାଣାୱତଙ୍କ କଥାରେ ଯଦି ଦେଶକୁ ୨୦୧୪ରେ ପ୍ରକୃତ ସ୍ବାଧୀନତା ମିଳିଛି, ତେବେ ଏହି ୧୨ ବର୍ଷରେ କାହିଁକି ଆମେ ତେଲ ଟାଙ୍କିଟେ ତିଆରି କରି ପାରିଲେନି ! ରୁଷିଆଠାରୁ ଶସ୍ତାରେ ଏତେ ତେଲ ଆଣିଲେ, ସେସବୁ କଣ ହେଲା ! କାହା ପକେଟକୁ ଗଲା ସେ ଲାଭ ଟଙ୍କା ! ଆମେରିକା ପରେ ଯଦି କାହା ପାଖରେ ଅତ୍ୟଧିକ ତେଲ ମହଜୁଦ ଥାଏ ତାହା ହେଉଛି ଚୀନ । ଅର୍ଥନୀତିରେ ପରା ଆମେ ନିଜକୁ ଅଧିକାଂଶ ସମୟ ଚୀନ ସହ ତୁଳନା କରୁଛେ ! ପୁଣି ଦେଶର ବିଜେପି ନେତୃତ୍ବାଧୀନ ସରକାର ୨୦୪୭ ପାଇଁ ବିକଶିତ ଭାରତ କଥା ନିତି ଦୋହରାଇ ଚାଲିଛନ୍ତି ! ଏଭଳି ସ୍ଥିତିରେ ଆମେ ଯଦି ତେଲ Reserve ରଖିବାକୁ ଟାଙ୍କିଟେ କରିପାରିନେ, ତେବେ ବର୍ତ୍ତମାନର ଘଡ଼ିସନ୍ଧି ସମୟରେ ଆମେ କେମିତି ତିଷ୍ଠିବା ! ୨୦୪୭ ଯାଏଁ ଆମେ ଥିବା ଟି ! Nominal GDPରେ ବିଶ୍ବର ଚତୁର୍ଥ ଅର୍ଥନୀତି ମାସକ ପରେ କରିବ କଣ ! ପୁଣି ଏପଟେ ପାକିସ୍ତାନ ଓ ଆଫଗାନିସ୍ଥାନ ମଧ୍ୟରେ ଖେମେଟା ଖେମିଟି ଚାଲିଛି… ସେଠି ଯଦି ଯୁଦ୍ଧ ହୋଇଗଲା, ତେବେ ଆମ ସ୍ଥିତି କଣ ହେବ !…











