ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍) :ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା କରାଯାଉଥିଲା। ସତର୍କ ସୂଚନା ବି ଜାରି କରାଯାଇଥିଲା । ମାତ୍ର ବଡ଼ ବର୍ଷା ହେଲାନି । ଅଳ୍ପ କିଛି ଜାଗାରେ ମଧ୍ୟମରୁ ପ୍ରବଳ ବର୍ଷା ହେଲା। ବିସ୍ତୃତ ଅଞ୍ଚଳରେ ବର୍ଷିଲାନି ଲଘୁଚାପ। ଖୁବ୍‌ ଅଳ୍ପ ସମୟ ଭିତରେ ଲଘୁଚାପ ଓଡ଼ିଶା ଡେଇଁ ମଧ୍ୟପ୍ରଦେଶ ପଳାଇଲା । ତେବେ ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୩ ତାରିଖବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଦେଖାଦେଇଛି।

ପାଣିପାଗ ବିଭାଗ କହିଛି, ରବିବାର ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ ସୋମବାର ଆଉ ନଥିଲା । ଓଡ଼ିଶା ଡେଇଁ ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ପହଞ୍ଚିଯାଇଛି । ତେଣୁ ଓଡ଼ିଶାରେ ଯେଉଁଭଳି ବର୍ଷା ଆଶା ବା ଆଶଙ୍କା କରାଯାଉଥିଲା, ସେଭଳି ବର୍ଷା ହେଲାନି କିମ୍ବା ସମ୍ଭାବନା ବି ଦିଶୁନାହିଁ ।

ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଦେବଗଡ଼, ମାଲକାନଗିରିରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧୨ ତାରିଖରେ ବି ରାଜ୍ୟର ଅନେକ ସ୍ଥାନରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ଅନୁଗୁଳ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ଯାଜୁପରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଅନୁମାନ କରାଯାଉଛି, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖବେଳକୁ ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ବର୍ଷା ବଢ଼ିବ । ହେଲେ ବଡ଼ ଧରଣର କିମ୍ବା ଲଗାଣ ବର୍ଷା ସମ୍ଭାବନା ଦେଖାଯାଉନି ।

୧୩ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୧୪ ତାରିଖରେ ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

Leave a Reply

Your email address will not be published.