ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର, (ଓଡିଶା ଟାଇମ୍): ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ । ଏବେ ଲଗାଣ କିମ୍ବା ବଡ଼ ବର୍ଷା ହେବା ସମ୍ଭାବନା କ୍ଷୀଣ । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ଆସନ୍ତା ୩ ଦିନ ଭିତରେ । ମାତ୍ର ଏଥିରେ ବର୍ଷା ନିଅଣ୍ଟିଆ ସ୍ଥିତି ଦୂର ହେବ ନାହିଁ । ୨୦ ତାରିଖ ପୂର୍ବରୁ ରାଜ୍ୟରେ ଭଲ ବର୍ଷା ସମ୍ଭାବନା କମ୍ ।
ପାଣିପାଗ ବିଭାଗ କହିଛି, ୧୨ ତାରିଖ (ସୋମବାର) ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଓ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୩ ଓ ୧୪ରେ ବି ଏଭଳି ବର୍ଷା ସମ୍ଭାବନା ଅଛି । ତେଣୁ ଆଶାନୁଯାୟୀ ବର୍ଷା ସମ୍ଭାବନା କମ୍ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୩/୪ ଦିନରେ ରାଜ୍ୟରେ କିଛି ବର୍ଷା ହେବ । ୧୫ ତାରିଖ ପରେ ବର୍ଷା କମିଯିବ । ୨୦ ତାରିଖ ପୂର୍ବରୁ ରାଜ୍ୟରେ ଭଲ ବର୍ଷା ସମ୍ଭାବନା କମ୍ ।
ଆକଳନ କରାଯାଉଛି, ବିଶାଖାପାଟଣା ପାଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମହାରାଷ୍ଟ୍ର ଆଡ଼କୁ ଗତି କରିବ । ଫଳରେ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବ । ହେଲେ ଓଡ଼ିଶାର ସୀମିତ ଅଞ୍ଚଳରେ ଏହାର ପ୍ରଭାବ ରହିବ । ସମସ୍ତ ଉପକୂଳ ଜିଲ୍ଲା ସହ ଗଜପତି, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ୧୯ ତାରିଖ ପର୍ଯ୍ୟନ୍ତ ସମୁଦାୟ ୬୦ରୁ ୭୦ ମିମି ବର୍ଷା ହୋଇପାରେ । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ହାଲୁକାରୁ ସ୍ୱଳ୍ପ ବିକ୍ଷିପ୍ତ ବର୍ଷା ହେବ । ହାରାହାରି ୪୦ ମିମି ବର୍ଷା ହୋଇପାରେ । ଆସନ୍ତା ୧୦ ଦିନରେ ବର୍ଷା ପରିମାଣ ୫୦ଣୁ ୬୦% ନିଅଣ୍ଟିଆ ରହିପାରେ । ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି, ଜୁଲାଇ ମାସରେ ୧୧ ତାରିଖ ସୁଦ୍ଧା ସ୍ୱାଭାବିକ ବର୍ଷା ୧୨୪ ମିମି ରହିଥିବାବେଳେ ୭୩ ମିମି ବର୍ଷା ରେକର୍ଡ ହୋଇଛି । ଏହା ୪୧.୨% କମ୍ । ଜୁନ ୧ରୁ ଆଜି ସୁଦ୍ଧା ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୨୪.୩% କମ୍ ବର୍ଷା ହୋଇଛି । ୧୯ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ୧୧ ଜିଲ୍ଲାରେ ବର୍ଷା ସ୍ୱାଭାବିକ ଅଛି । ଭଦ୍ରକ ସ୍ଥିତି ସବୁଠୁ ସଙ୍ଗୀନ । ଏଠାରେ ୬୨% ବର୍ଷା ଅଭାବ ରହିଛି ।