କଟକରେ କରୋନା ମୁକାବିଲା: ପ୍ରତି ଓ୍ୱାର୍ଡରେ କମିଟି, ମନିଟରିଂ କରୁଛନ୍ତି ବରିଷ୍ଠ ଅଧିକାରୀ
ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ମହାମାରୀକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର । କଟକ ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରତି ୱାର୍ଡରେ କମିଟି ଗଠିତ ହୋଇଛି । ସହରାଞ୍ଚଳରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି । ପ୍ରତି ୱାର୍ଡ ପାଇଁ ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହ ପୂଜା ଓ ସାହି କମିଟିମାନଙ୍କର ସହଯୋଗ ଲୋଡାଯାଇଛି । କରୋନା ସ୍ଥିତି ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି ।
କୋରୋନା ସ୍ଥିତି ନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ଯେ, ‘କରୋନା ନେଇ ସଚେତନ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସିଏମସି ପକ୍ଷରୁ ୧୦ଟି ରାପିଡ ରେସ୍ପନ୍ସ ଟିମ୍ ଗଠିତ ହୋଇଛି । କଟକରେ ୧୦ ହଜାର ବୟସ୍କ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । କଟକ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି ସିଏମସି । ବସ୍ତି ଅଞ୍ଚଳରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯାଇଛି ।
କଟକର ବିଭିନ୍ନ ପୂଜା କମିଟି, ସାହି କମିଟି ସହଯୋଗ କରୁଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହଯୋଗ କରୁଛନ୍ତି । ସିଏମସି ଅଧିନରେ ଅଞ୍ଚଳକୁ ବାହାରୁ ୫,୧୦୧ ଲୋକ ଆସିଛନ୍ତି । ଏମାନଙ୍କୁ ଟ୍ରାକ କରାଯାଇ ସଙ୍ଗରୋଧ ବ୍ୟବସ୍ଥା କରାଯାଉଛି । ଆବଶ୍ୟକୀୟ ସୁବିଧା ଥିଲେ ହୋମ କ୍ୱାରେଣ୍ଟାଇନ ଅନୁମତି ଦିଆଯାଇଛି ।’
ସେ ଆହୁରି କହିଛନ୍ତି ଅତ୍ୟାବଶ୍ୟକ ଜିନିଷର ହୋମ୍ ଡେଲିଭରି ପାଇଁ କାର୍ଡରେ ବ୍ୟବସ୍ଥା ଅଛି। ୩୮୯୨ ହୋମ୍ କ୍ୱାରେଣ୍ଟାଇନ ଓ ୯୪୯ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି। ୨୬୦ ପ୍ରବାସୀ ପେଡ୍ କ୍ୱାରେଣ୍ଟାଇନରେ ରହିଥିବା କହିଛନ୍ତି କମିଶନର ଶ୍ରୀମତୀ ଦାସ।
ଆଜି ପର୍ଯ୍ୟନ୍ତ କଟକ ସହରରେ ମୋଟ ୩୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୪ରୁ ୨୧ ସୁସ୍ଥ, ୧୧ ଆକ୍ଟିଭ କେସ୍ ଓ ୨ ଜଣଙ୍କ ମୃତ୍ୟୁ ଘଟିଛି। ୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଲୋକାଲ କଣ୍ଟା କେସ୍ ଚିହ୍ନଟ ରହିଛି।
କଟକରେ ଭାଇଚାରା ଓ ସାମାଜିକ ସହଭାଗିତା ଯେଭଳି ରହିଛି ତାହା ପ୍ରଶଂସନୀୟ। ଆଗକୁ ମଧ୍ୟ କରୋନା ମୁକାବିଲା ପାଇଁ ତାହା ଆବଶ୍ୟକ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ତଥା କଟକର କୋଭିଡ୍ ପର୍ଯ୍ୟବେକ୍ଷକ ସୌରଭ୍ ଗର୍ଗ ସୂଚନା ଦେଇଛନ୍ତି।