୬ରୁ ଲଘୁଚାପ, ୮ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): ଆସନ୍ତା ୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ୭ ବେଳକୁ ଏହା ଓଡ଼ିଶା ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ୫ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ୬ ତାରିଖ ସନ୍ଧ୍ୟାରୁ ଲଘୁଚାପ ପ୍ରଭାବରେ ଦୁଇଦିନ ଭଲ ବର୍ଷା ହେବ। ପରେ ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ସେପ୍ଟେମ୍ବରରେ ଦେଶରେ ସ୍ବାଭାବିକରୁ ସାମାନ୍ୟ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି। ମୌସୁମି ଜନିତ ନିମ୍ନଚାପ ରେଖା ନାଲିୟାଠାରୁ ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହୋଇପାରେ। ଉପରୋକ୍ତ ଜିଲାଗୁଡ଼ିକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦ୍ରର ଆକଳନ ଅନୁଯାୟୀ, ୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୫ରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ସମସ୍ତ ଜିଲାପାଳ ଓ ମହାନଗର ନିଗମ ଆୟୁକ୍ତମାନେ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ (ଏସ୍‌ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *